‘ବହୁ ଗୁରୁତ୍ୱପୂର୍ଣ୍ଣ ସୂଚନା ଚାଷୀମାନଙ୍କୁ ସିଧାସଳଖ ପ୍ରଦାନ କରାଯାଉଛି’ : ମନ୍ତ୍ରୀ ଡ. ଅରୁଣ କୁମାର ସାହୁ

‘ହ୍ୱାଟସ୍‌ଆପ୍‌ ଗ୍ରୁପ୍‌ରେ ୯ ଲକ୍ଷ ୨୦ ହଜାରରୁ ଅଧିକ ଚାଷୀଙ୍କୁ ସାମିଲ କରାଯାଇଛି’

ଭୁବନେଶ୍ୱର: କୃଷି ଓ ଆନୁଷଙ୍ଗିକ କ୍ଷେତ୍ରର ଦ୍ରୁତ ପ୍ରଗତି ଦିଗରେ ସାମାଜିକ ଗଣମାଧ୍ୟମ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବା ପରିପ୍ରେକ୍ଷୀରେ ବିଭାଗ ପକ୍ଷରୁ ସୋସିଆଲ୍‌ ମିଡିଆର ବହୁଳ ଉପଯୋଗ କରିବା ଦିଗରେ ଅନେକଗୁଡ଼ିଏ ପଦକ୍ଷେପ ନିଆଯାଇଛି । ସଂପ୍ରତି କୋଭିଡ୍‌-୧୯ ସ୍ଥିତିରେ ଚାଷୀମାନଙ୍କ ନିକଟରେ ପହଞ୍ଚିବା ଦିଗରେ ସାମାଜିକ ଗଣମାଧ୍ୟମ ବିଶେଷ ଫଳପ୍ରଦ ସାବ୍ୟସ୍ତ ହୋଇପାରିଛି ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତି ।

ଆଜି ଆୟୋଜିତ ଏକ ଭର୍ଚୁଆଲ୍‌ ବୈଠକରେ ସାମାଜିକ ଗଣମାଧ୍ୟମର ବ୍ୟବହାର ଦିଗରେ ବିଭାଗ ପକ୍ଷରୁ ଗ୍ରହଣ କରାଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ଓ ଏହାର ଅଗ୍ରଗତି ସଂପର୍କରେ ମନ୍ତ୍ରୀ ଡ. ସାହୁ ସମୀକ୍ଷା କରିଥିଲେ । ଏହି ବୈଠକରେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକଙ୍କ ସମେତ ଉଦ୍ୟାନ କୃଷି, ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ଉନ୍ନୟନ, ପ୍ରାଣୀପାଳନ ଓ ପ୍ରାଣୀଚିକିତ୍ସା ଏବଂ ମତ୍ସ୍ୟ ନିର୍ଦ୍ଦେଶକ ପ୍ରମୁଖ ଯୋଗଦେଇଥିଲେ । ଚାଷୀର ଆୟ ବହୁଗୁଣିତ କରିବା ଦିଗରେ କୃଷି ସହିତ ଆନୁଷଙ୍ଗିକ କୃଷିର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା ଦୃଷ୍ଟିରୁ ପ୍ରାଣୀପାଳନ ଓ ପ୍ରାଣୀଚିକିତ୍ସା ଏବଂ ମତ୍ସ୍ୟ ନିର୍ଦ୍ଦେଶାଳୟ ପକ୍ଷରୁ ସୋସିଆଲ୍‌ ମିଡିଆର ବହୁଳ ଉପଯୋଗ ନିମନ୍ତେ ଚାଷୀମାନଙ୍କର ହ୍ୱାଟସ୍‌ଆପ୍‌ ଗ୍ରୁପ୍‌ ଗଠନ ଉପରେ ମନ୍ତ୍ରୀ ଡ. ସାହୁ ଗୁରୁତ୍ୱାରୋପ କରିଥିଲେ ।

ପ୍ରତି ପଞ୍ଚାୟତରେ ଚାଷୀମାନଙ୍କର ହ୍ୱାଟସ୍‌ଆପ୍‌ ଗ୍ରୁପ୍‌ ଗଠନ କରି ଚାଷୀମାନଙ୍କୁ ସିଧାସଳଖ ବିଭିନ୍ନ କୃଷି ସମ୍ବନ୍ଧୀୟ ବାର୍ତ୍ତା ଯୋଗାଇଦେବା ସହିତ ସେମାନଙ୍କର ସମସ୍ୟା ସଂପର୍କରେ ବିହିତ ପଦକ୍ଷେପ ନେବା ପରିପ୍ରେକ୍ଷୀରେ ଆଜି ପର୍ଯ୍ୟନ୍ତ ହ୍ୱାଟସ୍‌ଆପ୍‌ ଗ୍ରୁପ୍‌ରେ ୯ ଲକ୍ଷ ୨୦ ହଜାରରୁ ଅଧିକ ଚାଷୀଙ୍କୁ ସାମିଲ କରାଯାଇଛି । ସେହିପରି କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଟୋଲ୍‌ ଫି୍ର ହେଲପ୍‌ଲାଇନ୍‌ ‘ଆମ କୃଷି’ରେ ୮ ଲକ୍ଷ ୭୫ ହଜାର ଚାଷୀଙ୍କୁ ସାମିଲ କରାଯାଇପାରିଛି । କୃଷି ବିଭାଗ ଟୁଇଟରରେ ୨୭ ହଜାର ୨୦୦ ଜଣ ବ୍ୟବହାର କରିଥିବାବେଳେ ଏମ୍‌-କିଷାନ୍‌ ପୋର୍ଟାଲ୍‌ ଜରିଆରେ ପ୍ରାୟ ୧୭ ଲକ୍ଷରୁ ଊଦ୍ଧ୍ୱର୍ ବାର୍ତ୍ତା  ଚାଷୀମାନଙ୍କ ନିକଟକୁ ପ୍ରେରଣ କରାଯାଇଛି । ଏଥି ସହିତ ପ୍ରତି ପଞ୍ଚାୟତ ସ୍ତରରେ ଅତି କମ୍‌ରେ ୨୦୦ ଜଣ କୃଷକଙ୍କୁ ହ୍ୱାଟସ୍‌ଆପ୍‌ ଗ୍ରୁପ୍‌ରେ ସାମିଲ କରାଯିବାର ଲକ୍ଷ୍ୟ ରଖାଯାଇଛି ।

