୨୨୦୦ କୋଟିର କୋରୋନା ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: କୋରୋନା ପ୍ରଭାବିତ ଗରିବଙ୍କ ପାଇଁ ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୋଟ ୨୨୦୦ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଗରିବ, ଖଟିଖିଆ, ଶ୍ରମିକଙ୍କ ପାଇଁ ଏହି ପ୍ୟାକେଜ ଘୋଷଣା ହୋଇଛି । ଭିଡିଓ ଜରିଆରେ ପ୍ୟାକେଜ ଘୋଷଣା କରି ମୁଖ୍ୟମନ୍ତ୍ରୀ ଖାଦ୍ୟ ସୁରକ୍ଷା ଯୋଜନାରେ ୩ ମାସର ରାସନ ଆଗୁଆ ମିଳୁଛି ବୋଲି କହିଛନ୍ତି । ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି-“ରାଜ୍ୟର ୯୪ ଲକ୍ଷ ପରିବାରକୁ ୧ ହଜାର ଟଙ୍କା ଲେଖାଏଁ ସହାୟତା ମିଳିବ । ସହାୟତା ବାବଦକୁ ମୋଟ ୯୪୦ କୋଟି ଟଙ୍କା ଖର୍ଚ୍ଚ ହେବ । ସାମାଜିକ ସୁରକ୍ଷାରେ ୪ ମାସର ଭତ୍ତା ହିତାଧିକାରୀଙ୍କୁ ଆଗୁଆ ମିଳୁଛି । ବୃଦ୍ଧବୃଦ୍ଧା, ବିଧବା ଓ ଭିନ୍ନକ୍ଷମଙ୍କୁ ୪ ମାସର ଭତ୍ତା ଆଗୁଆ ମିଳୁଛି । ୪ ମାସର ଆଗୁଆ ଭତ୍ତା ପାଇଁ ୯୩୨ କୋଟି ଟଙ୍କା ଖର୍ଚ୍ଚ ହେବ । ରାଜ୍ୟର ୨୨ ଲକ୍ଷ ନିର୍ମାଣ ଶ୍ରମିକଙ୍କୁ ମଧ୍ୟ ଆର୍ôଥକ ସହାୟତା ମିଳିବ । ୨୨ ଲକ୍ଷ ନିର୍ମାଣ ଶ୍ରମିକଙ୍କୁ ୧୫ ଶହ ଟଙ୍କା ଲେଖାଏଁ ସହାୟତା ମିଳିବ । ନିର୍ମାଣ ଶ୍ରମିକଙ୍କୁ ସହାୟତା ବାବଦରେ ୩୩୦ କୋଟି ଖର୍ଚ୍ଚ ହେବ ।” ସୂଚନାରୁ ପ୍ରକାଶ, ‘କରୋନା’ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢ଼ୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମଗ୍ର ଦେଶକୁ ଲକ୍‌ଡାଉନ୍ ଘୋଷଣା କରିଥିଲେ । ଏଥିରେ ବେଶୀ ପ୍ରଭାବିତ ହୋଇଥିଲେ ଗରିବ, ଖଟିଖିଆ ଓ ଶ୍ରମିକ । ଲକ୍‌ଡାନ୍‌ଉନ୍ ଯୋଗୁ କାମ ମିଳୁନଥିବାରୁ ସେମାନେ ନାନା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ଏପରିକି ଖାଇବାକୁ ପାଉନଥିବା ଅଭିଯୋଗ ହେଉଥିଲା । ଯାହାକୁ ଧ୍ୟାନରେ ରଖି ମୁଖ୍ୟମନ୍ତ୍ରୀ ଗରିବ, ଖଟିଖିଆ ଓ ଶ୍ରମିକଙ୍କ ପାଇଁ ୨୨୦୦ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି । ଏହା ଗରିବଙ୍କ ଆର୍ôଥକ ମେରୁଦଣ୍ଡ ସୁଦୃଢ଼ କରିବାରେ ବେଶ୍ ସହାୟକ ହେବ ବୋଲି ଆଶା କରାଯାଉଛି ।