୧୬ରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ କେଜ୍ରିୱାଲ

ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଦଳ ଆମ ଆଦମି ପାର୍ଟିକୁ ଜବରଦସ୍ତ ସଫଳତା ମିଳିଛି। ଏଥିସହ ଦିଲ୍ଲୀରେ ଆଉ ୫ ବର୍ଷ ଶାସନ କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି କେଜ୍ରିୱାଲ । ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ଆପ୍ ମୁଖ୍ୟ କେଜ୍ରିୱାଲ । ଆସନ୍ତା ରବିବାର ଅର୍ଥାତ ଫେବୃଆରୀ ୧୬ ତାରିଖରେ ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବୋଲି ଜଣାପଡ଼ିଛି। ସେ କ୍ରମାଗତ ଭାବେ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ।

ତେବେ ପୂର୍ବଥର ଭଳି ଚଳିତ ଥର ମଧ୍ୟ ଦିଲ୍ଲୀର ରାମଲୀଲା ମୈଦାନରେ କେଜ୍ରିୱାଲଙ୍କ ଶପଥ ଗ୍ରହଣ ସମାରୋହ ଆୟୋଜିତ ହେବ । କେଜ୍ରିୱାଲଙ୍କ ସହ କେତେକ ମନ୍ତ୍ରୀ ମଧ୍ୟ ଶପଥ ନେଇ ପାରନ୍ତି । ଅନ୍ୟପକ୍ଷରେ ଆଜି ଉପରାଜ୍ୟପାଳ ଅନିଲ ବୈଜଲଙ୍କୁ ସାକ୍ଷାତକାର କରିବେ କେଜ୍ରିୱାଲ । ଶପଥ ଗ୍ରହଣ ସମ୍ପର୍କରେ ସେ ଉପରାଜ୍ୟପାଳଙ୍କୁ ଅବଗତ କରାଇବେ। ଏହାପରେ ବିଧାୟକ ଦଳ ବୈଠକ ବସିବ। ଏଠାକୁ ସମସ୍ତ ନବନିର୍ବାଚିତ ପ୍ରାର୍ଥୀଙ୍କୁ ଡକା ଯାଇଛି।

ସୂଚନାଯୋଗ୍ୟ ଯେ, ଦିଲ୍ଲା ବିଧାନସଭା ନିର୍ବାଚନରେ ଆପ୍ ମୋଟ ୭୦ ଆସନରୁ ୬୨ଟିରେ ବିଜୟ ହାସଲ କରି ପୂର୍ବ ଲୋକପ୍ରିୟତା ବଜାୟ ରଖିଛି । ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ବରେ ଏହା ତୃତୀୟ ଥର ପାଇଁ ଶାସନକୁ ଫେରିବା ପାଇଁ ଜନମତ ମିଳିଛି । ସେପଟେ ବିଜେପି ୮ ଟି ଆସନରେ ଜିତିଥିବା ବେଳେ କଂଗ୍ରେସ ଗୋଟିଏ ମଧ୍ୟ ଆସନ ହାସଲ କରିପାରିନାହିଁ ।