୫୦ ହଜାର କୋଟି ନିବେଶ କରି କେନ୍ଦ୍ରାପଡ଼ାରେ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା କରିବ ଆର୍ସେଲର ମିତ୍ତଲ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କମ୍ପାନିର ଅଧ୍ୟକ୍ଷ ଲକ୍ଷ୍ମୀ ନିବାସ ମିତ୍ତଲ ଉପସ୍ଥିତରେ ଏମଓୟୁ (ବୁଝାମଣାପତ୍ର) ସ୍ବାକ୍ଷରିତ
ଭୁବନେଶ୍ବର : କେନ୍ଦ୍ରାପଡ଼ା ଜିଲ୍ଲାରେ ଏକ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା କରିବାକୁ ବିଶ୍ବର ବୃହତ୍ତମ ଷ୍ଟିଲ କମ୍ପାନି ଆର୍ସେଲର ମିତ୍ତଲ-ନିପ୍ପନ ଷ୍ଟିଲ ଓଡ଼ିଶା ସରକାରଙ୍କ ସହ ଏମଓୟୁ କରିଛି । ଏହି ଷ୍ଟିଲ ପ୍ଲାଣ୍ଟର କ୍ଷମତା ବାର୍ଷିକ ୧୨ ନିୟୁତ ଟନ ବିଶିଷ୍ଟ ହେବ ଓ ଏହି ପ୍ରକଳ୍ପରେ କମ୍ପାନି ପ୍ରାୟ ୫୦ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ କରିବ ।
ଆଜି ଲୋକସେବା ଭବନର ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ସମାରୋହରେ ଏହି ଏମଓୟୁ (ବୁଝାମଣାପତ୍ର) ସ୍ବାକ୍ଷରିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କମ୍ପାନିର ଅଧ୍ୟକ୍ଷ ଲକ୍ଷ୍ମୀ ନିବାସ ମିତ୍ତଲ ଉପସ୍ଥିତ ଥିଲେ ।
ଗତ ୨୦୧୯ରେ ଆର୍ସେଲର ମିତ୍ତଲ-ନିପ୍ପନ ଷ୍ଟିଲ ଓଡ଼ିଶାର ପାରାଦୀପଠାରେ ଥିବା ଏସାର ଷ୍ଟିଲର ପେଲେଟ, ବେନିଫିସିଏସନ ପ୍ରକଳ୍ପ ଓ ପାଇପଲାଇନକୁ ଖରିଦ କରିଥିଲା । ଗତ ବର୍ଷ ହୋଇଥିବା ଖଣି ନିଲାମରେ ମଧ୍ୟ ଆର୍ସେଲର ମିତ୍ତଲ ଠାକୁରାଣୀ ଓ ସାଗସାହି ଲୁହାପଥର ଖଣି ହାସଲ କରିଥିଲା ।
arcellor mittal Mou with odisha governmet to set up 12 mtpa steel plant at kendrapada