ଦୁର୍ନୀତି ନିବାରଣ ବିଭାଗର ପକ୍ଷରୁ ମେହବୁବା ମୁଫତୀଙ୍କୁ ନୋଟିସ

ନୂଆଦିଲ୍ଲୀ: କାଶ୍ମୀରରେ ଗୋଟିଏ ପରେ ଗୋଟିଏ ଆଡଭାଇଜରୀ ଜାରି କରାଯାଉଥିବା ବେଳେ ଅନ୍ୟପଟେ ରାଜ୍ୟରେ ରାଜନୈତିକ ମହଲରେ ହଇଚଇ ସୃଷ୍ଟି ହୋଇଛି । ରବିବାର ଦିନ ମେହବୁବା ଏହା ଉପରେ ସାମ୍ୱାଦିକ ସମ୍ମିଳନୀ କରି ସରକାର କାଶ୍ମୀରକୁ ନେଇ ସ୍ପଷ୍ଟ ପ୍ରତିକ୍ରିୟା ରଖୁନଥିବା କହିଛନ୍ତି । ଅନ୍ୟପଟେ ଦୁର୍ନୀତି ନିବାରଣ ବିଭାଗ କାଶ୍ମୀର, ମେହବୁବା ମୁଫତୀଙ୍କୁ ଚିଠି ଲେଖିଛନ୍ତି । ଏହି ଚିଠିରେ କୁହାଯାଇଛି ଯେ କିଛି ମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ ଜାମ୍ମୁ-କାଶ୍ମୀର ବ୍ୟାଙ୍କର ଚେୟରମ୍ୟାନଙ୍କ ଦ୍ୱାରା କିଛି ନିଯୁକ୍ତି ଦିଆଯାଇଛି । ଜମ୍ମୁ-କାଶ୍ମୀର ବ୍ୟାଙ୍କରେ ନିଯୁକ୍ତି ପାଇଁ କେଉଁ ପ୍ରକାର ସମର୍ଥନ ଦିଆଯାଇଥିଲା ତାହା ସ୍ପଷ୍ଟ କରିବାକୁ ପତ୍ରରେ ଉଲ୍ଲେଖ କରାଯାଇଛି ।  

ଜମ୍ମୁ-କାଶ୍ମୀର ଏବେ ସେନାର ଛାଉଣୀରେ ପରିଣତ ହୋଇଛି । ଉପତ୍ୟକତାରେ ଏବେ ସେନାର ଅତିରିକ୍ତ ୩୫ ହଜାର ଯବାନ ମୁତୟନ ହୋଇଛନ୍ତି । ପରିସ୍ଥିତି ସମ୍ବେଦନଶୀଳ ରହିଛି। ଏହାକୁ ଦେଖି ଘାଟିର ବିରୋଧୀ ଦଳ ଗୁଡିକ ଚିନ୍ତାରେ ବୁଡ଼ି ରହିଛନ୍ତି। ଏହା ମଧ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତୀ ଜମ୍ମୁ-କାଶ୍ମୀର ପରିସ୍ଥିତି ଉପରେ ଚିନ୍ତା ପ୍ରକାଶ କରି କହିଛନ୍ତି ଯେ ଏଠାରେ ସ୍ଥିତି ଚିନ୍ତାଜନକ ରହିଛି। ସେ କହିଛନ୍ତି ଯେ କାଶ୍ମୀରରେ କଣ ହେବ କେହି କିଛି କହୁ ନାହାନ୍ତି। ଏହି ସମୟରେ ମୁଫତୀ ଏହା ମଧ୍ୟ ଆରୋପ ଲଗାଇଛନ୍ତି ଯେ, ରବିବାର ସନ୍ଧ୍ୟାରେ ଏକ ହୋଟେଲରେ ସମସ୍ତ ରାଜନୈତିକ ଦଳଗୁଡିକର ବୈଠକ ଡକାଯାଇଥିଲା, ମାତ୍ର ପୋଲିସ ହୋଟେଲ ବୁକିଂ ବାତିଲ କରି ଦେଇଛନ୍ତି। ଅନ୍ୟ ପଟେ ସୋମବାର ଅଚାନକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କ୍ୟାବିନେଟ୍ ବୈଠକ ହେବାକୁ ଯାଉଛି। ଖାସ୍ କଥା ଏହା ଯେ ମୋଦୀ ମନ୍ତ୍ରିମଣ୍ଡଳର ବୈଠକ ସାଧାରଣତଃ ବୁଧବାର ହୋଇଥାଏ।

ଜମ୍ମୁ-କାଶ୍ମୀରରେ ବଡ଼ ସଂଖ୍ୟାରେ ଅତିରିକ୍ତ ଅର୍ଦ୍ଧ-ସୈନିକ ବଳ ମୁତୟନ ଓ ଗୋଟିଏ ପରେ ଗୋଟିଏ ଆଡଭାଇଜରି ଜାରି ହେଉଥିବାରୁ ଦ୍ଵନ୍ଦାତ୍ମକ ସ୍ଥିତି ସ୍ଥିତି ଲାଗି ରହିଛି। ଏହି ପରିପ୍ରେକ୍ଷୀରେ କାଶ୍ମୀରକୁ ବିଶେଷ ଅଧିକାର ପ୍ରଦାନ କରୁଥିବା ସମ୍ବିଧାନର ଧାରା ୩୭୦ ଓ ଧାରା ୩୫ଏକୁ ନେଇ ଅନେକ ପ୍ରକାରର କଳ୍ପନା ଜଳ୍ପନା ଲାଗି ରହିଛି। ଏହା ସହିତ ଜମ୍ମୁ-କାଶ୍ମୀର ରାଜ୍ୟକୁ ଜମ୍ମୁ, କାଶ୍ମୀର ଓ ଲଦାଖ ମୋଟ୍ ତିନୋଟି ଭାଗରେ ବିଭକ୍ତ କରିବା ଚର୍ଚ୍ଚା ମଧ୍ୟ ଜୋର ଧରିଛି।