ସିଏଏ ହିଂସାକୁ ନେଇ କ୍ଷତିପୂରଣ ରାଶି ମାଗିବା ପୂର୍ବରୁ ପ୍ରଶାସନକୁ ୬ ଲକ୍ଷ ଟଙ୍କା ଦେଲେ ଜନତା

ବୁଲନ୍ଦଶହର: ନାଗରିକତା ଆଇନକୁ ବିରୋଧ କରି ଆନ୍ଦୋଳନ ବେଳେ ହିଂସା ଘଟାଇଥିବା ବ୍ୟକ୍ତିଙ୍କ ବିରୋଧରେ ଯୋଗୀ ସରକାର କଠୋର କାର୍ଯ୍ୟାନୁଷ୍ଠାନ ନେଉଛନ୍ତି। କ୍ଷତିପୂରଣ ରାଶି ପାଇଁ ହିଂସା ଘଟାଇଥିବା ଲୋକଙ୍କୁ ନୋଟିସ ପଠାଇଛି ଉତ୍ତର ପ୍ରଦେଶ ପ୍ରଶାସନ। ଏହାରି ଭିତରେ ବୁଲନ୍ଦଶହରର ଲୋକମାନେ ଏକାଠି ହୋଇ ଜିଲ୍ଲାପାଳଙ୍କ ଜରିଆରେ ସରକାରଙ୍କୁ ୬.୨୭ ଲକ୍ଷ ଟଙ୍କା ଦେଇଛନ୍ତି। ଡିମାଣ୍ଡ ଡ୍ରାଫ୍ଟ ଜରିଆରେ ଏହି ସବୁ ଟଙ୍କା ବୁଲନ୍ଦଶହର ବାସୀ ଦେଇଛନ୍ତି। କୋତବାଲି ସହରର ବାସିନ୍ଦା ଶକିଲୁଲ୍ଲାହ ଏବଂ ମୁସଲିମ ସମୁଦାୟର ଲୋକମାନେ ନେତୃତ୍ୱ ନେଇ ଜିଲ୍ଲାପାଳଙ୍କୁ ଡିମାଣ୍ଡ ଡ୍ରାଫ୍ଟ ଜରିଆରେ ଏହି ଟଙ୍କା ପଠାଇଛନ୍ତି। ଖାଲି ଏତିକି ନୁହେଁ ବୁଲନ୍ଦଶହରରେ ଆଉ କେବେ ହିଂସା ପ୍ରଦର୍ଶନ ହେବ ନାହିଁ ବୋଲି ଜିଲ୍ଲାପାଳଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ବୁଲନ୍ଦଶହରବାସୀ।

ଡିସେମ୍ୱର ୨୦ରେ ବୁଲନ୍ଦଶହରରେ ହିଂସା ହୋଇଥିଲା। ଏହାର କିଛିଦିନ ପରେ ଲୋକମାନେ ଏକାଠି ହୋଇ ଏକ ବୈଠକ କରିଥିଲେ। ଆନ୍ଦୋଳନ ବେଳେ ହୋଇଥିବା ହିଂସା ଏବଂ ସାର୍ବଜନୀନ ସମ୍ପତ୍ତିର କ୍ଷତି ବାବଦରେ ଲୋକମାନେ ଆଲୋଚନା କରିଥିଲେ। ଏମିତିକି ସାର୍ବଜନୀନ ସମ୍ପତ୍ତିର କ୍ଷତିଭରଣା ପାଇଁ ଲୋକମାନେ ରାଜି ହୋଇଥିଲେ। ଏଥିସହ ହିଂସାକାଣ୍ଡ ପାଇଁ ଦୁଃଖ ପ୍ରକାଶ କରିଥିଲେ। ଆଗାମୀ ଦିନରେ ଏଠାରେ ହିଂସା ପ୍ରଦର୍ଶନ ହେବାକୁ ଦିଆଯିବନି ବୋଲି ଲୋକମାନେ ପ୍ରତିଶ୍ରୁତି କରିଥିଲେ।

ଏସଏଏସପି ସନ୍ତୋଷ କୁମାର ସିଂହ କହିଛନ୍ତି, ବୁଲନ୍ଦଶହରବାସୀଙ୍କ ପଦକ୍ଷେପ ସକରାତ୍ମକ। ଏଭଳି କରି ସମାଜକୁ ଏକ ନୂଆ ବର୍ତ୍ତା ନେଇଛନ୍ତି ଏଠିକାରେ ଲୋକେ।

ଡିସେମ୍ୱର ୧୯ରେ ସିଏଏକୁ ବିରୋଧ କରିବାକୁ ଯାଇ ଉତ୍ତର ପ୍ରଦେଶର ବିଭିନ୍ନ ଅଞ୍ଚଳରେ ହିଂସା ପ୍ରଦର୍ଶନ ହୋଇଥିଲା। ପୁଲିସ ସିସିଟିଭି ଓ ଭିଡ଼ିଓ ଫୁଟେଜ ଜରିଆରେ ହିଂସା ଘଟାଇଥିବା ପାଖାପାଖି ୪୫୦ ଲୋକଙ୍କୁ ଚିହ୍ନଟ କରିଛି। ଏବେ ୧୩୦ ଜଣଙ୍କୁ ସିସିଟିଭି ନୋଟିସ୍ ପଠାଇ ସପ୍ତାହକ ମଧ୍ୟରେ ଜବାବ ତଲବ କରିଛି। ଯଦି ଏମାନେ ନିର୍ଦ୍ଦୋଷ ବୋଲି ପ୍ରମାଣ ନକରି ପାରିବେ ତାହେଲେ କ୍ଷତିପୂରଣ ରାଶି ଦେବାକୁ ପଡ଼ିବ। ଯଦି ନଦେବେ ତାହେଲେ ସେହି ବ୍ୟକ୍ତିଙ୍କ ସମ୍ପତ୍ତି ସରକାର ଜବତ କରି ଆବଶ୍ୟକ କ୍ଷତିପୂରଣ କରିବେ ବୋଲି ଯୋଗୀ ସରକାର କହିଛନ୍ତି। ନୋଟିସ୍ ପଠାଯାଇଥିବା ୧୩୦ ଜଣଙ୍କ ମଧ୍ୟରୁ ଜଣେ କିଛି ଗିରଫ ହୋଇ ଜେଲରେ ଅଛନ୍ତି।