ଶ୍ରୀଲଙ୍କାରେ ପୁଣି ବିସ୍ଫୋରଣ

କଲୋମ୍ବୋ: ଶ୍ରୀଲଙ୍କାରେ ଚର୍ଚ୍ଚ ଏବଂ ହୋଟେଲରେ ସିରିଜି ବିସ୍ଫୋରଣ ଘଟଣାକୁ ସପ୍ତାହେ ନ ବିତୁଣୁ ଗୁରୁବାର ପୁଣି ଏକ ବିସ୍ଫୋରଣ ଘଟିଛି। କଲୋମ୍ବୋଠାରୁ ୪୦ କି.ମି. ପୂର୍ବରେ ଥିବା ପୁଗୋଡ଼ା ସହରରେ ଥିବା ଏକ କୋର୍ଟ ପଛପଟେ ଏହି ବିସ୍ଫୋରଣ ହୋଇଛି। ତେବେ ଏଥିରେ କେହି ମୃତାହତ ହୋଇ ନ ଥିବା ସ୍ଥାନୀୟ ପୁଲିସ ପକ୍ଷରୁ କୁହାଯାଇଛି।

ଜଣେ ପୁଲିସ ଅଧିକାରୀ କହିଛନ୍ତି, ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଏକ କୋର୍ଟ ପଛପଟେ ଖାଲି ସ୍ଥାନରେ ଏହି ବିସ୍ଫୋରଣ କରାଯାଇଛି। ସୂଚନାଯୋଗ୍ୟ, ଗତ ୨୧ ତାରିଖରେ ରାଜଧାନୀ କଲୋମ୍ବୋରେ ଥିବା ଏକାଧିକ ଚର୍ଚ୍ଚ ଏବଂ ହୋଟେଲରେ ଆତଙ୍କବାଦୀମାନେ ସିରିଜି ବିସ୍ଫୋରଣ କରିଥିଲେ। ଏଥିରେ ୩୫୦ ଜଣ ନିହତ ହୋଇଥିଲେ ଏବଂ ୫୦୦ରୁ ଅଧିକ ଆହତ ହୋଇଥିଲେ।