ନୂଆଦିଲ୍ଲୀ: ଆଜି ସମସ୍ତ ବାତ୍ୟା ପ୍ରଭାବିତ ଅଂଚଳକୁ ଆକାଶ ମାର୍ଗରୁ ଅନୁଧ୍ୟାନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଭାବିତ ଅଂଚଳ ପରିଦର୍ଶନ କରିବା ପରେ ପଶ୍ଚିମବଙ୍ଗ ପାଇଁ ୧ ହଜାର କୋଟିର ସହାୟତା ରାଶି ଘୋଷଣା କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସହାୟତା ରାଶି ଘୋଷଣା କରିଛନ୍ତି । ଏହାଛଡା ଅଗ୍ରୀମ ଆକାରରେ ୧ ହଜାର କୋଟି ଦିଆଯାଉଥିବା ମୋଦି କହିଛନ୍ତି । ବାତ୍ୟା ଅମ୍ପନ ପାଇଁ ପଶ୍ଚିମବଙ୍ଗରେ ୮୦ ଜଣଙ୍କ ଜୀବନ ଯାଇଥିବା କହିଛନ୍ତି ପ୍ରଧାନମନ୍ତ୍ରୀ । ଏହାଛଡା ମୃତକଙ୍କ ପରିବାରକୁ ୨ ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା କରାଯାଇଛି । ମୃତକଙ୍କ ପରିବାରକୁ ପ୍ରଧାନମନ୍ତ୍ରୀଙ୍କ ସହାୟତା ପାଣ୍ଠିରୁ ୨ ଲକ୍ଷ ମିଳିବ ବୋଲି ସୂଚନା ମିଳିଛି ।
ଖାଲି ଏତିକି ନୁହେଁ, ବାତ୍ୟାରେ ଆହତ ହୋଇଥିବା ଲୋକଙ୍କୁ ୫୦ ହଜାର ଲେଖାଏଁ ମିଳିବ ବୋଲି ମୋଦି କହିଛନ୍ତି । ଏଥିପାଇଁ ତୁରନ୍ତ ପୁଙ୍ଖାନୁପୁଙ୍ଖ ତଦନ୍ତ କରିବାକୁ କେନ୍ଦ୍ରୀୟ ଟିମ ଆସିବେ ବୋଲି ପ୍ରଧାନମନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି । ବାତ୍ୟା ପ୍ରଭାବିତ ହୋଇଥିବା ଅଂଚଳକୁ କେନ୍ଦ୍ରିୟ ଟିମ୍ ଆସି ସମସ୍ତ କ୍ଷୟକ୍ଷତିର ଅନୁଧ୍ୟାନ କରିବେ । କେନ୍ଦ୍ରୀୟ ଟିମ୍ ଅନୁଧ୍ୟାନ କରି ସାରିବା ପରେ ପ୍ରଭାବିତଙ୍କୁ ସମସ୍ତ ସହଯୋଗ ମିଳିବ ବୋଲି ମୋଦି କହିଛନ୍ତି । ଏହାଛଡା ମୋଦି ଆହୁରି ମଧ୍ୟ କହିଛନ୍ତି ଯେ, ଏଭଳି ଦୁର୍ଦ୍ଦିନ ସମୟରେ ଆମେ ସବୁବେଳେ ପଶ୍ଚିମବଙ୍ଗ ସହ ଅଛୁ । ଭାରତ ସରକାର ମଧ୍ୟ କାନ୍ଧରେ କାନ୍ଧ ମିଶାଇ କାମ କରିବେ । କରୋନା ଭଳି ପରିସ୍ଥିତି ସମୟରେ ବାତ୍ୟା ଆସିବା ଆମ ପାଇଁ ଏକ ଭିନ୍ନ ଚ୍ୟାଲେଞ୍ଜ ବୋଲି ମୋଦି କହିଛନ୍ତି । କରୋନା ଓ ବାତ୍ୟା ବିରୋଧରେ ଲଢେଇ, ପରସ୍ପର ବିପରୀତ ଧର୍ମୀ । କରୋନାରେ ଘରେ ରହିବାକୁ କୁହାଯାଉଥିଲା । ଆଉ ବାତ୍ୟା ସମୟରେ ଘରୁ ବାହାରକୁ ଆସ ବୋଲି କୁହାଗଲା । ଯାହା ଆମ ପାଇଁ ଚ୍ୟାଲେଞ୍ଜ ଥିଲା । ସେଥିପାଇଁ ଆମେ ମିଳିତ ଭାବେ କାନ୍ଧରେ କାନ୍ଧ ମିଶାଇ ମୁକାବିଲା କରିବା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।