ସଂସଦରେ ସ୍ମାର୍ଟସିଟିର ଜଳବନ୍ଦୀ କଥା ଉଠାଇଲେ ଅପରାଜିତା

ନୂଆଦିଲ୍ଲୀ: ଭୁବନେଶ୍ୱରର ଜଳବନ୍ଦୀ ସମସ୍ୟାକୁ ନେଇ ଲୋକସଭାରେ ପ୍ରସଙ୍ଗ ଉଠାଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ | ଘଣ୍ଟାଏ ବର୍ଷାରେ ଭୁବନେଶ୍ୱରରେ ଜଳବନ୍ଦୀ ସମସ୍ୟା ସୃଷ୍ଟି ହେଉଥିବା ପ୍ରସଙ୍ଗ ସେ ଗୃହରେ ଉଠାଇବା ସହ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ମିଳିତ ଭାବେ ଏହି ସମସ୍ୟାର ସମାଧାନ କରିବାକୁ ଦୃଷ୍ଟି ଆକର୍ଷଣ କରିଛନ୍ତି | ଜଳଶକ୍ତି ମନ୍ତ୍ରାଳୟ ଓ ରାଜ୍ୟ ସରକାର ମିଳିତ ଭାବେ କୌଣସି ବାଟ ବାହାର କରିବାକୁ ସେ ଲୋକସଭାରେ ଅନୁରୋଧ କରିଛନ୍ତି | ଅପରାଜିତା କହିଛନ୍ତି ଯେ ମାତ୍ର ଘଣ୍ଟାଏ ବର୍ଷା ହେବା ଦ୍ୱାରା ଭୁବନେଶ୍ୱରରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହେଉଛି |

ଯାହାଫଳରେ ସହରବାସୀ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିବାବେଳେ କିଭଳି ଭୁବନେଶ୍ୱରର ଡ୍ରେନ ଗୁଡିକୁ ମରାମତି କରାଯାଇ ଜଳ ନିଷ୍କାସନ ସୁଗମ କରାଯାଇପାରିବ ସେଥିପ୍ରତି ଦୃଷ୍ଟି ଦେବାକୁ ଅପରାଜିତା ଦାବି କରିଛନ୍ତି | ଏଥିପାଇଁ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କରି ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାକୁ ଅପରାଜିତା ବାଚସ୍ପତିଙ୍କୁ ଅନୁରୋଧ କରିଛନ୍ତି |