୩ୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ କେଜ୍ରିୱାଲ

ଆଉ ୬ଜଣ ମନ୍ତ୍ରୀ ନେଲେ ଶପଥ

ନୂଆଦିଲ୍ଲୀ: ତୃତୀୟ ଥର ପାଇଁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କଲେ ଆମ ଆଦମି ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲ । ଦିଲ୍ଲୀର ରାମଲିଲା ମୈଦାନରେ ମଧ୍ୟାହ୍ନ ୧୨.୧୫ ସମୟରେ ସେ ଶପଥ ପାଠ କରିଛନ୍ତି । ଦିଲ୍ଲୀ ଉପରାଜ୍ୟପାଳ ଅନିଲ ବୈଜଲ ତାଙ୍କୁ ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇଛନ୍ତି ।

ରାମଲୀଳା ମୈଦାନରେ ଆୟୋଜିତ ଶପଥ ଗ୍ରହଣ ସମାରୋହରେ କେଜ୍ରିୱାଲଙ୍କ ସମେତ ତାଙ୍କର ପୁରୁଣା ମନ୍ତ୍ରିମଣ୍ଡଳର ୬ ଜଣ ସଦସ୍ୟ ମଧ୍ୟ ଶପଥପାଠ କରିଛନ୍ତି । କେଜ୍ରିୱାଲଙ୍କ ପରେ ମନୀଷ ସିସୋଦିଆ ମନ୍ତ୍ରୀ ପଦର ଶପଥ ପାଠ କରିଥିଲେ । ପରେ ପରେ ସତ୍ୟେନ୍ଦ୍ର ଜୈନ, ଗୋପାଳ ରାୟ, କୈଳାଶ ଗହଲୋତ, ଇମ୍ରାନ ହୁସେନ ଓ ରାଜେନ୍ଦ୍ର ଗୌତମ ମନ୍ତ୍ରୀ ଭାବରେ ଶପଥ ପାଠ କରିଥିଲେ । ଉପରାଜ୍ୟପାଳ ଅନିଲ ବୈଜଲ ସମସ୍ତଙ୍କୁ ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇଛନ୍ତି ।

ଏହି ଅବସରରେ ରାମଲୀଲା ମୈଦାନରେ ହଜାର ହଜାର ସମର୍ଥକଙ୍କ ଭିଡ ଦେଖିବାକୁ ମିଳିଛି । ଏହି ସମାରୋହରେ କୌଣସି ରାଜ୍ୟର ମୁଖ୍ୟମନ୍ତ୍ରୀ ଅବା ନେତା ନୁହେଁ ବରଂ ସାଧାରଣ ଜନତାଙ୍କୁ ଦେଖିବାକୁ ମିଳିଥିଲା । ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କେଜ୍ରିୱାଲ ନିମନ୍ତ୍ରଣ ଜଣାଇଥିଲେ ମଧ୍ୟ ସେ ବାରାଣସୀ ଗସ୍ତ କରିଥିବାରୁ ଏହି ସମାରୋହରେ ଯୋଗ ଦେଇ ପାରି ନାହାନ୍ତି ।

ସୂଚନାଯୋଗ୍ୟ ଯେ, ଦିଲ୍ଲୀ ବିଧାନସଭା ନିର୍ବାଚନରେ ୭୦ରୁ ୬୨ଟି ଆସନରେ ଐତିହାସିକ ବିଜୟ ହାସଲ କରି ପୁଣିଥରେ ସରକାର ଗଢିବାରେ ସକ୍ଷମ ହୋଇଥିଲେ ଆପ୍ ମୁଖ୍ୟ କେଜ୍ରିୱାଲ ।