ନୂଆଦିଲ୍ଲୀ: ସାଇକେଲ ଚଳାଇବା ସ୍ବାସ୍ଥ୍ୟ ପାଇଁ ହିତକର। କିନ୍ତୁ ଆଜିକାଲି ଅଧିକାଂଶ ଯୁବପିଢ଼ି ଘରୁ କୁଆଡ଼େ ବାହାରିଲେ ବାଇକ୍ ନ ହେଲେ ହେଉନି। ମାତ୍ର ସେନାର ଜଣେ ୫୮ ବର୍ଷୀୟ ଜେନେରାଲ ନୂତନ ନିଯୁକ୍ତି ପାଇବା ପରେ ସେଠାକୁ ଦାୟିତ୍ଵ ଗ୍ରହଣ କରିବାକୁ ଯିବା ଲାଗି ୨୭୦ କିଲୋମିଟର ସାଇକେଲ ଯାତ୍ରା କରିବେ। ତାହା ପୁଣି ମାତ୍ର ୧୪ ଘଣ୍ଟାରେ। ଏହି ବ୍ୟକ୍ତି ହେଉଛନ୍ତି ସେନାର ଲ୍ୟୁଟ୍ନାଣ୍ଟ ଜେନେରାଲ ଆଲୋକ କ୍ଲେର। ସେ ବର୍ତ୍ତମାନ ସେନାର ପ୍ରଶିକ୍ଷଣ ନିର୍ଦେଶାଳୟର ମୁଖ୍ୟ ଅଛନ୍ତି। ତାଙ୍କୁ ରାଜସ୍ଥାନର ଜୟପୁରସ୍ଥିତ ସେନାର ଦକ୍ଷିଣ ପଶ୍ଚିମାଞ୍ଚଳ କମାଣ୍ଡାଣ୍ଟ ଭାବେ ନୂଆ ନିଯୁକ୍ତି ମିଳିଛି। ତେଣୁ ସେ ଦାୟିତ୍ଵ ଗ୍ରହଣ କରିବା ଲାଗି ନୂଆଦିଲ୍ଲୀରୁ ଜୟପୁର ସାଇକେଲ ଯାତ୍ରା କରିବାକୁ ସ୍ଥିର କରିଛନ୍ତି। ଆସନ୍ତା ଶନିବାର ରାତିରେ ସେ ତାଙ୍କର ଯାତ୍ରା ଆରମ୍ଭ କରିବେ ଏବଂ ପରଦିନ ଅର୍ଥାତ ରବିବାର ସେଠାରେ ପହଞ୍ଚିବେ। ସେନାର ଜଣେ ଜେନେରାଲ ହୋଇଥିବାରୁ ସେ ବିମାନରେ ମଧ୍ୟ ଯାତ୍ରା କରିପାରିଥାନ୍ତେ ଅଥବା ତାଙ୍କ ପାଇଁ ଉଦ୍ଦିଷ୍ଟ କାର୍ କାଭାଲକେଡ୍ ମଧ୍ୟରେ ଯାଇପାରିଥାନ୍ତେ। କିନ୍ତୁ ସେ ନିଜକୁ ସୁସ୍ଥ ମନେକରୁଥିବାରୁ ବିଳାସପୂର୍ଣ୍ଣ ଯାତ୍ରା ନ କରି ସାଇକେଲ୍ରେ ଯିବାକୁ ସ୍ଥିର କରିଥିବା କ୍ଲେର କହିଛନ୍ତି।
କ୍ଲେର କୁହନ୍ତି, ସାଇକେଲିଂ ସବୁଠାରୁ ଭଲ ବ୍ୟାୟାମ। ଏହା ପ୍ରତି ମୋର ଦୁର୍ବଳତା ରହିଛି। ଫିଟ୍ନେସ ଜଣେ ମଣିଷର ବ୍ୟକ୍ତିଗତ ମିଶନ। ଏଥିରେ ସଂସ୍ଥା କୌଣସି ଧାର୍ଯ୍ୟ କରେନାହିଁ। ମୁଁ ଏହା ଜରିଆରେ ମୋ ଅଧୀନରେ କାର୍ଯ୍ୟରତ କମାଣ୍ଡରମାନଙ୍କୁ ଫିଟ୍ନେସ ବାର୍ତ୍ତା ଦେବାକୁ ମଧ୍ୟ ଚାହୁଁଛି। ତେବେ ତାଙ୍କର ଏହି ଯାତ୍ରା ସମୟରେ ଦୁଇ ପୁଅ ଐମାନ ଏବଂ ଅର୍ମାନ ସହଯୋଗ କରିବେ। ୧୪ ଘଣ୍ଟା ମଧ୍ୟରେ ଯାତ୍ରା ଶେଷ କରିବାକୁ ସେ ଲକ୍ଷ୍ୟ ରଖିଥିବା କ୍ଲେର କହିଛନ୍ତି। ସ୍କାଇ ଡାଇଭିଂ, ସ୍କୁବା ଡାଇଭିଂ ଏବଂ ପର୍ବତାରୋହଣ ଭଳି ଦୁଃସାହସିକ କାର୍ଯ୍ୟରେ ତାଙ୍କର ବେଶୀ ପସନ୍ଦ ବୋଲି ସେ କହିଛନ୍ତି।
ସେନାର ଜଣେ ଅଧିକାରୀ ନାମ ଗୋପନ ରଖି କହିଛନ୍ତି, କୌଣସି ଅଧିକାରୀ ଦାୟିତ୍ଵ ଗ୍ରହଣ କରିବାକୁ ଯିବା ପାଇଁ ଏଭଳି ଦୀର୍ଘ ପଥ ସାଇକେଲିଂ କରି ଯିବାର ମୁଁ କେବେ ଜାଣିନାହିଁ। ଯୁବ ଅଫିସରମାନେ ଏଥିରୁ ପ୍ରେରଣା ଲାଭ କରିବା ଉଚିତ।