ସୋନମଙ୍କୁ ମିଳିଗଲା ସାୱରିଆ : ଆନନ୍ଦଙ୍କ ହାତ ଧରିଲେ ଅନିଲ କପୁରଙ୍କ ସୁପୁତ୍ରୀ

ମୁମ୍ବାଇ  : ବଲିଉଡ଼୍‌ର ମସକଲୀ ଗାର୍ଲ ତଥା ଅନିଲ କପୁରଙ୍କ ସୁକନ୍ୟା ସୋନମ୍‌ କପୁର ଆଜି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ତାଙ୍କ ଦୀର୍ଘ ଦିନର ସାଥୀ ଆନନ୍ଦ ଆହୁଜାଙ୍କ ହାତ ଧରିଛନ୍ତି ସୋନମ୍‌ । ମଣ୍ଡପରେ ସୋନମ୍‌ଙ୍କ ଗଳାରେ ବରଣମାଳା ଏବଂ ମଥାରେ ସିନ୍ଦୁର ଭରି ପତ୍ନୀ ଭାବେ ସ୍ୱୀକାର କରିଛନ୍ତି ଆନନ୍ଦ । ସଂପୂର୍ଣ୍ଣ ଶିଖ୍‌ ରୀତିନୀତିରେ ଦୁଇ ଜଣଙ୍କ ବିବାହ ସଂପନ୍ନ ହୋଇଛି ।

ସୋନମଙ୍କୁ ମିଳିଗଲା ସାୱରିଆ । ପରଦାରେ ବୀର ଦି ୱେଡିଙ୍ଗ ଧମାଲ କରିବା ଆଗରୁ ବଲିଉଡ୍ ଅଭିନେତ୍ରୀ ସୋନମ କପୁର ବାହା ବେଦୀରେ ବସିଛନ୍ତି । ଡିଜାଇନର୍‌ ଲାଲ ଲେହେଙ୍ଗା, ମ୍ୟାଚିଙ୍ଗ ଝୁମକି ଏବଂ ନେକଲେସ୍‌ରେ ସଜାଇ ହୋଇ ବିଜିନେସମ୍ୟାନ ଆନନ୍ଦ ଆହୁଜାଙ୍କ ହାତ ଧରିଛନ୍ତି ଅନିଲ କପୁରଙ୍କ ସୁପୁତ୍ରୀ ସୋନମ । ଆନନ୍ଦ-ସୋନମଙ୍କ ଯୋଡି ନେଇ ବହୁ ଆଗରୁ ଟୁପୁରଟାପୁରୁ ଶୁଣା ଯାଉଥିଲା । ଆଉ ଏବେ ଜୀବନସାଥୀ ଭାବରେ ପାଇ ସୋନମ ବେଶ ଖୁସି । ବାହାଘର ହୋଇଛି ଶିଖ ବିଧି ବିଧାନରେ । ସୋନମଙ୍କ ସଂପର୍କୀୟ କବିତା ସିଂଙ୍କ ବାନ୍ଦ୍ରା ସ୍ଥିତ ହେରିଟେଜ୍‌ ବଙ୍ଗଳା ରକ୍‌ଡେଲ୍‌ ରେ ବାହାଘର ହୋଇଛି । ନବ ଦମ୍ପତ୍ତିଙ୍କୁ ଶୁଭେଚ୍ଛା ଦେବାକୁ ବଲିଉଡ୍ ସେଲେବ୍ରିଟିଙ୍କ ବେଶ ଗହଳି ଲାଗିଥିଲା । ଅମିତାଭ ବଚ୍ଚନ, ଆମିର ଖାନ, ରାନୀ ମୂଖାର୍ଜୀ, କରିନା କପୁର, ଜାକଲିନ୍‌, ସ୍ବରା ଭାସ୍କରଙ୍କ ସମେତ ଅନେକ ସେଲେବ୍ରିଟି ବିବାହରେ ସାମିଲ ହୋଇଥିଲେ ।

ବାହାଘର ଆଗରୁ ସଂଗୀତ ସେଲେବ୍ରେସନ ବି ଖୁବ ଜମିଥିଲା । ଅନିଲ କପୁରଙ୍କ ଘରେ ସଂଗୀତ ଉତ୍ସବରେ ବଲିଉଡ୍‌ ସେଲେବ୍ରିଟି ଠୁମକା ଲଗାଇଥିଲେ । ଏହି ଭିଡିଓ ଏବଂ ଫଟୋ ସୋସିଆଲ୍‌ ମିଡିଆରେ ଭାଇରାଲ୍ ହୋଇଥିଲା । ଆଉ ଆଜି ବାହାଘର ପରେ ସୋନମ୍‌-ଆନନ୍ଦଙ୍କ ଫାଷ୍ଟଲୁକ୍‌କୁ ବି ଖୁବ ଲାଇକ୍‌ ମିଳିଛି ସୋସିଆଲ୍ ମିଡିଆରେ । ଆସନ୍ତା ୧୮ରେ ରିଲିଜ ହେବ ସୋନମଙ୍କ ଫିଲ୍ମ ବୀର ଦି ୱେଡିଙ୍ଗ । ତାଆଗରୁ ଅସଲ ଜୀବନରେ ହାତକୁ ଦି ହାତ ହୋଇଛନ୍ତି ସୋନମ ।