ପୁଣି ଅଡୁଆରେ ଅନୁଭବ ମହାନ୍ତି

ବିଜେଡି ଛାଡ଼ି ବିଜେପି ଗଲେ ହେଲେ ମିଳିଲାନି ଟିକେଟ୍ । ଆଉ ଏବେ ପୁଣି ଅଡୁଆରେ ଅଭିନେତା ତଥା ବିଜେପି ନେତା ଅନୁଭବ ମହାନ୍ତି। ବର୍ଷାଙ୍କ ନିର୍ଯାତନା ଅଭିଯୋଗ ମାମଲାରେ କଟକ ଜେଏମଏଫସି କୋର୍ଟ ଅନୁଭବ ମହାନ୍ତିଙ୍କ ଆବେଦନ ଖାରଜ କରିଦେଇଛନ୍ତି ।

ଅନୁଭବଙ୍କ ବିରୋଧରେ ଚାର୍ଜଫ୍ରେମ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଅନୁଭବଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶନୀଙ୍କ ପକ୍ଷରୁ କରାଯାଇଥିବା ଘରୋଇ ହିଂସା ମାମଲାର ଶୁଣାଣି କରି ଏଭଳି ନିର୍ଦ୍ଦେଶ ଦେଇଛନ୍ତି କଟକ ଜେଏମଏଫସି ସ୍ୱତନ୍ତ୍ର କୋର୍ଟ ।

ଅଭିଯୋଗ ମିଥ୍ୟା ଦର୍ଶାଇ ଡିସଚାର୍ଜ ପିଟିସନ ଦାୟର କରିଥିଲେ ଅନୁଭବ । ଅନ୍ୟପଟେ ମେ’ ୧୦ରେ ଚାର୍ଜଫ୍ରେମ ପାଇଁ ଜେଏମଏଫସି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ, ଏମ୍‌ପି ଅନୁଭବ ମହାନ୍ତିଙ୍କ ବିରୋଧରେ ବର୍ଷା ନିର୍ଯାତନା ମାମଲା ରୁଜୁ କରିଥିବା ବେଳେ ଏହାକୁ ରଦ୍ଦ କରିବା ପାଇଁ ଅନୁଭବ ଏମ୍‌ପି ଏମ୍‌ଏଲେ କୋର୍ଟରେ ଅନୁରୋଧ କରିଥିଲେ । ହେଲେ ଏହାକୁ ବର୍ଷାଙ୍କ ପକ୍ଷରୁ ବିରୋଧ କରାଯିବା ସହ ଏହି ମାମଲାରେ ଚାର୍ଜଫ୍ରେମ ପାଇଁ ଯୁକ୍ତି ରଖିଥିଲେ ।

ଅନୁଭବଙ୍କ ବିରୋଧରେ କଟକ ପୁରୀଘାଟ ଥାନରେ ବର୍ଷା ଅଭିଯୋଗ କରିଥିଲେ । ଏହି ମାମଲା ଏବେ କୋର୍ଟରେ ବିଚାରଧୀନ ଅଛି । ଏହି ମାମଲାରେ ଅନୁଭବଙ୍କ ଡିସଚାର୍ଜ ଆବଦେନର ଗତକାଲି ଶୁଣାଣି ହୋଇଥିଲା । ମାମଲାର ଶୁଣାଣି କରି ଏଭଳି ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।