ନିଜାମୁଦ୍ଦିନ୍ ରୁ ଫେରିଥିବା ଯାଜପୁରରୁ ଆଉ ୨ ଚିହ୍ନଟ

ଯାଜପୁର: ଦିଲ୍ଲୀର ନିଜାମୁଦ୍ଦିନ୍ ରୁ ଫେରିଥିବା ଆଉ ୨ଜଣକୁ ଆଜି ଯାଜପୁରରୁ ଚିହ୍ନଟ କରାଯାଇଛି । ଗତକାଲି ଯାଜପୁର ଜିଲ୍ଲାରୁ ଜଣଙ୍କୁ ଚିହ୍ନଟ କରାଯାଇଥିଲା ।

ଗତକାଲି ବିଞ୍ଝାରପୁର ଅଂଚଳର ଜଣେ ନିଜାମୁଦ୍ଦିନ ଫେରନ୍ତାଙ୍କୁ ଚିହ୍ନଟ କରି ହସ୍ପିଟାଲ ଆଇସୋଲେସନରେ ଭର୍ତି କରାଯାଇଥିବା ବେଳେ, ଆଜି ରସୁଲପୁର ଓ ଧର୍ମଶାଳା ଅଂଚଳରୁ ଆଉ ଦୁଇ ଜଣ ଚିହ୍ନଟ ହୋଇଛନ୍ତି। ଏନେଇ ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ,  ତିନି ଜଣଙ୍କ ସ୍ୱାବ୍ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଛି। ‌ଆଜି ଚିହ୍ନଟ ହୋଇଥିବା ଦୁଇ ଜଣଙ୍କୁ ହୋମ କ୍ୱାରେଣ୍ଟାଇନରେ ରଖାଯାଇଛି। ସଂକ୍ରମଣ ବଢ଼ିଯିବା ଆଶଙ୍କାରେ ଯାଜପୁର ଜିଲ୍ଲାର ଚାରିପାଖକୁ ସିଲ୍ କରାଯାଇଛି। ଭଦ୍ରକରୁ ଅନେକ ଲୋକ ଯାଜପୁର ଆସୁଥିବାରୁ ସଂକ୍ରମଣ ଆଶଙ୍କା ରହୁଛି।

ଗତକାଲି କେନ୍ଦ୍ରାପଡ଼ା ଜିଲ୍ଲାରୁ ଜଣେ ନିଜାମୁଦ୍ଦିନ ଫେରନ୍ତା ଚିହ୍ନଟ ହୋଇଥିବା ଉକ୍ତ ଜିଲ୍ଲାର ଜିଲ୍ଲାପାଳ ସୂଚନା ଦେଇଥିଲେ। ସେ କହିଥିଲେ;  ଉକ୍ତ ବ୍ୟକ୍ତିଙ୍କୁ ହସ୍‌ପିଟାଲ୍‌ର ଆଇସୋଲେସନ୍‌ ରଖାଯାଇଛି। ସଂପୃକ୍ତ ବ୍ୟକ୍ତିଙ୍କ ପରିବାର ସଦସ୍ୟଙ୍କୁ  ମଧ୍ୟ ହୋମ୍ କ୍ୱାରେନଂଟାଇନ୍ ରେ ରଖାଯାଇଛି।

ଗତ ମଙ୍ଗଳବାର ନିଜାମୁଦ୍ଦିନ ଫେରନ୍ତା ୩ ଜଣ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଥିଲା। ସେମାନଙ୍କୁ  ହସ୍ପିଟାଲରେ କ୍ୱାରେନଂଟାଇନ୍ ରେ ରଖାଯାଇଥିବା ବେଳେ ସେମାନଙ୍କ ପରିବାରବର୍ଗଙ୍କୁ ମଧ୍ୟ ପର୍ଯ୍ୟବେକ୍ଷଣରେ ରଖାଯାଇଛି ବୋଲି କୋଭିଡ୍-୧୯ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ସୂଚନା ଦେଇଥିଲେ।