ଧାରା ୩୭୦ ଉଚ୍ଛେଦ ପରେ କ’ଣ କହିଲେ ବଲିଉଡ୍‌ ସେଲେବ୍ରିଟି

ନୂଆଦିଲ୍ଲୀ: ଆଜି କେନ୍ଦ୍ର ସରକାର ଏକ ଐତିହାସିକ ନିଷ୍ପତ୍ତି କ୍ରମେ ଜମ୍ମୁ-କଶ୍ମୀର ପାଇଁ ସମ୍ବିଧାନରେ ଥିବା ସ୍ୱତନ୍ତ୍ର ଧାରା ୩୭୦କୁ ଉଚ୍ଛେଦ କରିଛନ୍ତି। ଅର୍ଥାତ ପୂର୍ବରୁ ଜମ୍ମୁ-କଶ୍ମୀରକୁ ମିଳୁଥିବା ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ଆଉ ମିଳିବ ନାହିଁ। ଏଣିକି ଜମ୍ମୁ-କଶ୍ମୀର ଏକ ରାଜ୍ୟ ଭାବେ ନୁହେଁ, ଏକ କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ପରିଗଣିତ ହେବ ଏବଂ ଆଗରୁ ଏହା ସହିତ ସାମିଲ ଥିବା ଲଦାଖ ଏବେ  ତା ଠାରୁ ଅଲଗା ହୋଇ ଏକ ସ୍ୱତନ୍ତ୍ର କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ ହେବ।  ଏହି ନିଷ୍ପତ୍ତିକୁ ଉଭୟ ସଂସଦ ଓ ସଂସଦ ବାହାରେ ତୀବ୍ର ବିରୋଧ କରାଯାଉଛି।

ଏହା ବ୍ୟତୀତ ଗୃହମନ୍ତ୍ରୀ ଅମିତ ଶାହ କଶ୍ମୀର ଓ ଲଦାଖକୁ ଅଲଗା କରିବାର ପ୍ରସ୍ତାବ ମଧ୍ୟ ଗୃହରେ ଆଗତ କରିଛନ୍ତି। ଗୃହମନ୍ତ୍ରୀଙ୍କର ଏହି ପ୍ରସ୍ତାବ ପରେ କିଛି ବିପକ୍ଷ ଦଳ ଏହାକୁ ବିରୋଧ କରୁଥିବା ସମୟରେ ସୋଶାଲ ମିଡିଆରେ ମଧ୍ୟ ଏହାକୁ ନେଇ ଝଡ଼ ଆରମ୍ଭ ହୋଇଛି।

କିଛି ୟୁଜର୍ସ ଜମ୍ମୁ-କଶ୍ମୀରକୁ ନେଇ ସରକାରଙ୍କର ଏହି ନିଷ୍ପତ୍ତିକୁ ପ୍ରଶଂସା କରୁଥିବା ବେଳେ ଅନ୍ୟ କିଛି ଏହାକୁ ବିରୋଧ କରିଛନ୍ତି। ସୋଶାଲ ମିଡିଆରେ ସବୁଠାରୁ ଅଧିକ ପ୍ରତିକ୍ରିୟା ସେଲେବ୍ରିଟିଙ୍କ ପକ୍ଷରୁ ଆସିବାରେ ମିଳିଛି। ଆସନ୍ତୁ ଜାଣିବା ଧାରା ୩୭୦ ଉଚ୍ଛେଦ ନେଇ ସେଲେବ୍ରିଟିମାନେ ଟ୍ୱିଟ୍‌ରରେ କଣ ସବୁ ମତ ରଖିଛନ୍ତି।

ବିଜେପିର ପୂର୍ବ ଲୋକସଭା ସାଂସଦ ତଥା ଅଭିନେତା ପରେଶ ରାୱଲ୍‌ ଜମ୍ମୁ-କଶ୍ମୀରର ପୁର୍ନଗଠନ ପ୍ରସ୍ତାବକୁ ସ୍ୱାଗତ କରିଛନ୍ତି ଏବଂ ଲେଖିଛନ୍ତି, ଏହା ବିଲ୍‌କୁଲ୍‌ ମୋ ମନର କଥା…ଜୟହିନ୍ଦ୍‌। ଅନୁପମ୍‌ ଖେର୍‌ ଲେଖିଛନ୍ତି, କଶ୍ମୀର ସମସ୍ୟାର ସମାଧାନ ଆରମ୍ଭ ହେଲା। ଚେତନ ଭଗତ ଲେଖିଥନ୍ତି, ‘ଏହି କଥା ମୁଁ ୫ ବର୍ଷ ପୂର୍ବରୁ କହିଥିଲି। ମୁଁ ଭାବୁଛି ବର୍ତ୍ତମାନ ତାର ସମୟ ଆସିଛି।’

ସେହିପରି ବଲିଉଡ୍‌ ଅଭିନେତା ଗୁରମିତ ଚୌଧୁରୀ ଧାରା ୩୭୦ ଉଚ୍ଛେଦ ହେବା ପରେ ଖୁସି ବ୍ୟକ୍ତ କରିଛନ୍ତି ଏବଂ ଟ୍ୱିଟ୍‌ କରି ଲେଖିଛନ୍ତି, ‘ମୁଁ ମୋର ପିଲାଦିନ କଶ୍ମୀରର ଆର୍ମି କ୍ୟାମ୍ପରେ ବିତାଇଛି। ମୋତେ ସବୁବେଳେ ଲାଗୁଥିଲା ଯେ ମୁଁ ସେଠାକାର ବାସିନ୍ଦା। ଧାରା ୩୭୦ ଉଚ୍ଛେଦ ପରେ କଶ୍ମୀରରେ ଘର କିଣିବା ଓ ବ୍ୟବସାୟ କରିବାର ସ୍ୱପ୍ନ ମୋର ସାକାର ହେବ। ’

କିଛି ପାକିସ୍ତାନୀ ଅଭିନେତ୍ରୀ ମଧ୍ୟ ସୋଶାଲ ମିଡିଆରେ ନିଜର ମତ ରଖିଛନ୍ତି। ଅଭିନେତ୍ରୀ ମାହିରା ଖାନ୍‌ ତାଙ୍କ ଟ୍ୱିଟର୍‌ ହ୍ୟାଣ୍ଡେଲରେ ଲେଖିଛନ୍ତି, ‘ଯେଉଁ ବିଷୟରେ ଆମେ ଚର୍ଚ୍ଚା କରିବାକୁ ଚାହୁଁନାହୁଁ, ତାହା ଉପରେ ଅତି ସହଜ ଭାବେ ଆମକୁ ଚୁପ୍‌ କରାଯାଇଛି। ଏହା ବାଲି ଉପରେ ଗାର ପକାଇବା ସହିତ ସମାନ। ସ୍ୱର୍ଗ ଜଳୁଛି… ଆମେ ଚୁପ୍‌ ହୋଇ ଲୁହ ବୁହାଇବାରେ ଲାଗିଛୁ।’ ମାହିରାଙ୍କର ଏହି ଟ୍ୱିଟ୍‌ ପରେ ଅନେକ ଲୋକ କମେଣ୍ଟ୍‌ ଦେବାରେ ଲାଗିଛନ୍ତି।