ସିବିଆଇ ପାରିଲାନ : ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳକୁ ୨୨ ବର୍ଷପରେ ଧରିଲା କମିଶନରେଟ ପୋଲିସ

କଟକ  : ୨୨ ବର୍ଷ ତଳର ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା ଏବେ ପୁଣି ଚର୍ଚ୍ଚାରେ । ୨୨ ବର୍ଷ ପରେ ଗିରଫ ହେଲା ମୁଖ୍ୟ ଅଭିଯୁକ୍ତ । ଗିରଫ ଅଭିଯୁକ୍ତ ହେଉଛି ବିବନ ବିଶ୍ୱାଳ । ଏନେଇ ପ୍ରେସମିଟରେ ସୂଚନା ଦେଇଛନ୍ତି ପୋଲିସ କମିଶନର । ୧୯୯୯ ଜାନୁଆରୀ ୯ରେ ବାରଙ୍ଗ ନିକଟରେ ଘଟିଥିଲା ଗଣଦୁଷ୍କର୍ମ ଓ ହତ୍ୟାକାଣ୍ଡ । ସେବେଠୁ ମୁଖ୍ୟ ଅଭିଯୁକ୍ତ ଫେରାର ଥିଲା । ୨୨ବର୍ଷ ପରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କଲା ପୋଲିସ । ପୂର୍ବରୁ ପଦିଆ ଓ ପୁନିଆଙ୍କୁ ଗିରଫ କରିଥିଲା ପୋଲିସ । ହାଇକୋର୍ଟ ତଦନ୍ତ ଦାୟିତ୍ୱ ସିବିଆଇକୁ ଦେଇଥିଲେ ।

ପୂର୍ବରୁ ଏହି ମାମଲାରେ ୨ ଜଣ ଅଭିଯୁକ୍ତଙ୍କୁ କୋର୍ଟ ଦଣ୍ଡିତ କରିଥିଲେ । ଉଭୟ ଦୋଷୀଙ୍କୁ ଆଜୀବନ କାରାଦଣ୍ଡାଦେଶ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ମାତ୍ର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ବାଳ ଘଟଣା ପରଠାରୁ ଫେରାର ଥିଲା । କମିଶନରେଟ୍ ପୋଲିସ ୩ ମାସ ତଳୁ ଅଭିଯୁକ୍ତ ବିବନକୁ ଖୋଜିବା ଆରମ୍ଭ କରିଥିଲା । ତେବେ ମୁମ୍ବାଇ-ପୁନେ ରାସ୍ତାରେ ଛଦ୍ମ ନାମରେ ବିବନ ରହୁଥିବା ନେଇ ପୋଲିସ ଖବର ପାଇଥିଲା । ଜଳନ୍ଧର ସ୍ବାଇଁ ନାଁରେ ନଭି ମୁମ୍ବାଇରେ ରହୁଥିଲା ବିବନ । ନିଜର ମୃତ୍ୟୁ ପ୍ରମାଣ ପତ୍ର ଯୋଗାଡ କରିବାରେ ଲାଗିଥିଲା ବିବନ । ମାତ୍ର ସେଥିରେ ସେ ସଫଳ ହୋଇପାରିନାହିଁ । ଶେଷରେ ପୋଲିସ ହାତରେ ଧରାପଡିଗଲା ।

ସୂଚନାଯୋଗ୍ୟ ଯେ, ୧୯୯୯ ମସିହା ଜାନୁଆରୀ ମାସ ୯ ତାରିଖ ଦିନ ଘଟିଥିବା ଏହି ଗଣଦୁଷ୍କର୍ମ ଘଟଣା ସମଗ୍ର ଓଡିଶାର ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ଘଟଣା ଦିନ ଗଣଦୁଷ୍କର୍ମ ପୀଡିତା ଜଣଙ୍କ ତାଙ୍କ ବନ୍ଧୁଙ୍କ ସହ ଏକ କାର୍‌ରେ ଯାତ୍ରା କରୁଥିଲେ । ଭୁବନେଶ୍ବର ଉପକଣ୍ଠ ସ୍ଥିତ ବାରଙ୍ଗ ନିକଟବର୍ତ୍ତୀ ଏକ ନିଛାଟିଆ ସ୍ଥାନରେ ୩ ଜଣ ଦୁର୍ବୃତ୍ତ ସେମାନଙ୍କୁ ଅଟକାଇଥିଲେ । ଗାଡିଟିକୁ ଅଟକାଇ ବାନ୍ଧବୀଙ୍କ ସମ୍ମୁଖରେ ପୀଡିତାଙ୍କୁ ୩ ଜଣ ମିଶି ଗଣଦୁଷ୍କର୍ମ କରିଥିଲେ ।

ଘଟଣା ପରେ ସମଗ୍ର ଓଡିଶାରେ ହଇଚଇ ସୃଷ୍ଟି ହୋଇଯାଇଥିଲା । ଉକ୍ତ ଗଣଦୁଷ୍କର୍ମ ଘଟଣାରେ ପୋଲିସ ୧୯୯୯ ମସିହା ଜାନୁଆରୀ ମାସ ୨୬ ତାରିଖରେ ମାତ୍ର ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ପରେ ଘଟଣାର ତଦନ୍ତ କେନ୍ଦ୍ରୀୟ ତଦନ୍ତକାରୀ ବ୍ୟୁରୋ ଦ୍ବାରା କରାଯିବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

ଏଭଳି ଦୁଃଖଦ ଘଟଣା ତତ୍କାଳୀନ ଓଡିଶା ରାଜନୈତିକ ମଧ୍ୟ ହଇଚଇ ସୃଷ୍ଟି କରିଥିଲା । ସେହି ଗଣଦୁଷ୍କର୍ମ ଘଟଣାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଏବଂ ତାଙ୍କ ତଥାକଥିତ ବନ୍ଧୁ ତଥା ପୂର୍ବତନ ଆଡଭୋକେଟ୍ ଜେନେରାଲ ଇନ୍ଦ୍ରଜିତ ରାୟଙ୍କର ହାତ ଥିବା ଅଭିଯୋଗ ମଧ୍ୟ ହୋଇଥିଲା । ଫଳରେ ଓଡିଶାର ତତ୍କାଳୀନ ଶାସକ ଦଳ କଂଗ୍ରେସର ଭାବମୂର୍ତ୍ତୀ ଅକ୍ଷୁର୍ଣ୍ଣ ରଖିବା ଉଦ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ଆସନ ହରାଇବାକୁ ପଡିଥିଲା ।

anjana mishra gangrape case prime accused biban biswal arrest by commiserate police