ଅଯୋଧ୍ୟା ମାମଲା: ମଧ୍ୟସ୍ଥତା ପ୍ୟାନେଲ୍ ଦାଖଲ କଲେ ରିପୋର୍ଟ

ନୂଆଦିଲ୍ଲୀ: ଅଯୋଧ୍ୟାର ବହୁ ଚର୍ଚ୍ଚିତ ରାମ ମନ୍ଦିର-ବାବ୍ରୀ ମସଜିଦ୍‌ ଜମି ବିବାଦ ଘଟଣାରେ ଆଜି ମଧ୍ୟସ୍ଥତା ପ୍ୟାନେଲ ସୁପ୍ରିମକୋର୍ଟଙ୍କ ନିକଟରେ ତାଙ୍କ ଚୂଡ଼ାନ୍ତ ଷ୍ଟାଟସ୍‌ ରିପୋର୍ଟ ଦାଖଲ କରିଛନ୍ତି। ମଧ୍ୟସ୍ଥତା ପ୍ୟାନେଲ ପକ୍ଷରୁ ଏକ ଜଉମୁଦ ଥିବା କଭର୍‌ରେ ଏହି ରିପୋର୍ଟକୁ ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇଙ୍କ ଖଣ୍ଡପୀଠ ନିକଟରେ ଦାଖଲ କରାଯାଇଛି।

ଖଣ୍ଡପୀଠ ଏହାର ତର୍ଜମା କରିବା ପରେ ଆସନ୍ତାକାଲି ଦିନ ୨ଟାରେ ଏହି ପ୍ରସଙ୍ଗରେ ଶୁଣାଣି କରିବେ। ଶୁଣାଣି ପରେ ଏହି ଜମି ବିବାଦ ଘଟଣାର ଦୈନିକ ଶୁଣାଣି ହେବ ନା ମଧ୍ୟସ୍ଥତା ପ୍ୟାନେଲକୁ ବୁଝାମଣା ପାଇଁ ଅଧିକ ସମୟ ଦିଆଯିବ, ସେ ସମ୍ପର୍କରେ ସୁପ୍ରିମକୋର୍ଟ ରୁଲିଂ ଦେବେ।

ଏହାପୂର୍ବରୁ ଜୁଲାଇ ୧୮ରେ ସୁପ୍ରିମକୋର୍ଟ ମାମଲାର ଶୁଣାଣି କରି ଜୁଲାଇ ୩୧ ସୁଦ୍ଧା ମଧ୍ୟସ୍ଥତା ପ୍ୟାନେଲକୁ ଷ୍ଟାଟସ୍‌ ରିପୋର୍ଟ ଦେବାକୁ କହିଥିଲେ। ଅଯୋଧ୍ୟା ଜମି ବିବାଦ ମାମଲାର ଶୁଣାଣି ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇଙ୍କ ନେତୃତ୍ୱାଧୀନ ସାମ୍ବିଧାନିକ ଖଣ୍ଡପୀଠରେ ହେଉଛି।

ଏହି ଖଣ୍ଡପୀଠରେ ଜଷ୍ଟିସ୍‌ ଗୋଗୋଇଙ୍କ ବ୍ୟତୀତ ଜଷ୍ଟିସ୍‌ ଏସ୍‌ ବୋବଡେ, ଜଷ୍ଟିସ୍‌ ଡିୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ୍‌ ଅଶୋକ ଭୂଷଣ ଓ ଜଷ୍ଟିସ୍‌ ଏସ୍‌ ଅବଦୁଲ ନଜିର ସଦସ୍ୟ ରହିଛନ୍ତି। ଆସନ୍ତାକାଲି ଏହି ସାମ୍ବିଧାନିକ ଖଣ୍ଡପୀଠ ମାମଲାର ଶୁଣାଣି କରିବେ।

ଜମି ବିବାଦରେ ସାମିଲ ଥିବା ବିଭିନ୍ନ ପକ୍ଷଙ୍କ ସହ ଆଲୋଚନା କରିବା ପାଇଁ ସୁପ୍ରିମକୋର୍ଟ ପୂର୍ବତନ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଏଫ୍‌ଏମଆଇ କାଲିଫୁଲ୍ଲାଙ୍କ ନେତୃତ୍ୱରେ ୩ ଜଣିଆ ପ୍ୟାନେଲ ଗଠନ କରିଥିଲେ। ଏଥିରେ ଆଧ୍ୟାତ୍ମିକ ଧର୍ମଗୁରୁ ଶ୍ରୀ ଶ୍ରୀ ରବିଶଙ୍କର ଓ ବରିଷ୍ଠ ଓକିଲ ଶ୍ରୀରାମ ପଞ୍ଚୁ ସଦସ୍ୟ ରହିଥିଲେ। ଏମାନେ ବିଭିନ୍ନ ପକ୍ଷଙ୍କ ସହ ଆଲୋଚନା କରି ସେମାନଙ୍କ ରିପୋର୍ଟ ପ୍ରସ୍ତୁତ କରିଛନ୍ତି।

ଗତ ୧୧ ତାରିଖରେ ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇ ମଧ୍ୟସ୍ଥତା କାର୍ଯ୍ୟର ଅଗ୍ରଗତି ନେଇ ରିପୋର୍ଟ ମାଗିଥିଲେ। ଏଥିସହିତ ସେ କହିଥିଲେ ମଧ୍ୟସ୍ଥି କମିଟିର ରିପୋର୍ଟ ସନ୍ତୋଷଜନକ ନହେଲେ, ସୁପ୍ରିମକୋର୍ଟ ଏହି ମାମଲାରେ ଜୁଲାଇ ୨୫ରୁ ପ୍ରତିଦିନ ଶୁଣାଣି କରିବେ। ହେଲେ ପରେ ଏହି ତାରିଖକୁ ଅଗଷ୍ଟ ୨ ପର୍ଯ୍ୟନ୍ତ ବଢ଼ାଇଥିଲେ ଏବଂ ମଧ୍ୟସ୍ଥି କମିଟି ଜୁଲାଇ ୩୧ ତାରିଖ ଯାଏ ଏହି ମାମଲା ବାବଦରେ ହିନ୍ଦୁ ଏବଂ ମୁସଲିମ ପକ୍ଷଙ୍କ ସହିତ ଆଲୋଚନା କରିପାରିବେ ବୋଲି ସୁପ୍ରିମକୋର୍ଟ କହିଥିଲେ।

ଆହ୍ଲାବାଦ ହାଇକୋର୍ଟ ଅଯୋଧ୍ୟା ମାମଲାରେ ୨୦୧୦ରେ ବିବାଦୀୟ ୨.୭୭ ଏକର ଜମିକୁ ସୁନ୍ନି ୱାକଫ ବୋର୍ଡ, ନିର୍ମୋହି ଆଖଡ଼ା ଓ ରାମ ଲଲ୍ଲାଙ୍କ ମଧ୍ୟରେ ସମାନ ୩ ଭାଗରେ ବାଣ୍ଟି ଦେବାକୁ ରାୟ ଦେଇଥିଲେ। କିନ୍ତୁ ୨୦୧୧ରେ ସୁପ୍ରିମକୋର୍ଟ ଆହ୍ଲାବାଦ ହାଇକୋର୍ଟ ଦେଇଥିବା ରାୟ ଉପରେ ରୋକ ଲଗାଇଥିଲେ। ତେବେ ଏହା ବିରୋଧରେ ୧୪ଟି ଆବେଦନ ସୁପ୍ରିମକୋର୍ଟରେ ହୋଇସାରିଛି।