ମତ୍ସ୍ୟ ଉତ୍ପାଦନ ବୃଦ୍ଧି ଦିଗରେ ମତ୍ସ୍ୟ ସମବାୟ ସମିତିଗୁଡ଼ିକ ଅଧିକ କ୍ରିୟାଶୀଳ ହୁଅନ୍ତୁ : ମନ୍ତ୍ରୀ ଅରୁଣ କୁମାର ସାହୁ

୬୬ତମ ନିଖିଳ ଭାରତ ସମବାୟ ସପ୍ତାହ-୨୦୧୯ ଉତ୍ସବ ଓ କର୍ମଶାଳା

ଭୁବନେଶ୍ୱର: ଜଳସଂପଦରେ ଭରପୂର ଓଡ଼ିଶାରେ ମାଛଚାଷର ପର୍ଯ୍ୟାପ୍ତ ସୁଯୋଗ ରହିଥିବା ପରିପ୍ରେକ୍ଷୀରେ ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରୟୋଗ କରି ମତ୍ସ୍ୟ ଉତ୍ପାଦନ ବୃଦ୍ଧି ସହିତ ଓଡ଼ିଶାକୁ ଏ କ୍ଷେତ୍ରରେ ସ୍ୱାବଲମ୍ବୀ କରିବାକୁ ପଡ଼ିବ । ଓଡ଼ିଶାର ସମୁଦ୍ର ଉପକୂଳ, କ୍ଷାରୀ ପାଣି ଓ ମଧୁର ଜଳ ଭଣ୍ଡାରରୁ ମତ୍ସ୍ୟ ଉତ୍ପାଦନ କରି ରାଜ୍ୟରେ ପୁଷ୍ଟିକର ଖାଦ୍ୟର ଚାହିଦା ପୂରଣ କରିବା ସହିତ ସାମୁଦ୍ରିକ ଦ୍ରବ୍ୟ ରପ୍ତାନୀ କରି ଅଧିକ ବୈଦେଶିକ ମୁଦ୍ରା ଉପାର୍ଜନ କରିହେବ ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତି ।

ଆଜି ପୂର୍ବାହ୍ନରେ ଓଡ଼ିଶା ରାଜ୍ୟ ମତ୍ସ୍ୟ ସମବାୟ ନିଗମ ଲିଃ (ଫିସ୍‌ଫେଡ୍‌) ଓ ଫିସ୍‌କୋଫେଡ୍‌ର ମିଳିତ ଆନୁକୂଲ୍ୟରେ ରବୀନ୍ଦ୍ରମଣ୍ଡପଠାରେ ଆୟୋଜିତ ରାଜ୍ୟସ୍ତରୀୟ ୬୬ତମ ନିଖିଳ ଭାରତ ସମବାୟ ସପ୍ତାହ୨୦୧୯ ଉତ୍ସବ ଓ ‘ସମବାୟ ମାଧ୍ୟମରେ ମତ୍ସ୍ୟଜୀବୀଙ୍କ ବିକାଶ’ ଶୀର୍ଷକ କର୍ମଶାଳାରେ ଯୋଗଦେଇ ମନ୍ତ୍ରୀ ଡ. ସାହୁ କହିଲେ ଯେ ରାଜ୍ୟ ସରକାର କୃଷକମାନଙ୍କର ଆୟ ବହୁଗୁଣିତ କରିବା ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରିଥିବାବେଳେ ଆନୁଷଙ୍ଗିକ କୃଷି, ଗୋପାଳନ, ମତ୍ସ୍ୟଚାଷ, କୁକୁଡ଼ା ଚାଷ ଆଦି ବ୍ୟାପକ ଭାବେ କରାଯାଇ କୃଷକମାନଙ୍କ ଆୟ ବୃଦ୍ଧି ସହିତ ସେମାନଙ୍କୁ ବର୍ଷସାରା ରୋଜଗାର ଦେଇହେବ । ରାଜ୍ୟରେ ବିଗତ ୫ ବର୍ଷ ମଧ୍ୟରେ ମତ୍ସ୍ୟ ଉତ୍ପାଦନ ୬୦ ପ୍ରତିଶତରୁ ଊଦ୍ଧ୍ୱର୍ ବୃଦ୍ଧି ପାଇଛି ବୋଲି କହିବା ସହିତ ମତ୍ସ୍ୟ ଉତ୍ପାଦନ ବୃଦ୍ଧି ଦିଗରେ ମତ୍ସ୍ୟ ସମବାୟ ସମିତିଗୁଡ଼ିକୁ ଅଧିକ କି୍ରୟାଶୀଳ କରି ରାଜ୍ୟରେ ନୀଳ ବିପ୍ଳବକୁ ସାକାର କରିବାକୁ ମନ୍ତ୍ରୀ ଡ. ସାହୁ ପରାମର୍ଶ ଦେଇଥିଲେ ।

