ଅନଶନରୁ ଓହରିଲେ ଆନ୍ନା ହଜାରେ

ମୁମ୍ବାଇ : ଅନଶନ ଭାଙ୍ଗିଛନ୍ତି ବିଶିଷ୍ଟ ଗାନ୍ଧିବାଦୀ ନେତା ଆହ୍ନା ହଜାରେ । କେନ୍ଦ୍ରରେ ଲୋକପାଳ ଓ ରାଜ୍ୟରେ ଲୋକାୟୁକ୍ତ ନିଯୁକ୍ତି ଦାବିରେ ଆନ୍ଦୋଳନ ଚଳାଇଥିବା ଆନ୍ନା ଆଜି ତାଙ୍କ ଆନ୍ଦୋଳନରୁ ଓହରିଛନ୍ତି । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍‌ ଏବଂ ଦୁଇ ଜଣ କେନ୍ଦ୍ର ମନ୍ତ୍ରୀ ଗାନ୍ଧୀବାଦୀ ନେତା ଆନ୍ନା ହଜାରେଙ୍କ ସହ ଆଲୋଚନା କରି ତାଙ୍କୁ ମନାଇବା ପରେ ୭ ଦିନ ଧରି ଜାରି ରଖିଥିବା ଆମରଣ ଅନଶନରୁ ଓହରିଛନ୍ତି । ୮୧ ବର୍ଷ ବୟସ୍କ ଆନ୍ନା ଲୋକପାଳ ଓ ଲୋକାୟୁକ୍ତ ନିଯୁକ୍ତି ଦାବିରେ ଗତ ୩୦ ତାରିଖରୁ ଅନଶନ ଚଳାଇଥିଲେ । ଆଜି ତାଙ୍କ ଅନଶନର ସପ୍ତମ ଦିନ ଥିଲା । ନିଜ ଗାଁ ରାଲେଗଣ ସିଦ୍ଧିରେ ମୁଖ୍ୟମନ୍ତ୍ରୀ ଫଡନାଭିସ୍‌ ଓ ଦୁଇ କେନ୍ଦ୍ର ମନ୍ତ୍ରୀ ପହଞ୍ଚି ତାଙ୍କ ସହିତ ଆଲୋଚନା କରିଥିଲେ । ଆଲୋଚନା ଫଳପ୍ରଦ ହୋଇଥିବାରୁ ସେ ଅନଶନ ଭାଙ୍ଗିଛନ୍ତି ବୋଲି ଆନ୍ନା ସାମ୍ବାଦିକଙ୍କୁ କହିଛନ୍ତି ।
ଉଲ୍ଳେଖଯୋଗ୍ୟ, କେନ୍ଦ୍ରରେ ଲୋକପାଳ ଓ ରାଜ୍ୟରେ ଲୋକାୟୁକ୍ତ ନିଯୁକ୍ତିରେ ଅହେତୁକ ବିଳମ୍ବ କରୁଥିବା ହେତୁ ଏହାକୁ ତୀବ୍ର ବିରୋଧ କରି ଜାନୁଆରି ୩୦ ତାରିଖରୁ ଅନଶନରେ ବସିଥିଲେ ଆନ୍ନା ହଜାରେ। ଏପରିକି ୮୧ ବର୍ଷ ବୟସ୍କ ଏହି ସମାଜସେବୀ ଅନଶନରେ ବସିଥିବା ସମୟରେ ସାଲଇନ୍‌ ଓ ଓଆର୍‌ଏସ୍‌ ନେବାକୁ ମଧ୍ୟ ମନା କରି ଦେଇଥିଲେ। ଆନାଙ୍କର ଏପରି ଉପବାସ ତାଙ୍କ କିଡ୍‌ନି ଓ ମସ୍ତିଷ୍କକୁ ପ୍ରଭାବିତ କରିପାରେ ବୋଲି ଡାକ୍ତର ମଙ୍ଗଳବାର ସକାଳେ ଚିକିତ୍ସା କରି ମତ ରଖିଥିଲେ। ଦୀର୍ଘ ୭ ଦିନ ଅନଶନରେ ବସିବା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଭାବେ ବିଗିଡ଼ି ଯାଇଥିଲା। ଏତେ ଦିନ ଅଖିଆ ଅପିଆ ରହିବା ପରେ ଆନ୍ନାଙ୍କ ଓଜନ ୫.୫ କିଲୋ ହ୍ରାସ ଘଟିଛି ବୋଲି ଡାକ୍ତର ସୂଚନା ଦେଇଥିଲେ। ତାଙ୍କ ରକ୍ତରେ ଶର୍କରା ପରିମାଣ ମଧ୍ୟ କମ୍‌ ହୋଇ ଯାଇଥିଲା।