ରାହୁଲଙ୍କୁ ଭେଟିଲେ ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ଶେଷ ପର୍ଯ୍ୟାୟ ପାଇଁ ଆସନ୍ତାକାଲି ଭୋଟ ଗ୍ରହଣ ହେବ | ଏହା ପୂର୍ବରୁ ରାଜନୈତିକ ଦଳମାନଙ୍କରେ ମଧ୍ୟରେ ଅଙ୍କକଷା ଆରମ୍ଭ ହୋଇଗଲାଣି | ନିର୍ବାଚନ ପରେ ମେଣ୍ଟ ମିଶନରେ ଏବେ ବାହାରିଛନ୍ତି ଆନ୍ଧ୍ର ମୁଖ୍ୟମନ୍ତ୍ରୀ ତଥା ଟିଡ଼ିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ | ଶନିବାର ଦିନ ସେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଭେଟିଛନ୍ତି |

ଏହା ପୂର୍ବରୁ ଶୁକ୍ରବାର ଦିନ ସେ ସିପିଆଇଏମ ମହାସଚିବ ସୀତାରାମ ୟେଚୁରି ଓ ଆମ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କୁ ଭେଟିଥିଲେ | ରାହୁଲଙ୍କୁ ଭେଟିବା ପରେ ସେ ଉତ୍ତରପ୍ରଦେଶ ଯିବେ | ସେଠାରେ ବହୁଜନ ସମାଜ ପାର୍ଟି ମୁଖ୍ୟ ମାୟାବତୀ ଓ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କୁ ମଧ୍ୟ ଭେଟିବେ | ସପା-ବସପା ଗଠବନ୍ଧନ ପରେ ଦିଲ୍ଲୀରେ ସରକାର ଗଠନ ପାଇଁ ଏହି ଦୁଇ ଦଳଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବାର ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି |ମାୟା-ଅଖିଳେଶଙ୍କୁ ଭେଟିବା ପରେ ଏନସିପି ଅଧ୍ୟକ୍ଷ ଶରଦ ପାୱାର,ଏଲଜେଡି ନେତା ଶରଦ ଯାଦବଙ୍କୁ ମଧ୍ୟ ସାକ୍ଷାତ କରିବେ | ଶୁକ୍ରବାର ଚନ୍ଦ୍ରବାବୁ ମୁଖ୍ୟ ନିର୍ବାଚନ ଆୟୁକ୍ତଙ୍କୁ ଭେଟିଥିଲେ | ଆନ୍ଧ୍ରପ୍ରଦେଶର ଚନ୍ଦ୍ରଗିରି ବିଧାନସଭା ନିର୍ବାଚନ କ୍ଷେତ୍ର ଓ ଚି଼ତୁର ସଂସଦୀୟ କ୍ଷେତ୍ରରେ ପୁଣି ଉପନିର୍ବାଚନ କରିବାକୁ ଦାବି କରିଥିଲେ |  ଏଠାରେ ସୂଚନା ଥାଉ କି ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟପାହ୍ୟା ମାନ୍ୟତା ଦେବାକୁ ନେଇ ମୋଦି ଓ ଚନ୍ଦ୍ରବାବୁଙ୍କ ମଧ୍ୟରେ ସମ୍ପର୍କ ଭାଙ୍ଗିଯାଇଥିଲା |