ହାଇଟେକ ମେଡିକାଲରେ ଅଙ୍ଗଦାନ କଲେ ରାଜଲକ୍ଷ୍ମୀ

ଭୁବନେଶ୍ବର: ଆଉ ଜଣେ ଦଧୀଚି ! ମସ୍ତିଷ୍କ ମୃତ୍ୟୁ ହୋଇ ଭୁବନେଶ୍ବରର ଏକ ଘରୋଇ ମେଡିକାଲ କଲେଜରେ ଚିକିତ୍ସିତ ହେଉଥିବା ମହିଳାଙ୍କ ଅଙ୍ଗଦାନ ପାଇଁ ଚାଲିଛି ପ୍ରସ୍ତୁତି । ସମସ୍ତ ପ୍ରକ୍ରିୟା ଶେଷ ହେବା ପରେ ପରିବାର ଲୋକଙ୍କ ସହମତିରେ ଜଟଣୀର ମହିଳା ରାଜଲକ୍ଷ୍ମୀଙ୍କ ହାଇଟେକ ମେଡିକାଲରେ ଆରମ୍ଭ ହୋଇଛି ଶରୀରରୁ ଅଙ୍ଗ ଉଦ୍ଧାର କାର୍ଯ୍ୟ ।

ନିଜ ମା’କୁ ହରାଇବାର ଦୁଃଖକୁ ଛାତିରେ ଚାପି ଧରି ଏପରି ନିଷ୍ପତି ନେଇଛନ୍ତି ରାଜଲକ୍ଷ୍ମୀଙ୍କ ପୁଅ। ଗୋଟିଏ ଜୀବନ ଯାଇଥିବା ବେଳେ ତା ବଦଳରେ ଆଉ ୨ ଜୀବନ ବଚିଂଯିବ ବୋଲି କୋହଭରା କଣ୍ଠରେ ସେ କହିଛନ୍ତି।

ଏକ ଦୁର୍ଘଟଣାରେ ଗୁରୁତର ହୋଇ ହାଇଟେକ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ରାଜଲକ୍ଷ୍ମୀ ଦାସଙ୍କୁ ଗତକାଲି ବ୍ରେନ୍ ଡେଡ୍ ଘୋଷଣା କରିଥିଲେ। ନିଜ ଲୋକଙ୍କୁ ହରାଇବା ଦୁଃଖରେ ପରିବାର ଲୋକେ ଭାଙ୍ଗି ପଡ଼ିଥିବା ସତ୍ୱେ ତାଙ୍କ ଜୀବନ ଯେପରି ବ୍ୟର୍ଥ ନ ଯାଉ ସେଥିନିମନ୍ତେ ଅଙ୍ଗଦାନ କରିବାକୁ ରାଜି ହୋଇଛନ୍ତି। ଆଜି ତାଙ୍କର ୨ଟି କିଡ଼ନୀକୁ ଏସ୍‌ସିବିର ଦୁଇ ରୋଗୀଙ୍କ ଶରୀରରେ ପ୍ରତିରୋପଣ କରାଯିବ।

ମୟୂରଭଞ୍ଜ ଜିଲ୍ଲାର ରୀତାରାଣି ମହାନ୍ତ ଓ କାମାକ୍ଷାନଗରର ରତ୍ନାକର ମହାନ୍ତିଙ୍କ ଶରୀରରେ ପ୍ରତିରୋପଣ କରାଯିବ ରାଜଲକ୍ଷ୍ମୀଙ୍କ ୨ଟି କିଡ଼ନୀ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି।

ଉଲ୍ଲେଖଯୋଗ୍ୟ ଯେ, ଏହା ପୂର୍ବରୁ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଅଂଚଳର ପ୍ରିୟଙ୍କାରାଣୀ ପାତ୍ର ଦୁର୍ଘଟଣାରେ ଗୁରୁତର ହୋଇ ବ୍ରେନ ଡେଡ ହେବା ପରେ ଫେବୃଆରୀ ୩ ତାରିଖରେ ପରିବାର ଲୋକେ ତାଙ୍କ କିଡନୀ ଦାନ କରିଥିଲେ। ଗତ ସପ୍ତାହରେ ଭୁବନେଶ୍ୱରର ସୁଚିତ୍ର ଦାଶ ନାମ୍ନୀ ମହିଳାଙ୍କ କିଡନୀ ଦାନ କରିଥିଲେ ପରିବାର ଲୋକେ।