ଆଜି ସେନା ଦିବସ: ଯୁଦ୍ଧ ସ୍ମାରକୀଠାରେ ସିଡିଏସ୍ ଙ୍କ ସହ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ୩ ସେନାର ମୁଖ୍ୟ

ନୂଆଦିଲ୍ଲୀ: ଆଜି ସେନା ଦିବସ । ଏହି ଅବସରରେ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍‌(ସିଡିଏସ୍‌) ଙ୍କ ସହ ୩ ସେନାର ମୁଖ୍ୟ ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକ ନିକଟରେ ପହଂଚି ଶଦୀଦଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ଏହି ସମୟରେ ବହୁ ବରିଷ୍ଠ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ ।

ସ୍ଥଳ ସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରୱାଣେ ସ୍ଥଳସେନାର ସମସ୍ତ ସୈନିକଙ୍କ ପରିବାର, ଭାରତୀୟ ସଶସ୍ତ୍ର ବାହିନୀ, ବୀର ନାରୀ, ସୈନିକଙ୍କୁ ସୈନ୍ୟ ଦିବସର ଶୁଭକାମନା ଜଣାଇଛନ୍ତି। ସେ ସମସ୍ତଙ୍କୁ ସଫଳତା, ଯଶ ଏବଂ ଗୌରବ ବୃଦ୍ଧିର ମଧ୍ୟ ଶୁଭକାମନା ଜଣାଇଛନ୍ତି।

ଭାରତ ଆଜି ୭୨ତମ ସେନା ଦିବସ ପାଳନ କରୁଛି। ୧୯୪୯ ଜାନୁଆରୀ ୧୫ରେ ଭାରତର ଶେଷ ବ୍ରିଟିଶ୍ କମାଣ୍ଡର-ଇନ-ଚିଫ୍ ଜେନେରାଲ ଫ୍ରାନ୍ସିସ୍ ବୁଚରଙ୍କ ସ୍ଥାନରେ ତତ୍କାଳୀନ ଲେପଟାଂଟ ଜେନେରାଲ କେ ଏମ୍ କରିୟପ୍ପା ଭାରତୀୟ ସେନାର କମାଣ୍ଡର-ଇନ-ଚିଫ୍ ହୋଇଥିଲେ। କରିୟପ୍ପାଙ୍କ ପରେ ଫିଲ୍ଡ ମାର୍ଶଲ ଦାୟିତ୍ଵ ନେଇଥିଲେ।

ଭାରତୀୟ ସେନାର ଗଠନ ୧୭୭୬ରେ ଇଷ୍ଟ ଇଣ୍ଡିଆ କମ୍ପାନୀ କୋଲକାତାରେ କରିଥିଲା। ଭାରତୀୟ ସ୍ଥଳ ସେନାର ଶୁଭାରମ୍ଭ ଇଷ୍ଟ ଇଣ୍ଡିଆ କମ୍ପାନୀର ସୈନ୍ୟର ଏକ ଅଂଶ ରୂପରେ ଗଠନ କରାଯାଇଥିଲା। ପରେ ଏହା ବ୍ରିଟିଶ୍ ଭାରତୀୟ ସେନା ରୂପରେ ପରିଣତ ହୋଇଥିଲା ଏବଂ ସ୍ଥଳ ସେନା ରୂପରେ ନାମିତ ହୋଇଥିଲା।