ଉତ୍ସବରେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଲେ କୃଷି ଓ ଆନୁଷଙ୍ଗିକ କୃଷି କ୍ଷେତ୍ର ସହିତ ଜଡ଼ିତ ଲୋକଙ୍କ ଆର୍ଥିକ ବିକାଶରେ ସମବାୟର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ସବୁବର୍ଗର ଲୋକଙ୍କୁ ସମବାୟ ସହିତ ଜଡ଼ିତ କରାଇ ସେମାନଙ୍କୁ ସମ୍ମିଳିତ ବିକାଶ ପ୍ରକ୍ରିୟାରେ ସାମିଲ କରିବାକୁ ପଡ଼ିବ । ରାଜ୍ୟରେ ୪୮୦ କିମିରୁ ଊଦ୍ଧ୍ୱର୍ ସମୁଦ୍ର ଉପକୂଳ ଥିବାବେଳେ ସାମୁଦି୍ରକ ମତ୍ସ୍ୟ ଉତ୍ପାଦନ ବୃଦ୍ଧି ନିମନ୍ତେ ଗଭୀର ସମୁଦ୍ରରୁ ମାଛ ମାରିବା ନିମନ୍ତେ ଅତ୍ୟାଧୁନିକ ଜ୍ଞାନକୌଶଳ ଆପଣେଇବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ । ସାଂପ୍ରତିକ ପରିସ୍ଥିତିରେ ଯୁବକଯୁବତୀମାନଙ୍କୁ ରୋଜଗାର ଦେବା ଓ ସ୍ୱାବଲମ୍ବୀ କରିବା ଦିଗରେ ସମବାୟ ହିଁ ପ୍ରକୃଷ୍ଟ ମାଧ୍ୟମ ବୋଲି ସେ ମତବ୍ୟକ୍ତ କରିଥିଲେ ।

ଫିସ୍‌ଫେଡ୍‌ର ସଭାପତି ଶ୍ରୀ ଟି. ପ୍ରସାଦରାଓ ଦୋରାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉତ୍ସବରେ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ଆର୍‌. ରଘୁପ୍ରସାଦ କହିଲେ ବିଭାଗ ପକ୍ଷରୁ ଆବର୍ତ୍ତକାଳୀନ ପାଣ୍ଠି ବାବଦରେ ପ୍ରତି ପ୍ରାଥମିକ ସମବାୟ ସମିତିକୁ ୨ ଲକ୍ଷ ଟଙ୍କା ଲେଖାଏଁ ସରକାରୀ ସହାୟତା ଫିସ୍‌ଫେଡ୍‌ ମାଧ୍ୟମରେ ଦିଆଯାଉଛି । ସଂପ୍ରତି ଓଡ଼ିଶାରେ ୭୩୨ ଟି ସକି୍ରୟ ପ୍ରାଥମିକ ମତ୍ସ୍ୟ ସମବାୟ ସମିତି କାର୍ଯ୍ୟ କରୁଛି । ଉତ୍ସବରେ ଜାତୀୟ ସମବାୟ ମହାସଂଘ, ନୂଆଦିଲ୍ଲୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଶ୍ରୀ ଏନ୍‌. ସତ୍ୟନାରାୟଣ, ଫିସ୍‌କୋଫେଡ୍‌ର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ବିମଳ କୁମାର ମିଶ୍ର ପ୍ରମୁଖ ଉଦ୍‌ବୋଧନ ଦେଇ ସମବାୟ ସମିତି ଜରିଆରେ ମତ୍ସ୍ୟ ଉତ୍ପାଦନ ବୃଦ୍ଧି ଏବଂ ମତ୍ସ୍ୟଜୀବୀମାନଙ୍କର କଲ୍ୟାଣ ନିମନ୍ତେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ସଂପର୍କରେ ଆଲୋଚନା କରିଥିଲେ ।

ଏହି ଅବସରରେ ଫିସ୍‌ଫେଡ୍‌ କନ୍ୟାରନି ଯୋଜନାରେ ୩୦ ଜଣ ମତ୍ସ୍ୟଜୀବୀ ଓ ମତ୍ସ୍ୟଚାଷୀଙ୍କ କନ୍ୟାଙ୍କୁ ଉଚ୍ଚଶିକ୍ଷା ନିମନ୍ତେ ୧୦ ହଜାର ଟଙ୍କା ଅର୍ଥରାଶି ପ୍ରଦାନ କରାଯାଇଥିଲା । ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ୯ଟି ସମବାୟ ସମିତିକୁ ସମ୍ବର୍ଦ୍ଧିତ କରାଯିବା ସହିତ ସମବାୟ କ୍ଷେତ୍ରରେ ବିଶେଷ ଅବଦାନ ଦେଇଥିବା ଅବସରପ୍ରାପ୍ତ ଅଧିକାରୀଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା । ଶେଷରେ ଫିସ୍‌ଫେଡ୍‌ର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଉମେଶ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରାରମ୍ଭରେ ଏହି ଉପଲକ୍ଷେ ଆୟୋଜିତ ଏକ ପ୍ରଦର୍ଶନୀକୁ ମନ୍ତ୍ରୀ ଡ. ସାହୁ ଉଦ୍‌ଘାଟନ କରିଥିଲେ । କର୍ମଶାଳାରେ ପ୍ରାଥମିକ ସମବାୟ ସମିତିର ସଭ୍ୟାମାନଙ୍କୁ ମାଛଚାଷ ସମ୍ବନ୍ଧୀୟ ଜ୍ଞାନକୌଶଳ, କ୍ଷେତ୍ର ପରିଦର୍ଶନ କାର୍ଯ୍ୟକ୍ରମ ଓ ସମବାୟ ସମିତି ସହିତ ଜଡ଼ିତ ବିଭିନ୍ନ ଆଇନ ସଂପର୍କରେ ତାଲିମ ପ୍ରଦାନ କରାଯାଇଥିଲା ।