ଦେଶ ଭଗତ ବିଶ୍ୱବିଦ୍ୟାଳୟ ତରଫରୁ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ଶ୍ରୀଯୁକ୍ତ ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ସମ୍ମାନଜନକ ଡକ୍ଟରେଟ

ପଞ୍ଜାବ: ପଞ୍ଜାବର ମଣ୍ଡି ଗୋବିନ୍ଦଗଡ଼ ସ୍ଥିତ ଦେଶ ଭଗତ ବିଶ୍ୱବିଦ୍ୟାଳୟର ୭ମ ସମାବର୍ତ୍ତନ ଉତ୍ସବରେ ଫେବ୍ରୁଆରୀ ୧୪ ତାରିଖରେ ମୁଖ୍ୟ ଅତିଥି ଭାବେ ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ ଶ୍ରୀଯୁକ୍ତ ବିଶ୍ୱଭୂଷଣ ହରିଚନ୍ଦନ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କ ଉଦ୍ଦେଶ୍ୟରେ ଦୀକ୍ଷାନ୍ତ ଭାଷଣ ଦେଇଥିଲେ ।

ଉକ୍ତ ଉତ୍ସବରେ ଦେଶ ଭଗତ ବିଶ୍ୱବିଦ୍ୟାଳୟ ତରଫରୁ ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ ଶ୍ରୀଯୁକ୍ତ ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ଦେଶସେବାରେ ତାଙ୍କର ଅସାଧାରଣ ସହଭାଗୀତା, ଜାତୀପ୍ରତି ଅତୁଳନୀୟ ଅବଦାନ, ସାମାଜିକ, ସାଂସ୍କୃତିକ ଓ ସାହିତ୍ୟ ଆଦି କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ସାମାଜୀକ ମାନବାଧିକାର ସମ୍ମାନଜନକ ଡକ୍ଟରେଟ୍ ଉପାଧିରେ ଭୁଷିତ କରିଛନ୍ତି ।

ପ୍ରକାଶଥାଉକି ଶ୍ରୀ ହରିଚନ୍ଦନ ପାଞ୍ଚଥର ବିଧାୟକ ଓ ୪ଥର ବିଭିନ୍ନ ବିଭାଗରେ ମନ୍ତ୍ରୀ ରହି ଓଡ଼ିଶାର ଉନ୍ନତି ଓ ବିକାଶ ସଫଳତାର ସହିତ କରିଆସିଛନ୍ତି । ସେ ୧୯୬୨ ମସିହାରେ ପେସାଦାର ଆଇନଜ୍ଞ ଭାବେ ଓଡ଼ିଶା ହାଇକୋର୍ଟର ବାର୍ ଆସୋସିଏସନରେ ଯୋଗ ଦେଇଥିଲ ଓ ପରେ ଓଡ଼ିଶା ରାଜ୍ୟ ବାର୍‌କାଉନ୍‌ସିଲ୍‌ର ଜଣେ ନିର୍ବାଚିତ ପ୍ରତିନିଧି ଭାବେ ନିର୍ବାଚିତ ହୋଇଥିଲେ । ୧୯୭୧ ମସିହାରେ ଭାରତୀୟ ଜନସଂଘରେ ଯୋଗଦାନ କରିଥିଲେ ଓ ୧୯୭୭ ରେ ଓଡ଼ିଶା ବିଧାନସଭାକୁ ପ୍ରଥମ ଥର ପାଇଁ ନିର୍ବାଚିତ ହୋଇଥିଲେ । ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରାଗାନ୍ଧୀଙ୍କ ଏକଛତ୍ରବାଦୀ ଶାସନ ବିରୋଧରେ ଜୟ ପ୍ରକାଶ ନାରାୟଣଙ୍କ ନେତୃତ୍ୱରେ ସାରାଭାରତରେ ଚାଲିଥିବା ଜରୁରୀକାଳୀନ ପରସ୍ଥିତି ସମୟରେ ଜନସଚେତନତା ସୃଷ୍ଟି କରି କାରାବରଣ କରିଥିଲେ ।

୧୯୭୪ ରେ ସୁପ୍ରିମ୍‌କୋର୍ଟର କ୍ଷମତାକୁ ସଙ୍କୁଚିତ କରି ବିଚାର ବିଭାଗର ସ୍ୱାଧିନତା ଉପରେ ଶ୍ରୀମତୀ ଗାନ୍ଧୀ ଯେଉଁ ଆକ୍ରମଣ କରିଥିଲେ ତା ବିରୁଦ୍ଧରେ ସମଗ୍ର ଦେଶରେ ହୋଇଥିବା ଆଇନିଜୀବୀଙ୍କ ଆନ୍ଦୋଳନରେ ଓଡ଼ିଶାରେ ନେତୃତ୍ୱନେଇଥିଲେ । ରାଜସ୍ୱ, ଆଇନ, ଗ୍ରାମ୍ୟଉନ୍ନୟନ, ଶୀଳ୍ପ, ଖାଦ୍ୟ ଏବଂ ଯୋଗାଣ, ଶ୍ରମନିଯୁକ୍ତି,  ହାଉସିଙ୍ଗ, ସଂସ୍କୃତି, ମତ୍ସ୍ୟ ଏବଂ ପଷୁ ସଂପଦ ଆଦି ବିଭାଗରେ ମନ୍ତ୍ରୀଭାବେ ତାଙ୍କର ପାରଦର୍ଶିତା ଦେଖାଇ ବେଶ୍ ଲୋକପ୍ରିୟତା ହାସଲ କରିଛନ୍ତି । ସେ ଭାରତୀୟ ଜନତା ପାର୍ଟି ଓଡ଼ିଶା ପ୍ରଦେଶର ପ୍ରଥମ ରାଜ୍ୟ ସଭାପତି ହୋଇ ୪ଥର ଦଳର ସଭାପତି ଭାବେ ଗୁରୁ ଦାୟିତ୍ୱ ବହନ କରି ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ପ୍ରୀତିଭାଜନ ହୋଇପାରିଥିଲେ । ଶ୍ରୀ ହରିଚନ୍ଦନଙ୍କ ରାଜ୍ୟ ଓ ଦେଶ ପାଇଁ ରାଜନୈତିକ, ସାମାଜିକ ଓ ସାଂସ୍କୃତିକ କ୍ଷେତ୍ରରେ ବଳିଷ୍ଟ ସେବା ଓ ଅବଦାନ ପାଇଁ ଓଡ଼ିଶାରେ ଲୋକପ୍ରିୟତା ହାସଲ କରିଛନ୍ତି । ସାହିତ୍ୟ କ୍ଷେତ୍ରରେ ମଧ୍ୟ ଜଣେ ନାଟ୍ୟକାର ଓ ସ୍ତମ୍ବକାର ଭାବରେ ସୁନାମ ଅର୍ଜନ କରିଛନ୍ତି । ଶ୍ରୀଯୁକ୍ତ ହରିଚନ୍ଦନ ବର୍ତ୍ତମାନ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଭାବେ କାର୍ଯ୍ୟନିର୍ବାହ କରୁଛନ୍ତି ।