ଅମୃତଶରରେ ରାବଣପୋଡିରେ ଟ୍ରେନ୍ ଚାପାରେ ୬୧ ମୃତ୍ୟୁ ଘଟଣା , ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ

ଭୁବନେଶ୍ବର  :  ଟ୍ରେନ୍ ଚାପାରେ ୬୧ ଜଣଙ୍କ ମୃତ୍ୟୁ ଏବଂ ପ୍ରାୟ ୭୦ ଜଣ ଆହତ ହେବା ଘଟଣାରେ ସାରା ଦେଶ ସ୍ତବ୍ଧ । ଦୁର୍ଘଟଣା ଘଟିଥିବା ଅଞ୍ଚଳ ଓ ମେଡିକାଲରେ ଶୋକାକୁଳ ପରିବେଶ ଲାଗି ରହିଥିବା ବେଳେ, ଖୋଜା ଚାଲିଛି କାରଣ । ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ, ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଦୁର୍ଘଟଣା ଘଟାଇଥିବା ଟ୍ରେନର ଡ୍ରାଇଭରଙ୍କୁ ଅଟକ ରଖି ପୋଲିସ୍ ପଚରା ଉଚରା ଚଳାଇଛି । ସେପଟେ ରେଲୱେ କିନ୍ତୁ କହୁଛି, ତାର କିଛି ଦୋଷ ନାହିଁ ।

ଏ ଥିଲା, ଗତ ସନ୍ଧ୍ୟାର ହୃଦୟ ବିଦାରକ ଦୃଶ୍ୟ । ଗୋଟିଏ ପଟେ ରାବଣ ପୋଡ଼ିରେ ସାରା ଦେଶ ମସଗୁଲ୍ ଥିବା ବେଳେ ଅମୃତସର ରାବଣପୋଡ଼ିରେ ହେଲା ଅଘଟଣ । ରେଳ ଧାରଣା ଉପରେ ଛିଡ଼ା ହୋଇ ମଜା ଉଠାଉଥିବା ଲୋକଙ୍କ ଉପରେ ଆଖି ପିଛୁଳାକେ ଚଢ଼ିଗଲା ଟ୍ରେନ୍ । ନିମିଷକେ ଚାଲିଗଲା ୬୦ରୁ ଅଧିକ ଜୀବନ । ପାଖାପାଖି ୭୦ ଲୋକ ଆହତ, ଯେଉଁମାନଙ୍କ ମଧ୍ୟରୁ ଏବେ ବି କିଛି ଲୋକଙ୍କ ଅବସ୍ଥା ଅତି ସଙ୍କଟାପନ୍ନ ରହିଛି । ଅମୃତସରରେ ଲୌହ ଦାନବର ଏହି ରକ୍ତଭୋଜିକୁ ନେଇ ସାରା ଦେଶ ସ୍ତବ୍ଧ । ଦୁର୍ଘଟଣାସ୍ଥଳ ଅନୁଧ୍ୟାନ ପରେ ମେଡିକାଲ ଯାଇ ଆହତଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହ । ଦୁର୍ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ମାସକ ଭିତରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ପଞ୍ଜାବ ସରକାର । ପ୍ରତି ମୃତକଙ୍କ ପରିବାର ପାଇଁ ୫ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଏବଂ ଆହତଙ୍କ ପାଇଁ ୫୦ ହଜାର ଟଙ୍କାର ସହାୟତା ଘୋଷଣା କରିଛନ୍ତି । ଏଥି ପାଇଁ ୩ କୋଟି ଟଙ୍କା ରିଲିଜ୍ କରିଛନ୍ତି ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହ ।

ଦୁର୍ଘଟଣାକୁ ନେଇ ପଞ୍ଜାବ ସରକାର ବିବ୍ରତ ଥିବା ବେଳେ ନିଜ ଉପରୁ ଦୋଷ ଛଡ଼ାଇ ଦେଇଛି ରେଳ ବିଭାଗ । ଧାରଣା କଡ଼ ପଡ଼ିଆରେ ରାବଣ ପୋଡ଼ି ଉତ୍ସବ ପାଳନ ହେଉଥିବା ନେଇ ରେଳ ବିଭାଗ ପାଖରେ କୌଣସି ସୂଚନା ନଥିଲା । କିଛି ଦୂରରୁ ଟ୍ରାକ୍ ଉପରେ ଲୋକଙ୍କୁ ଦେଖି ଡ୍ରାଇଭର ଟ୍ରେନ୍ ର ସ୍ପିଡ୍ କମାଇଥିଲେ । ଘଣ୍ଟା ପ୍ରତି ୯୧ କିଲୋମିଟରରୁ ୬୮ କିଲୋମିଟରକୁ ଆଣିଥିଲେ । କିନ୍ତୁ ଆଉ ପାରି ନଥିଲେ । ବାଧ୍ୟ ହୋଇ ଲମ୍ବା ହର୍ଣ୍ଣ ମାରିଥିଲେ । ତେବେ ପଞ୍ଜାବ ପୋଲିସ୍, ଡ୍ରାଇଭରଙ୍କୁ ଅଟକ ରଖି ପଚରା ଉଚରା ଚଳାଇଛି । ତାଙ୍କୁ ଗ୍ରୀନ୍ ସିଗନାଲ୍ ମିଳିଥିବା କହିଛନ୍ତି ଡ୍ରାଇଭର୍ ।

ଦୁର୍ଘଟଣାସ୍ଥଳ ଓ ଡାକ୍ତରଖାନାକୁ ଯାଇ ନିଜ ପ୍ରିୟ ପରିଜନଙ୍କୁ ଖୋଜୁଛନ୍ତି ଲୋକେ । ସ୍ଥିତି  ନିୟନ୍ତ୍ରଣ ପାଇଁ ଘଟଣାସ୍ଥଳରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି । ଦୁର୍ଘଟଣା ଲାଗି ଆୟୋଜକଙ୍କୁ ଦାୟୀ କରୁଛନ୍ତି ଲୋକ । ସେପଟେ ପଞ୍ଜାବରେ ରାଜ୍ୟବ୍ୟାପୀ ଶୋକ ପାଳନ କରାଯାଉଛି । ସ୍କୁଲ, କଲେଜ ସରକାରୀ ଅଫିସ ସବୁ ଛୁଟି ।