ବିହାରରେ ୩୨୫ ଓ ନାସିକ୍‌ରେ ୧୧୭ ବସ୍ତା ଗୋଦାମରୁ ପିଆଜ ଲୁଟ୍‌

ପାଟନା:ଆକାଶ ଛୁଆଁ ପିଆଜ ଦର ଏବେ ସାରା ଦେଶବାସୀଙ୍କୁ କନ୍ଦାଉଛି । କେଉଁଠି ପିଆଜ ମୂଲ୍ୟ କିଲୋ ପିଛା ୫୦ଟଙ୍କା ତ ଆଉ କେଉଁଠି ୮୦ଟଙ୍କା ରହିଛି । ଏଭଳି ସମୟରେ ବିହାରରେ ୮ ଲକ୍ଷ ଟଙ୍କାର ପିଆଜ ଗୋଦାମରୁ ଚୋରି ହୋଇଯାଇଛି । ସେହିପରି ନାସିକ୍‌ରେ ମଧ୍ୟ ୧ ଲକ୍ଷ ଟଙ୍କାର ପିଆଜ ଲୁଟେରା ଲୁଟି ନେଇଛନ୍ତି ।

ବିହାର ପାଟନା ଜିଲ୍ଲା ଅନ୍ତର୍ଗତ ଫତୁଆ ବ୍ଲକ୍‌ରେ ଧୀରଜ କୁମାର ନାମକ ଜଣେ ବ୍ୟବସାୟୀ ପ୍ରାୟ ୩୨୮ ବସ୍ତା ପିଆଜ ଗୋଦାମରେ ରଖିଥିଲେ । ଗତ ଶନିବାର ସେ ତାଲା ପକାଇ ଘରକୁ ଯାଇଥିଲେ । ମାତ୍ର ରବିବାର ସକାଳୁ ଆସି ଦେଖନ୍ତି ଯେ ଗୋଦାମରୁ ସବୁ ପିଆଜ ଲୁଟେରାମାନେ ଲୁଟି ନେଇଛନ୍ତି । ଯାହାର ମୂଲ୍ୟ ୮ ଲକ୍ଷ ଟଙ୍କା ହେବ । ଏହା ସହିତ ଆଲମାରିରେ ଥିବା ୧ ଲକ୍ଷ ୭୪ ହଜାର ଟଙ୍କା ଓ ଗାଡ଼ି ମଧ୍ୟ ନେଇଯାଇଛନ୍ତି । ଏ ନେଇ ବ୍ୟବସାୟୀ ଜଣକ ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଲୁଟେରାଙ୍କୁ ଧରିବାକୁ ତଦନ୍ତ ଆରମ୍ଭ କରିଛି ।

ସେହିପରି ନାସିକ୍‌ରେ ମଧ୍ୟ ୧ ଲକ୍ଷ ଟଙ୍କାର ପିଆଜ ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି । ଏ ନେଇ ଚାଷୀ ରାହୁଲ ବାଜିରାଓ ଥାନାରେ ଏତଲା ଦେଇଛନ୍ତି । ସେ ପ୍ରାୟ ୨୫ ଟନ୍‌ ପିଆଜ୍‌ ୧୧୭ଟି ବସ୍ତାରେ ରଖିଥିଲେ । କିନ୍ତୁ ରବିବାର ରାତିରେ ସେ ସବୁ ଲୁଟ ହୋଇଯାଇଛି । ଏ ନେଇ ସେ ସୋମବାର ଅଭିଯୋଗ କରିଛନ୍ତି ।