ବିପିନ ରାୱତ୍ ହେଲେ ଭାରତର ପ୍ରଥମ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍

ନୂଆଦିଲ୍ଲୀ: ଦେଶର ସେନାମୁଖ୍ୟ ଜେନେରାଲ ବିପିନ୍ ରାୱତ୍ ହେଲେ ଭାରତର ପ୍ରଥମ ଚିଫ୍ ଅଫ୍ ଡିଫେନ୍ସ(ସିଡିଏସ୍) । ଆଜି ତାଙ୍କୁ ଏହି ପଦବୀରେ ନିଯୁକ୍ତି ଦିଆଯାଇଛି । ସେନାମୁଖ୍ୟ ଭାବେ ଜେନେରାଲ ରାୱତ୍ ୩ବର୍ଷର କାର୍ଯ୍ୟକାଳ ଶେଷ କରି ଆସନ୍ତାକାଲି ଏହି ପଦବୀରୁ ଅବସର ଗ୍ରହଣ କରିବାର ଥିଲା । ମାତ୍ର ଏହାପୂର୍ବରୁ କେନ୍ଦ୍ର ସରକାର ତାଙ୍କୁ ନୂତନ ପଦବୀ ଅର୍ଥାତ୍ ସିଡିଏସ୍ ରେ ନିଯୁକ୍ତି ପ୍ରଦାନ କରିଛନ୍ତି ।

ଉଲ୍ଲେଖଯୋଗ୍ୟ, ଗତ ୨୪ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା କ୍ୟାବିନେଟ ବୈଠକରେ ନୂତନ ଭାବେ ସୃଷ୍ଟି ହେବାକୁ ଥିବା ଏହି ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌ (ସିଡିଏସ୍‌) ପଦବୀକୁ ବିଧିବଦ୍ଧ ଭାବେ ମଞ୍ଜୁରି ମଳିବା ସହ ଏହି ପଦବୀର କାର୍ଯ୍ୟଧାରାକୁ ମଧ୍ୟ ଚୂଡ଼ାନ୍ତ କରାଯାଇଥିଲା। ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌ (ସିଡିଏସ୍‌) ତିନିସେନା- ସ୍ଥଳ, ବାୟୁ ଓ ନୌ ସେନାର- ମୁଖ୍ୟ ଭାବେ କାର୍ଯ୍ୟ କରିବା ସହ ଦେଶର ପ୍ରତିରକ୍ଷା ମନ୍ତ୍ରୀଙ୍କର ପ୍ରମୁଖ ଉପଦେଷ୍ଟା ଭାବେ ମଧ୍ୟ ନିଜର ଦାୟିତ୍ୱ ନିର୍ବାହ କରିବେ।

ଏହି ନୂତନ ପଦବୀରେ ନିଯୁକ୍ତି ପାଉଥିବା ବ୍ୟକ୍ତି ୬୫ ବର୍ଷ ବୟସ ସୀମା ପର୍ଯ୍ୟନ୍ତ ଏହି ପଦବୀରେ ରହି କାର୍ଯ୍ୟ ସଂପାଦନ କରି ପାରିବେ। ଭାରତୀୟ ସେନା ଆଇନ୍‌, ୧୯୫୪କୁ ସଂଶୋଧନ କରି କେନ୍ଦ୍ର ସରକାର ଏହି ନୂତନ ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌ (ସିଡିଏସ୍‌) ପଦବୀର ସୃଷ୍ଟି କରିଛନ୍ତି।