ଆଜିଠୁ ଘର ଘର ବୁଲିବେ ଏଏନଏମ୍, ଆଶାଦିଦି

ଭୁବନେଶ୍ୱର : ରାଜ୍ୟରେ ଯେଭଳି ଜଣେ ହେଲେ ବି କରୋନା ଲକ୍ଷଣଧାରୀ ବାଦ୍ ନ ପଡ଼ନ୍ତି, ତାକୁ ସରକାର ଗୁରୁତ୍ବ ଦେଇଛନ୍ତି। ଏଥିପାଇଁ ଆଜି ଠାରୁ ଜୁଲାଇ ୩୧ ପର୍ଯ୍ୟନ୍ତ ଗ୍ରାମାଞ୍ଚଳରେ ଘରକୁ ଘର ଏବଂ ସହରାଞ୍ଚଳରେ ବସ୍ତିର ପ୍ରତି ଘରେ କରୋନା ଲକ୍ଷଣଧାରୀଙ୍କୁ ଖୋଜାଯିବ ବୋଲି ଏନଏଚଏମ ନିର୍ଦେଶିକା ଶାଳିନୀ ପଣ୍ଡିତ କହିଛନ୍ତି।

ସୋମବାର ଗୀତଗୋବିନ୍ଦ ସଦନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ପଣ୍ଡିତ କହିଛନ୍ତି ଯେ କରୋନା ଖୋଜା ଅଭିଯାନର ମଙ୍ଗ ଧରିବେ ଆଶା ଦିଦି ଓ ଏଏନଏମ୍ କର୍ମଚାରୀମାନେ । ସେମାନେ ପ୍ରତ୍ୟେକ ଘରେ ପହଞ୍ଚି ଲୋକଙ୍କ ଲକ୍ଷଣ ପଚାରି ବୁଝିବେ। ପୂର୍ବରୁ ସରକାରଙ୍କ ପକ୍ଷରୁ ୯୫ ପ୍ରତିଶତ ବିନାଲକ୍ଷଣକାରୀଙ୍କ ନମୁନା ପରୀକ୍ଷା କରାଯାଉଥିଲା। ଏବେ ସରକାରଙ୍କ ରଣକୌଶଳ ବଦଳିଛି। ଏବେ ଖାଲି କରୋନା ଲକ୍ଷଣଯୁକ୍ତଙ୍କୁ ଚିହ୍ନଟ କରି ପରୀକ୍ଷା କରାଯିବ। ସଂପ୍ରତି କରୋନା ମହାମାରୀ ରାଜ୍ୟ ତଥା ଦେଶରେ ଊର୍ଦ୍ଧ୍ବମୁଖା ହୋଇ ମାଡି ଚାଲିଛି।

ଆଇସିଏମଆର ମାର୍ଗଦର୍ଶିକା ଅନୁଯାୟୀ ସଂଗରୋଧ କେନ୍ଦ୍ର ସହିତ ସ୍ଥାନୀୟ କଣ୍ଟାକ୍ଟ ଓ ଲକ୍ଷଣ ଯୁକ୍ତଙ୍କୁ ପରୀକ୍ଷା ବେଳେ ଗୁରୁତ୍ବ ଦିଆଯାଉଛି। ତେବେ ଆଗାମୀ ୪ରୁ ୬ ସପ୍ତାହ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ସମୟ ମଧ୍ୟରେ ରାଜ୍ୟବାସୀ ସତର୍କ ରହିବା ସହ ଯଦି ସଂଯମତା ବଜାୟ ରଖିବେ ତେବେ ନିଶ୍ଚିତ ରୂପେ କରୋନାକୁ ଜିତିହେବ।