ଭୁବନେଶ୍ୱରରୁ ସୁରଟକୁ ଉଡିଲା ବିମାନ

ଭୁବନେଶ୍ୱର: ବହୁଦିନ ପରୀକ୍ଷାର ଆଜି ଘଟିଛି ଅନ୍ତ । ଆଜିଠାରୁ ଭୁବନେଶ୍ୱରରୁ ସୁରଟକୁ ବିମାନ ସେବା ଆରମ୍ଭ ହୋଇଛି । ସକାଳ ୮ଟା ୪୦ରେ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଏୟାର ଇଣ୍ଡିଆ ବିମାନ ନିଜର ଉଡାଣ ଭରିଛି । ପ୍ରଥମ ଦିନରେ ୧୮୦ଜଣ ଯାତ୍ରୀ ସୁରଟ ଯୋଗେ ଯାତ୍ରା କରିଛନ୍ତି ।

ସୂଚନାଯୋଗ୍ୟ, ଜାନୁଆରି ୨୦ରୁ ଭୁବନେଶ୍ୱରରୁ ସୁରଟକୁ ବିମାନସେବା ଆରମ୍ଭ ହେବ ବୋଲି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଗତ  ନଭେମ୍ବରରେ ଟ୍ଵିଟ କରି ସୂଚନା ଦେଇଛନ୍ତି ।

ଏହି ବିମାନସେବାର ଶୁଭାରମ୍ଭ ସମୟରେ ସାଂସଦ ଅପରାଜିତା ଷଡଙ୍ଗୀ କହିଛନ୍ତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀଙ୍କୁ ତାଙ୍କୁ ବୁଝାଇବାକୁ ପଡ଼ିଥିଲା ଯେ ଗୁଜୁରାଟର ସୁରଟରେ ପ୍ରାୟ ୮ଲକ୍ଷ ଓଡ଼ିଆ ବସବାସ କରୁଥିବା ହେତୁ ଭୁବନେଶ୍ୱରରୁ ସୁରଟକୁ ସିଧା ବିମାନ ସେବା ଜରୁରୀ। ଏଥିଲାଗି ସେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପ୍ରମୁଖଙ୍କୁ ବି ଧନ୍ୟବାଦ ଜଣାଇଛନ୍ତି।

 

ସୂଚନାଯୋଗ୍ୟ, ସପ୍ତାହକୁ ଦୁଇ ଦିନ ସୁରଟରୁ ଭୁବନେଶ୍ୱରକୁ ସିଧା ବିମାନ ଚଳାଚଳ କରିବ । ସୋମବାର ଓ ଗୁରୁବାର ଭୁବନେଶ୍ୱରରୁ ସୁରଟକୁ ବିମାନ ଯିବ ସେହିପରି ସୁରଟରୁ ଶୁକ୍ରବାର ଓ ରବିବାର ଭୁବନେଶ୍ୱରକୁ ଆସିବ।

ପ୍ରଥମ ଦିନର ଭଡ଼ା ୪,୫୦୦ଟଙ୍କା ରହିଛି। ସୁରଟରୁ ଭୁବନେଶ୍ୱରକୁ କୌଣସି ବିମାନ ସିଧା ଉଡ଼ାଣ କରିବନି। ସୁରଟରୁ ଆସିବାକୁ ଥିବା ଯାତ୍ରୀ ଭାୟା ଦିଲ୍ଲୀ, କୋଲକାତା ବା ଅନ୍ୟ କୌଣସି ସହର ହୋଇ ଭୁବନେଶ୍ୱର ଆସିବେ। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଏଭଳି ନିଷ୍ପତି ଯୋଗୁଁ ଯାତ୍ରୀ ଭୁବନେଶ୍ୱରରୁ ସିଧା ସୁରଟ ଯାଇପାରିବେ, କିନ୍ତୁ ସୁରଟରୁ ବିଭିନ୍ନ ବିମାନ ବନ୍ଦରରେ ଅଟକି ଭୁବନେଶ୍ବରରେ ପହଂଚିବେ।