ଏହି ଗ୍ରୁପ୍‌ ମାଧ୍ୟମରେ ଚାଷୀମାନଙ୍କୁ ସମୟ ଉପଯୋଗୀ କୃଷି କାର୍ଯ୍ୟ ସମ୍ବନ୍ଧୀୟ ବାର୍ତ୍ତା ପ୍ରେରଣ, ବିଭିନ୍ନ ଅର୍ଥକାରୀ ଓ ଉଦ୍ୟାନକୃଷିଭିତ୍ତିକ ଫସଲ ଉତ୍ପାଦନର ପଦ୍ଧତିର ଶିକ୍ଷଣୀୟ ଚଳଚ୍ଚିତ୍ର, ଭିଡିଓ ମାଧ୍ୟମରେ କୃଷକମାନଙ୍କୁ ନୂତନ ଜ୍ଞାନକୌଶଳ, ପାଣିପାଗ ସମ୍ବନ୍ଧୀୟ ଆଗୁଆ ସୂଚନା ଓ ସମ୍ଭାବ୍ୟ ଆପଦକାଳୀନ ପରିସ୍ଥିତିର ସତର୍କ ସୂଚନା ପ୍ରଦାନ, ପ୍ରାକୃତିକ ଦୁର୍ବିପାକ କିମ୍ବା ରୋଗପୋକ ଆକ୍ରମଣ ଦ୍ୱାରା ଉପୁଜିଥିବା ଆପଦକାଳୀନ ପରିସ୍ଥିତିର ମୁକାବିଲା, ସରକାରଙ୍କ ବିଭିନ୍ନ କୃଷକ କଲ୍ୟାଣ ଯୋଜନା, ଚାଷୀମାନଙ୍କର ଉତ୍ପାଦିତ ଦ୍ରବ୍ୟର ବିକି୍ରବଟାର ସୁଯୋଗ ଓ ବଜାର ସମ୍ବନ୍ଧୀୟ ସୂଚନା, ସନ୍ତୁଳନ ରାସାୟନିକ ସାର ପ୍ରାୟାଗ ଓ ସମନ୍ୱିତ ଖାଦ୍ୟସାର ପରିଚାଳନା ଆଦି ବହୁ ଗୁରୁତ୍ୱପୂର୍ଣ୍ଣ ସୂଚନା ଚାଷୀମାନଙ୍କୁ ସିଧାସଳଖ ପ୍ରଦାନ କରାଯାଇପାରୁଛି । ସାମାଜିକ ଗଣମାଧ୍ୟମ ଜରିଆରେ କୃଷକମାନେ ପ୍ରତିଦିନ ବିଭିନ୍ନ ସୂଚନା ସଂପର୍କରେ ଅବଗତ ହୋଇପାରୁଥିବାରୁ ଅଧିକରୁ ଅଧିକ ଚାଷୀଙ୍କୁ ସାମାଜିକ ଗଣମାଧ୍ୟମ ସହିତ ଜଡ଼ିତ କରାଇବା ଦିଗରେ ବିଭାଗୀୟ କ୍ଷେତ୍ର ଅଧିକାରୀମାନେ ସଚେତନତା ସୃଷ୍ଟି କରିବା ପାଇଁ ମନ୍ତ୍ରୀ ଡ. ସାହୁ କହିଥିଲେ ।

ବୈଠକରେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଡ. ଏମ୍‌. ମୁଥୁକୁମାର, ଉଦ୍ୟାନକୃଷି ନିର୍ଦ୍ଦେଶକ ଶ୍ରୀ ରୋହିତ କୁମାର ଲେଙ୍କା, ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ନିର୍ଦ୍ଦେଶକ ଶ୍ରୀ ହେମନ୍ତ କୁମାର ପଣ୍ଡା, ପ୍ରାଣୀପାଳନ ଓ ପ୍ରାଣୀଚିକ ତ୍ସି । ନିର୍ଦ୍ଦେଶକ ଶ୍ରୀ ରତ୍ନାକର ରାଉତ ଓ ମତ୍ସ୍ୟ ନିର୍ଦ୍ଦେଶକ ଶ୍ରୀ ସ୍ମୃତିରଞ୍ଜନ ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ ।