ଅମ୍ବାନୀ ବିକିବେ ସାନ୍ତକ୍ରୁଜ୍‌ ସ୍ଥିତ ମୁଖ୍ୟାଳୟ!

ମୁମ୍ବାଇ: ସଂପ୍ରତି ବିପୁଳ ପରିମାଣର ଋଣଭାରାରେ ବୁଡ଼ିଯାଇ ସେଥିରୁ ମୁକୁଳିବା ପାଇଁ ସଂଗ୍ରାମ ଚଳାଇଥିବା ଦେଶର ଅନ୍ୟତମ ଶ୍ରେଷ୍ଠ, ଖାତନାମା ବ୍ୟବସାୟୀ ତଥା ଶିଳ୍ପପତି, ରଲାଏନ୍ସ ଗ୍ରୁପ୍‌ର ଅଧ୍ୟକ୍ଷ ଅନୀଲ ଅମ୍ବାନୀ ତାଙ୍କର ସାନ୍ତକ୍ରୁଜ୍‌ ସ୍ଥିତ ମୁଖ୍ୟାଳୟକୁ ବିକିଦେବା ପାଇଁ ନିଷ୍ପତ୍ତି ନେଇଥିବା ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟରୁ ଜାଣିବା ପାଇଁ ମିଳିଛି।

ଦେଶର ଅନ୍ୟତମ ପ୍ରତିଷ୍ଠିତ ସମ୍ବାଦପତ୍ର ‘ଦି ଇକୋନୋମିକ୍‌ସ ଟାଇମସ୍‌’ରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ରଲାଏନ୍ସ ଗ୍ରୁପ୍‌ର ଅଧ୍ୟକ୍ଷ ଅନୀଲ ଅମ୍ବାନୀ ତାଙ୍କର ସାନ୍ତକ୍ରୁଜ୍‌ ସ୍ଥିତ ମୁଖ୍ୟାଳୟକୁ ବିକିଦେଇ ଅଥବା ଅର୍ଥ ବିନିମୟରେ ଏହାକୁ ଦୀର୍ଘ ମିଆଦି ଲିଜ୍‌ ସୂତ୍ରରେ ଅନ୍ୟ କାହାକୁ ପ୍ରଦାନ କରି କମ୍ପାନିର ମୁଖ୍ୟାଳୟକୁ ଦକ୍ଷିଣ ମୁମ୍ବାଇର ବାଲାଡ୍‌ ଇଷ୍ଟେଟକୁ ସ୍ଥାନାନ୍ତର କରିବା ପାଇଁ ଯୋଜନା କରୁଛନ୍ତି। ଉଲ୍ଲେଖଯୋଗ୍ୟ, ପାରିବାରିକ ବିବାଦ ପରେ ୨୦୦୫ରେ ବଡ଼ ଭାଇ ମୁକେଶ ଅମ୍ବାନୀଙ୍କ ସହ ସମ୍ପତ୍ତି ଭାଗ ହେବା ପରେ ଦକ୍ଷିଣ ମୁମ୍ବାଇର ବାଲାଡ୍‌ ଇଷ୍ଟେଟ ସାନ ଭାଇ ଅନୀଲ ଅମ୍ବାନୀଙ୍କ ଭାଗରେ ପଡ଼ିଥିଲା।

ଅନୀଲ ଅମ୍ବାନୀଙ୍କ ପରିଚାଳନାଧୀନ ରିଲାଏନ୍ସ ଗ୍ରୁପ୍‌ର ସମସ୍ତ କମ୍ପାନି ଏବେ ବିପୁଳ ଋଣ ଭାରରେ ବୁଡ଼ି ଯାଇଛନ୍ତି। ଋଣ ପରିଶୋଧ ନକରି ପାରିବା କାରଣରୁ ଏବେ ଆଉ ଅନ୍ୟ କୌଣସି ଆର୍ଥିକ ସଂସ୍ଥା ତାଙ୍କୁ ଆଉ ଋଣ ପ୍ରଦାନ କରୁ ନାହାନ୍ତି। ଏପରିସ୍ଥିତିରେ ଋଣ ଭାରାରୁ ମୁକୁଳିବା ପାଇଁ ଅନୀଲ ଅମ୍ବାନୀ ଆଉ ଅନ୍ୟ କୌଣସି ବିକଳ୍ପ ନପାଇ ସାନ୍ତକ୍ରୁଜ୍‌ ସ୍ଥିତ ମୁଖ୍ୟାଳୟକୁ ବିକିଦେବା ପାଇଁ ନିଷ୍ପତ୍ତି ନେଇଥିବା ଜାଣିବାକୁ ମିଳିଛି। ଏଥିପାଇଁ ଅନେକ ବିଦେଶୀ କମ୍ପାନି ଆଗ୍ରହୀ ଅଛନ୍ତି। ଉଲ୍ଲେଖଯୋଗ୍ୟ, ଅନୀଲ ଅମ୍ବାନୀଙ୍କର ସାନ୍ତକ୍ରୁଜ୍‌ ସ୍ଥିତ ମୁଖ୍ୟାଳୟର ଆନୁମାନିକ ମୂଲ୍ୟ ପ୍ରାୟ ୧,୫୦୦ର ୨,୦୦୦ କୋଟି ହେବ।