ହଟାଯାଉ ମୋର ସୁରକ୍ଷା

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ସମାଜସେବୀ ଆନ୍ନା ହଜାରେଙ୍କ ଚିଠି

ମୁମ୍ୱାଇ: ସମାଜସେବୀ ଆନ୍ନା ହଜାରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଚିଠି ଲେଖିଛନ୍ତି । ଯେଉଁଥିରେ ସେ ନିଜକୁ ମିଳିଥିବା Z+ ସୁରକ୍ଷା ଫେରାଇ ନେବାକୁ ଅପିଲ କରିଛନ୍ତି । ଚିଠିରେ ଆନ୍ନା ହଜାରେ ଲେଖିଛନ୍ତି ଯେ, ମୋତେ କୌଣସି ପ୍ରକାର ସୁରକ୍ଷାର ଆବଶ୍ୟକତା ନାହିଁ, ଯଦି ତାଙ୍କ ସହ କୌଣସି ଦୁର୍ଘଟଣା ଘଟେ ତେବେ ସେ ନିଜେ ଏଥିପାଇଁ ଦାୟୀ ରହିବେ । 

 

ଆନ୍ନା ହଜାରେ ନିଜ ଗାଁ ରାଲେଗଣ ସିଦ୍ଧିରେ ଡିସେମ୍ୱର ୨୦ ତାରିଖରୁ ମହିଳାଙ୍କ ସୁରକ୍ଷା ପ୍ରସଙ୍ଗରେ ମୌନ ବ୍ରତ ଧାରଣ କରିଛନ୍ତି । ରାଜ୍ୟ ସରକାର ନିକଟରେ ବିଶିଷ୍ଟ ବ୍ୟକ୍ତିଙ୍କ ସୁରକ୍ଷାରେ ଅଦଳବଦଳ କରିବା ନେଇ ନିଷ୍ପତ୍ତି ନେଇଥିଲେ । ଯେଉଁଥିରେ ଆନ୍ନାଙ୍କ ୱାଇ ଶ୍ରେଣୀ ସୁରକ୍ଷାକୁ ବଢାଇ ଜେଡ୍‌ ପ୍ଲାସ କରାଯାଇଥିଲା । ସେହିପରି ଭାରତୀୟ କ୍ରିକେଟ ଟିମର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକରଙ୍କ ସୁରକ୍ଷାରେ ମଧ୍ୟ ପରିବର୍ତ୍ତନ କରାଯାଇଥିଲା ।

ଉଦ୍ଧବ ଠାକେରଙ୍କୁ ଲେଖିଥିବା ଚିଠିରେ ଆନ୍ନା କହିଛନ୍ତି, “ମନ୍ଦିରରେ ରହୁଥିବା ମୋ ପରି ଫକୀରର ସୁରକ୍ଷାରେ ସରକାର ମୋଟା ଟଙ୍କା ଖର୍ଚ୍ଚ କରୁଛନ୍ତି । ଲୋକଙ୍କ ଠାରୁ ଟ୍ୟାକ୍ସ ଆକାରରେ ମିଳୁଥିବା ଟଙ୍କାର ଦୁରୁପଯୋଗ ମୋ ଦ୍ୱାରା ଦେଖାଯାଉନି । ଅନ୍ୟଙ୍କୁ ନିଜର ସୁରକ୍ଷା ଅଳଙ୍କାର ପରି ଲାଗିପାରେ କିନ୍ତୁ ମୋ ପାଇଁ ଏହା ଖରାପ । ମୋତେ କିଛି ଜଣ ଧମକ ଦେଇଥିଲେ କିନ୍ତୁ ମୁଁ ମରିବାକୁ ଭୟ କରୁନି । ସେନାରେ ରହିବା ସମୟରେ ଗୋଟିଏ ସମୟରେ ମୃତ୍ୟୁକୁ ଚଖମା ଦେଇଥିଲେ । ସୁରକ୍ଷା ପରେ କେହି ମରିବନି ଏହାର ଗ୍ୟାରେଣ୍ଟି କେହି ଦେଇ ପାରିବନେ ।  ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଏବଂ ରାଜୀବ ଗାନ୍ଧୀଙ୍କ କଡା ସୁରକ୍ଷା ମଧ୍ୟରେ ହତ୍ୟା ହୋଇଥିଲା” ।