ଆତ୍ମହତ୍ୟା କଲେ ଆନ୍ଧ୍ରପ୍ରଦେଶ ବିଧାନସଭାର ପୂର୍ବତନ ବାଚସ୍ପତି

ହାଇଦ୍ରାବାଦ :ଆନ୍ଧ୍ରପ୍ରଦେଶ ବିଧାନସଭାର ପୂର୍ବତନ ବାଚସ୍ପତି କୋଡେଲା ଶିବ ପ୍ରସାଦ ରାଓ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ସେ ନିଜ ଘରେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ଅଚେତ ଅବସ୍ଥାରେ ତାଙ୍କୁ ହାଇଦ୍ରାବାଦ ସ୍ଥିତ ଇଣ୍ଡୋ ଆମେରିକାନ କ୍ୟାନସର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏଠାରେ ଚିକିତ୍ସିତ ହେଉଥିବା ସମୟରେ ସେ ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି। 

ପରିବାର ମୁତାବକ, ତେଲୁଗୁ ଦେଶମ ପାର୍ଟିର ନେତା କୋଡେଲା ଶିବପ୍ରସାଦ ରାଓ ମାନସିକ ସ୍ତରରେ ଅସୁସ୍ଥ ଥିଲେ। ଏଥିପାଇଁ ତାଙ୍କର ଚିକିତ୍ସା ମଧ୍ୟ ଚାଲୁଥିଲା। ତେବେ ଏହି କାରଣସରୁ ସେ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ଆଶଙ୍କା କରାଯାଉଛି। 

ଆନ୍ଧ୍ରର ୱାଇଏସଆର କଂଗ୍ରେସ ପାର୍ଟିର ସରକାର ଗଠନ ହେବା ପରେ କୋଡେଲା ଶିବପ୍ରସାଦ ରାଓଙ୍କ ପୁଅ ଏବଂ ଝିଅଙ୍କ ବିରୋଧରେ ଭ୍ରଷ୍ଟାଚାର ମାମଲା ରୁଜୁ ହୋଇଥିଲା। କୋଡାଲାଙ୍କ ବିରୁଧରେ ମଧ୍ୟ ବିଧାନସଭାର ଟେବୁଲ ଚୌକି ନିଜ ପୁଅ ଶୋ ରୁମରେ ପହଁଚାଇଥିବା ନେଇ ଅଭିଯୋଗ ଆସିଥିଲା। ଏହି ମାମଲାର ଯାଂଚ୍ ଚାଲୁଥିଲା। 

କୋଡେଲା ଶିବପ୍ରସାଦ ଜଣେ ଡାକ୍ତର ଥିଲେ। ସେ ଏନଟି ରାମା ରାଓ ଏବଂ ଚନ୍ଦ୍ରବାବୁ ନାଇଡୁଙ୍କ ସମୟରେ ମଧ୍ୟ କାମ କରିଛନ୍ତି। ଏତଦ୍ ବ୍ୟତୀତ ସେ ଆନ୍ଧ୍ରପ୍ରଦେଶ ବିଧାନ ସଭାର ପ୍ରଥମ ବାଚସ୍ପତି ଥିଲେ। ତାଙ୍କର ନିଧନରେ ଟିଡିପି ଶୋକବ୍ୟକ୍ତ କରିଛି।