ଆଜି ମହାପ୍ରଭୁଙ୍କ ବନକଲାଗି ନୀତି; ୪ ଘଂଟା ଦର୍ଶନ ବନ୍ଦ

ପୁରୀ: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି । ଏହି ନୀତି ଅନୁସାରେ ଶ୍ରୀଜୀଉଙ୍କ ଶ୍ରୀମୁଖ ଶୃଙ୍ଗାର କରାଯିବ । ଏହା ଏକ ଗୁପ୍ତ ସେବା ବନକଲାଗି ନୀତି ହୋଇଥିବାରୁ ସାଧାରଣ ଦର୍ଶନକୁ ଅପରାହ୍ନ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ମଧ୍ୟାହ୍ନ ଧୂପ ଓ ଭୋଗମଣ୍ଡପ ପରେ ଦତ ମହାପାତ୍ର ସେବକଙ୍କ ଦ୍ୱାରା ବନକଲାଗି ବିଧି ଗୁପ୍ତସେବା ସମ୍ପାଦନ କରାଯିବ । ଆଜି ବୁଧବାର ଥିବାରୁ ଶ୍ରୀମନ୍ଦିରରେ ବନକ ଲାଗି ନୀତି ଅନୁଷ୍ଠିତ ହେବ । ଦ୍ୱିତୀୟ ଭୋଗ ମଣ୍ଡପ ପରେ ଅପରାହ୍ନ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ଶ୍ରୀଜୀଉଙ୍କ ଦର୍ଶନ ବନ୍ଦ ରହିବ । କିନ୍ତୁ ଏହି ସମୟରେ ଶ୍ରଦ୍ଧାଳୁମାନେ ପାର୍ଶ୍ୱ ଦେବାଦେବୀଙ୍କୁ ଦର୍ଶନ କରିପାରିବେ । ତେବେ ଶ୍ରୀଜୀଉଙ୍କର ଶ୍ରୀମୁଖ ସିଂହାର ପାଇଁ ହିଙ୍ଗୁଳ, ଶଂଖ, କେଶର, କଇଁଥ, ଅଠା, କର୍ପୂର, କଜ୍ୱଳ, କସ୍ତୁରୀ, ହରିତାଳ ଓ ତେଲର ସମ୍ମିଶ୍ରଣରେ ପ୍ରସ୍ତୁତ ହୋଇଥିବା ବନକକୁ ବ୍ୟବହାର କରାଯାଇଥାଏ । ଏହି ବିଶେଷ ନୀତି ସପ୍ତାହର ବୁଧବାର କିମ୍ବା ଗୁରୁବାର ଦିନ ସମ୍ପାଦନ କରାଯାଇଥାଏ । ଏହି ପ୍ରାକୃତିକ ପ୍ରଣାଳୀରେ ଶ୍ରୀବିଗ୍ରହମାନଙ୍କ ଶ୍ରୀମୁଖକୁ ଶୃଙ୍ଗାର କରାଯିବ ।