ଡ୍ୟୁଟିରେ ଥାଇ ଅଙ୍ଗନବାଡି, ଆଶା କର୍ମୀଙ୍କ ମୃତ୍ୟୁ ଘଟିଲେ ପରିବାରକୁ ମିଳିବ ଭତ୍ତା

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ କୋଭିଡ ଯୋଦ୍ଧା ଆଶା ଓ ଅଙ୍ଗନାବାଡି କର୍ମୀଙ୍କ ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର: କରୋନା ମହାମାରୀ ଆଜି ସାରା ବିଶ୍ୱରେ ଅଦ୍ଭୁତପୂର୍ବ ପରିସ୍ଥିତି ସୃଷ୍ଟି କରିଛି । ଏହାର ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାର ବିିଭିନ୍ନ ପ୍ରତିଷେଧମୂଳକ ପଦକ୍ଷେପ ନେଇଛନ୍ତି । ରାଜ୍ୟ ସରକାର ବିିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର କୋଭିଡ ହସ୍ପିଟାଲ ଖୋଲିବା ସହ ଟିଏମସି କୋଭିଡ କେୟାର ହୋମ ଆଦି ଖୋଲି କୋଭିଡ ରୋଗୀମାନଙ୍କୁ ସେବା ଯୋଗାଇ ଦେଉଛନ୍ତି । ଏହାସହିତ ଟେଷ୍ଟିଂ, ଟ୍ରାକିଂ କାମ ମଧ୍ୟ ଜାରି ରହିଛି ।

ଏହିସବୁ କାର୍ଯ୍ୟରେ ଯେଉଁମାନେ ଆଗଧାଡିରେ ରହି ସେବା ଯୋଗାଉଛନ୍ତି, ସେହି କୋଭିଡ ଯୋଦ୍ଧାମାନଙ୍କ ମଧ୍ୟରେ ଅନ୍ୟତମ ହେଉଛନ୍ତି ଆମର ଆଶା ଓ ଅଙ୍ଗନବାଡି କର୍ମୀ ଭଉଣୀମାନେ । ବାସ୍ତବିକ୍ ସେମାନଙ୍କ ମାନବିକତା, ତ୍ୟାଗ ଓ ନିଷ୍ଠାର ତୁଳନା ନାହିଁ । ସେମାନଙ୍କୁ ମୁଁ ଏହି ଅବସରରେ ଆନ୍ତରିକ ସମ୍ମାନ ଜଣାଉଛି । ଯେଭଳି ପରିସ୍ଥିତିରେ ସେମାନେ ଦାୟିତ୍ୱ ତୁଲାଉଛନ୍ତି, ତାହା ଆମ ସମସ୍ତଙ୍କ ପାଇଁ ପ୍ରେରଣା ।

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆମର ଏହି କୋଭିଡ ଯୋଦ୍ଧାମାନଙ୍କ ସହ ନିୟମିତ ଯୋଗାଯୋଗରେ ରହିଛନ୍ତି । ବିଭିନ୍ନ ଜିଲ୍ଲାର ଆଶା ଓ ଅଙ୍ଗନବାଡି କର୍ମୀମାନଙ୍କୁ ଟେଲିଫୋନ କରି ସେମାନଙ୍କ ଭଲମନ୍ଦ, ସୁବିଧା ଅସୁବିଧା ପଚାରି ବୁଝୁଛନ୍ତି । ସେହି ଆଶା ଓ ଅଙ୍ଗନବାଡି କର୍ମୀ ଭଉଣୀ ମାନଙ୍କ ପରାମର୍ଶକୁ ଭିତିକରି ମାନ୍ୟବର ମୁଖ୍ୟମନ୍ତ୍ରୀ ନିମ୍ନୋକ୍ତ ନିଷ୍ପତି ଗ୍ରହଣ କରିଛନ୍ତି ।

କୋଭିଡ ଯୁଦ୍ଧରେ ସାମିଲ ହୋଇ କାମ କରୁଥିବା କେହି ଅଙ୍ଗନବାଡି କର୍ମୀ ଭଉଣୀ ଯଦି ସଂକ୍ରମିତ ହୋଇ ମୃତ୍ୟୁବରଣ କରନ୍ତି, ତେବେ ସେ କ୍ଷେତ୍ରରେ ତାଙ୍କ ସ୍ୱାମୀ କିମ୍ବା ନିକଟତମ ଆତ୍ମୀୟଙ୍କୁ ମାସିକ ୭୫୦୦ ଟଙ୍କା ସହାୟତା ଯୋଗାଇ ଦିଆଯିବ । ଅଙ୍ଗନବାଡି କର୍ମୀ ଜଣକ ଯଦି ବଂଚି ଥାନ୍ତେ, ତାଙ୍କୁ ଯେବେ ୬୦ବର୍ଷ ହୋଇଥାନ୍ତା, ସେ ପର୍ଯ୍ୟନ୍ତ ତାଙ୍କ ସ୍ୱାମୀ/ନିକଟତମ ଆତ୍ମୀୟ ଏହି ସହାୟତା ପାଇବେ ।

ସେହିଭଳି କୋଭିଡ ଯୁଦ୍ଧରେ କାମ କରୁଥିବାବେଳେ ଯଦି କୌଣସି ଭଉଣୀ ମୃତ୍ୟୁବରଣ କରନ୍ତି, ସେ କ୍ଷେତ୍ରରେ ତାଙ୍କ ସ୍ୱାମୀ/ନିକଟତମ ଆତ୍ମୀୟ ଉପରୋକ୍ତ ପ୍ରକାରେ ମାସିକ ୫୦୦୦ ଟଙ୍କା ଲେଖାଏଁ ସହାୟତା ପାଇପାରିବେ ।

ପୂର୍ବରୁ ରାଜ୍ୟ ସରକାର ଆଶା ଓ ଅଙ୍ଗନବାଡି କର୍ମୀମାନଙ୍କ ସମେତ ସବୁ କୋଡିଭ୍ ଯୋଦ୍ଧାଙ୍କ ମୃତ୍ୟୁ କ୍ଷେତ୍ରରେ ୫୦ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ନବକିଶୋର ଦାସ ସୂଚନା ଦେଇଛନ୍ତି ।