ବିଜେପି ମୁଖ୍ୟାଳୟରେ ପହଁଚିଲା ଜେଟଲୀଙ୍କ ପାର୍ଥିବ ଶରୀର

ନୂଆଦିଲ୍ଲୀ :ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ପାର୍ଥିବ ଶରୀର ବିଜେପି ମୁଖ୍ୟାଳୟରେ ପହଁଚିଛି । ଦ୍ୱିପ୍ରହର ୨ଟା ୩୦ରେ ନିଗମବୋଧ ଘାଟରେ ତାଙ୍କର ଅନ୍ତିମ ସଂସ୍କାର ହେବ । ବିଜେପି ମୁଖ୍ୟାଳୟରେ ଜେଟଲୀଙ୍କ ଅନ୍ତିମ ଦର୍ଶନ ପାଇଁ ଏବଂ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବା ପାଇଁ ଭିଡ ଦେଖିବାକୁ ମିଳିଛି । ଜେଟଲୀଙ୍କ ନିଧନରେ ସେଠାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ତେବେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ସମେତ ବହୁ ବରିଷ୍ଠ ନେତା ସେଠାରେ ଏହି ମହାନ ନେତାଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି ।

ଗୃହମନ୍ତ୍ରୀ ଅମିତ ଶାହା ଅରୁଣ ଜେଟଲୀଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ଶାହା ଟ୍ୱିଟ କରି ଜେଟଲୀଙ୍କ ଜୀବନ ଯାତ୍ରାର ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି । ବିଭିନ୍ନ ରାଜନୈତିକ ଦଳର ନେତାମାନେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି । ରାଜନାଥ ସିଂହ, ନିର୍ମଳା ସୀତାରମଣ, ପୀୟୁଷ ଗୋୟଲ, ହର୍ଷବର୍ଦ୍ଧନ, ଜିତେନ୍ଦ୍ର ସିଂହ, ଲାଲକୃଷ୍ଣ ଆଡଭାଣୀ, ଜେପି ନଡା ତାଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଛନ୍ତି ।

ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଶନିବାର ମଧ୍ୟାହ୍ଣ ୧୨ଟା ୭ ମିନିଟରେ ନୂଆଦିଲ୍ଲୀସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ)ରେ ୬୬ ବର୍ଷ ବୟସରେ ପରଲୋଗ ଗମନ କରିଥିଲେ । ତାଙ୍କ ପାର୍ଥିବ ଶରୀରକୁ ହସ୍ପିଟାଲରୁ କୈଳାଶ କଲୋନୀସ୍ଥିତ ନିବାସକୁ ନିଆଯାଇଥିଲା ।