ଗୌରୀ ଲଙ୍କେଶ ହତ୍ୟା ମାମଲା: ଡାଏରୀରୁ ମିଳିଲା ନୂଆ ତଥ୍ୟ

ବେଙ୍ଗାଲୁରୁ: ସାମ୍ୱାଦିକ ଗୌରୀ ଲଙ୍କେଶ ହତ୍ୟା ମାମଲାରେ ଗିରଫ ହୋଇଥିବା ସନ୍ଦିଗ୍ଧ ଅପରାଧୀ ଅମୋଲ କାଲେର ଡାଏରୀରୁ ମିଳିଛି କିଛି ସାଂଘାତିକ ତଥ୍ୟ। ହତ୍ୟାକାରୀର ଟାର୍ଗେଟରେ କେବଳ ଗୌରୀ ଲଙ୍କେଶ ନଥିଲେ, ବରଂ ୩୬ ଜଣ ଅନ୍ୟ ବ୍ୟକ୍ତି ମଧ୍ୟ ଥିଲେ ବୋଲି ସୂଚନା ମିଳିଛି।

ଏସଆଇଟି ତଦନ୍ତ ବେଳେ ମିଳିଥିବା ସୂଚନା ଅନୁଯାୟୀ ଟାର୍ଗେଟରେ ଥିବା ୩୬ ଜଣ ବ୍ୟକ୍ତିଙ୍କ ମଧ୍ୟରୁ ଅଧିକାଂଶ ମହାରାଷ୍ଟ୍ରରୁ ଥିଲେ ଓ ୧୦ ଜଣ କର୍ଣ୍ଣାଟକାରୁ ଥିଲେ। ତେବେ ଏହି ୩୬ ଜଣଙ୍କୁ ହତ୍ୟା କରିବା ପାଇଁ ଶାର୍ପ ସୁଟର, ଆକାଶ ମାର୍ଗରୁ ବନ୍ଧୁକ ଚଳାଇପାରୁଥିବା ପେସାଦାର ଅପରାଧୀଙ୍କୁ ନିଯୁକ୍ତ କରାଯାଇଥିଲା ବୋଲି ଜଣାପଡ଼ିଛି। ତେବେ ଡାଏରୀରେ ଲେଖା ହୋଇଥିବା ସମସ୍ତ ତଥ୍ୟ କୋଡ୍ ଓ୍ୱାର୍ଡରେ ଲେଖାଯାଇଛି। ତେବେ କର୍ଣ୍ଣାଟକାରେ ହତ୍ୟାର ଶିକାର ହେବାକୁ ଥିବା ଅଧିକାଂଶ ବ୍ୟକ୍ତି ହିନ୍ଦୁ ବିରୋଧୀ ବୋଲି କୁହାଯାଇଛି।

ଡାଏରୀରେ ମିଳିଥିବା ସୂଚନା ଅନୁଯାୟୀ ସନ୍ଦିଗ୍ଧ ଅପରାଧୀ କାଲେ କର୍ଣ୍ଣାଟକା, ମହାରାଷ୍ଟ୍ର ଏବଂ ଗୋଆରେ ହିନ୍ଦୁତ୍ୱ ବାଦୀ ସଂଗଠନ ଦ୍ୱାରା ଆୟୋଜିତ ବିଭିନ୍ନ ସମାରୋହ ବେଳେ ‘ସାହସୀ’ ହତ୍ୟାକାରୀଙ୍କୁ ଚିହ୍ନଟ କରିଥିଲା।

ଗୌରୀ ଲଙ୍କେଶ୍ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ପର୍ଶୁରାମ ବାଘମାରେକୁ ସବୁଠୁ ଯୋଗ୍ୟ ଓ ସାହସୀ ଭାବେ ଚିହ୍ନଟ କରାଯାଇଥିଲା। ପର୍ଶୁରାମ ବିଜୟପୁରା ଅଞ୍ଚଳରେ ସାମ୍ପ୍ରଦାୟିକ ଦଙ୍ଗା ସୃଷ୍ଟି କରିବା ପାଇଁ ପାକିସ୍ତାନୀ ପତାକା ଉଡ଼ାଇଥିବାର ଅଭିଯୋଗ ରହିଛି।

ସୂଚନାଯୋଗ୍ୟ ଯେ ୫ ସେପ୍ଟେମ୍ୱର ୨୦୧୭ରେ ସାମ୍ୱାଦିକ ଗୌରୀ ଲଙ୍କେଶ୍ କାର୍ଯ୍ୟାଳୟରୁ ଘରକୁ ଫେରୁଥିଲେ। ଏହି ସମୟରେ ବାଇକରେ ଆସି ଦୁଇ ଜଣ ଲଙ୍କେଶଙ୍କୁ ତାଙ୍କୁ ଘର ସାମ୍ନାରେ ଗୁଳି କରି ହତ୍ୟା କରିଥିଲେ। ଏସଆଇଟି ଏହି ମାମଲାରେ ତଦନ୍ତ କରି ଏଯାଏ ୬ ଜଣଙ୍କୁ ଗିରଫ କରିଥିବା ବେଳେ ୩ ଜଣଙ୍କୁ ହତ୍ୟା ଷଡ଼ଯନ୍ତ୍ରରେ ସାମିଲ ଥିବା ଅଭିଯୋଗରେ ଗିରଫ କରିଛି। ଲଙ୍କେଶ ହିନ୍ଦୁ ବିରୋଧୀ ଥିଲେ ବୋଲି ଗିରଫ ଅଭିଯୁକ୍ତମାନେ ବିଚାର କରି ହତ୍ୟା କରିଥିଲେ ବୋଲି ଜଣାପଡ଼ିଛି।

ଏସଆଇଟି ପ୍ରାଥମିକ ତଦନ୍ତ ବେଳେ ଲଙ୍କେଶଙ୍କୁ ହତ୍ୟା କରିବା ପାଇଁ ବ୍ୟବହୃତ ରିଭଲଭର ପୂର୍ବରୁ ପ୍ରଫେସର କାଲବୁର୍ଗୀ ଏବଂ ମୁମ୍ୱାଇର ବାମପନ୍ଥୀ ବିଚାରଧାରାର ପ୍ରବକ୍ତା ଗୋବିନ୍ଦ ପାନସେରେଙ୍କୁ ହତ୍ୟା ପାଇଁ ବ୍ୟବହାର ହୋଇଥିଲା ବୋଲି ଜଣାପଡ଼ିଛି।