ଟ୍ୱିଟ କରି ଅରୁଣ ଜେଟଲୀଙ୍କ ସ୍ୱାସ୍ଥ୍ୟବସ୍ଥା ବିଷୟରେ ଜଣାଇଲେ ଉପରାଷ୍ଟ୍ରପତି

ନୂଆଦିଲ୍ଲୀ : ଦିଲ୍ଲୀ ଏମ୍ସରେ କର୍କଟ ଓ କିଡନି ଜନିତ ରୋଗରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିବା ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଅରୁଣ ଜେଟଲିଙ୍କ ସ୍ବାସ୍ଥ୍ୟାବସ୍ଥା ସଂପର୍କରେ ପଚାରି ବୁଝିଛନ୍ତି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡ଼ୁ । ସେ ଆଜି ଦିଲ୍ଲୀ ଏମ୍ସରେ ପହଞ୍ଚି ଅରୁଣ ଜେଟଲିଙ୍କ  ଚିକିତ୍ସା କରୁଥିବା ଡାକ୍ତରମାନଙ୍କ ସହ କଥା ହୋଇଛନ୍ତି। ସେ ସେଠାରେ ଉପସ୍ଥିତ ଥିବା ଅରୁଣ ଜେଟଲିଙ୍କ ପରିବାର ବର୍ଗଙ୍କୁ ବି ଭେଟିଛନ୍ତି।

ଏହାପରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡ଼ୁଙ୍କ ସଚିବ ଟୁଇଟ କରି ସୂଚନା ଦେଇଛନ୍ତି ଯେ ଡାକ୍ତରମାନଙ୍କ ଚିକିତ୍ସାଦ୍ବାରା ଅରୁଣ ଜେଟଲିଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଘଟୁଛି। ସୂଚନାଯୋଗ୍ୟ ଯେ ଗତକାଲି ସକାଳେ ଅରୁଣ ଜେଟ୍ଲିଙ୍କ ସ୍ବାସ୍ଥ୍ୟରେ ଅଚାନକ ଅବନତି ଘଟିବାରୁ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା। ଜେଟଲିଙ୍କୁ ଆଇସିୟୁରେ ରଖି ଚିକିତ୍ସା କରାଯାଉଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏମ୍ସ ଯାଇ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସଂପର୍କରେ ଅବଗତ ହୋଇଥିଲେ। ଏହା ପୂର୍ବରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷବଦ୍ଧନ, ଲୋକସଭା ବାଚସ୍ପତି ଓମ୍ ବିର୍ଲା ପ୍ରମୁଖ ମଧ୍ୟ ଜେଟଲିଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିଥିଲେ। ୬୬ ବର୍ଷୀୟ ଜେଟଲିଙ୍କ ଚିକିତ୍ସା ଲାଗି ଏମ୍ସ କର୍ତ୍ତୃପକ୍ଷ ଏକ୍ ସ୍ବତନ୍ତ୍ର ଡାକ୍ତରୀ ଟିମ୍ ଗଠନ କରି ତାଙ୍କର ଚିକିତ୍ସା କରୁଛନ୍ତି।