ଦକ୍ଷିଣ କଶ୍ମୀରରେ ପ୍ରବଳ ତୁଷାରପାତ

ଶ୍ରୀନଗର: ସମଗ୍ର ଦେଶରେ ଶୀତ ଆରମ୍ଭ ହୋଇଯାଇଛି । ଉତ୍ତର ଭାରତରେ ଶୀତ ଅଧିକ ଅନୁଭୂତ ହେଉଛି । ହିମାଚଳ ପ୍ରଦେଶ ସମେତ ଜମ୍ମୁ କଶ୍ମୀରରେ ଶୀତ ଆହୁରି ଅଧିକ ହେଉଛି । ଦକ୍ଷିଣ କଶ୍ମୀରରେ ତୁଷାରପାତ ଦେଖାଯାଇଛି । ତୁଷାରପାତ ଯୋଗୁଁ ସେଓ ବଗିଚାରେ ବ୍ୟାପକ କ୍ଷୟକ୍ଷତି ହେଉଛି । ପୁଲୱାମା ଓ ସୋପିଆ ଜିଲ୍ଲାରେ କିଛି ଦିନ ହେବ ପ୍ରବଳ ମାତ୍ରାରେ ତୁଷାରପାତ ଦେଖାଯାଉଛି । ତେଣୁ ସେଓ ବଗିଚାଗୁଡ଼ିକ ଉଜୁଡ଼ି ଯାଇଛି । 

ଦକ୍ଷିଣ କଶ୍ମୀରେ ସେଓ ବଗିଚା ଉଜୁଡ଼ିଯିବା ନେଇ ପୁଲୱାମା ମୁଖ୍ୟ ଉଦ୍ୟାନ ଅଧିକାରୀ ଆର.କେ କୋଟୱାଲ କହିଛନ୍ତି, କ୍ଷତିଗ୍ରସ୍ତ ଅଂଚଳ ବୁଲିବା ପାଇଁ ଆମେ ଏକ ଟିମ ଗଠନ କରିଛୁ । ଏହି ଟିମ ସେଓ ବଗିଚାକୁ ଯାଇ କ୍ଷୟକ୍ଷତିର ଆକଳନ କରିବେ । ଚାଷୀଙ୍କୁ ସହାୟତା ଦେବା ପାଇଁ ଆମେ ସରକାରଙ୍କୁ ଏକ ରିପୋର୍ଟ ଦାଖଲ କରିବୁ । 

କଶ୍ମୀରରେ ଏବେ ଚାଷୀମାନେ ସେଓ ଅମଳ କରୁଛନ୍ତି । ମାତ୍ର ଫସଲ ଅମଳ ସମୟରେ ପ୍ରବଳ ତୁଷାରପାତ ହେଉଥିବାରୁ ଚାଷୀମାନେ ଭାଙ୍ଗିପଡ଼ିଛନ୍ତି । ତୁଷାରପାତ ଯୋଗୁଁ କୋଟି କୋଟି ଟଙ୍କାର ଫସଲ ନଷ୍ଟ ହେଉଛି । ଚଳିତ ମାସ ୭ ତାରିଖରେ ମଧ୍ୟ ଦକ୍ଷିଣ କଶ୍ମୀରେ ପ୍ରବଳ ତୁଷାରପାତ ହୋଇଥିଲା । ସୋପିଆ, ପୁଲୱାମା, ଅନନ୍ତନାଗ ଜିଲ୍ଲାରେ ବ୍ୟାପକ ମାତ୍ରାରେ ସେଓ ବଗିଚା ନଷ୍ଟ ହୋଇଥିଲା । 

ଗଣମାଧ୍ୟମର ରିପୋର୍ଟ ଅନୁସାରେ ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରାଯିବା ପରେ କଶ୍ମୀରରେ ଏଯାଏଁ ୧୦ ହଜାର କୋଟି ଟଙ୍କା ବ୍ୟବସାୟ କ୍ଷତି ହୋଇସାରିଛି । ଘାଟୀରୁ ମୋବାଇଲ ଓ ଇଣ୍ଟରନେଟ ସେବା ବନ୍ଦ କରି ଦିଆଯିବା ପରେ ଲୋକେ ବହୁ ହଇରାଣ ହେଉଛନ୍ତି ।