ନୂଆଦିଲ୍ଲୀ/ଭୁବନେଶ୍ୱର : ଭାରତର ଡିଜିଟାଲ ପରିବର୍ତନ ଆଫ୍ରିକୀୟ ଦେଶ ପାଇଁ ଏକ ମଡେଲ ଭାବରେ ଉଭା ହେବ । ଅତ୍ୟାଧୁନିକ ଜ୍ଞାନ କୌଶଳ ସହ ଭାରତ ସରକାର ଏବଂ ଶିଳ୍ପାୟନ ଗୁଡିକ ଆଫ୍ରିକୀୟ ପ୍ରତିପକ୍ଷଙ୍କ ସହ ମିଳିତ ଭାବରେ ଡିଜିଟାଲ ଭିତିଭୂମି, ପ୍ରଯୁକ୍ତିବିଦ୍ୟା ଟ୍ରାନ୍ସମିସନ, ପ୍ରଶିକ୍ଷଣ ଏବଂ ଦକ୍ଷତା ବୃଦ୍ଧି ; ଆଫ୍ରିକାକୁ ଏକ ଡିଜିଟାଲ ପରିସଂସ୍ଥାନରେ ପରିଣତ କରିବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
“ଫ୍ୟୁଚର ଅଫ୍ ଡ଼ିଜିଟାଲାଇଜେସନ୍ ଇନ୍ ଇଣ୍ଡିଆ ଆଫ୍ରିକା ପାର୍ଟନରସିପ୍” ବିଷୟରେ ଆଲୋଚନା
ଆଫ୍ରିକୀୟ ଦେଶ ଭାରତ ସରକାରଙ୍କ ପ୍ରାଥମିକତାରେ ରହିଛି
ଆଫ୍ରିକା ସହ ଡ଼ିଜିଟାଲ ପାର୍ଥକ୍ୟକୁ ଦୂର କରିବା ଦିଗରେ କାର୍ଯ୍ୟ କରୁଛି ଭାରତ
ବିଗତ ୭ ବର୍ଷ ମଧ୍ୟରେ ଭାରତରେ ଅଭିନବ ଡ଼ିଜିଟାଲ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି
ଡ଼ିଜିଟାଲ ଇଣ୍ଡିଆ, ପହଲ୍, ଜନଧନ ଯୋଜନା, ଭାରତ ନେଟ୍, ରୂପେ ଏବଂ ଇଣ୍ଡିଆ ଷ୍ଟାକ୍ ଭଳି ଅଭିନବ ଡିଜିଟାଲ କାର୍ଯ୍ୟକ୍ରମକୁ ପ୍ରୋତ୍ସାହନ
ଭାରତ ଆଫ୍ରିକୀୟ ଦେଶ ମାନଙ୍କୁ ଡିଜିଟାଲ ପୃଷ୍ଠଭୂମିରେ ନିରନ୍ତର ସାହାଯ୍ୟ କରିଆସୁଛି
ଭାରତ ସରକାରଙ୍କ ଛାତ୍ରବୃତି ଯୋଜନାରେ ଆଫ୍ରିକୀୟ ଛାତ୍ରଛାତ୍ରୀ ଲାଭବାନ ହେଉଛନ୍ତି
ବୁଧବାର ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଚେମ୍ବର ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (ଫିକି) ଇଣ୍ଡିଆର ଲିଡ୍ସ ୨୦୨୧ର “ଫ୍ୟୁଚର ଅଫ୍ ଡ଼ିଜିଟାଲାଇଜେସନ୍ ଇନ୍ ଇଣ୍ଡିଆ ଆଫ୍ରିକା ପାର୍ଟନରସିପ୍” ଶୀର୍ଷକ ଆଲୋଚନା ଚକ୍ରରେ ଭିଡିଓ କନଫରେନ୍ସିଂରେ ସାମିଲ ହୋଇ ଶ୍ରୀ ପ୍ରଧାନ ଏହା କହିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ ଡ଼ିଜିଟାଲ ପାର୍ଥକ୍ୟକୁ ଦୂର କରିବାରେ ସାହାଯ୍ୟ କରିବା ପାଇଁ ଆଇସିଟି ସହଯୋଗରେ ଆଫ୍ରିକୀୟ ଦେଶ ମାନଙ୍କ ପାଇଁ ଭାରତ ଏକ ସ୍ୱାଭାବିକ ଭାଗୀଦାର । ଉଭୟ ଭାରତ ଏବଂ ଆଫ୍ରିକା ଅନୁରୂପ ବିକାଶର ଆହ୍ୱାନର ସମ୍ମୁଖୀନ ହେଉଛନ୍ତି । ବିଗତ ୭ ବର୍ଷ ମଧ୍ୟରେ ଭାରତ ଡ଼ିଜିଟାଲ ଇଣ୍ଡିଆ, ପହଲ୍, ପ୍ରଧାନମନ୍ତ୍ରୀ ଜନଧନ ଯୋଜନା, ଭାରତ ନେଟ୍, ରୂପେ ଏବଂ ଇଣ୍ଡିଆ ଷ୍ଟାକ୍ ଭଳି ଅନେକ ଅଭିନବ ଡ଼ିଜିଟାଲ କାର୍ଯ୍ୟକ୍ରମ ଆରମ୍ଭ କରିଛି । ଦକ୍ଷତା ବିକାଶ ଦିଗରେ ଏକ ଲକ୍ଷ୍ୟଭିତିକ ଆଭିମୁଖ୍ୟ ସହିତ ଏବଂ ଏହି ସବୁ ପଦକ୍ଷେପ ଗୁଡ଼ିକୁ ଆଫ୍ରୀକୀୟ ଦେଶ ମାନଙ୍କରେ କାର୍ଯ୍ୟକାରୀ କରିପାରିବେ । ଭାରତରୁ ଆଇସିଟି ସମାଧାନ ଅଫ୍ରିକୀୟ ଦେଶ ମାନଙ୍କ ପାଇଁ କାର୍ଯ୍ୟକାରୀ କରିବା ସହଜ ଏବଂ ସୁଲଭ ମୂଲ୍ୟ ହୋଇପାରିବ । ଭାରତ ଆଫ୍ରିକୀୟ ଦେଶ ମାନଙ୍କୁ ଏହି ପୃଷ୍ଠଭୂମିରେ ନିରନ୍ତର ସାହାଯ୍ୟ କରିଆସୁଛି । ଆଫ୍ରିକୀୟ ଦେଶ ଗୁଡ଼ିକ ପାଇଁ ସାଟେଲାଇଟ୍ ସଂଯୋଗ ସ୍ଥାପନ, ଟେଲି ମେଡ଼ିସିନ୍, ଟେଲି ଶିକ୍ଷା ଭଳି କ୍ଷେତ୍ରରେ ସାହାଯ୍ୟ ଯୋଗାଇବା ପାଇଁ ପ୍ୟାନ ଆଫ୍ରିକା ଇ-ନେଟୱାର୍କ ଫାଇବର ଅପଟିକ୍ ନେଟୱାକ୍ ସ୍ଥାପନ କରିଛି । ୨୦୧୮ ସେପ୍ଟେମ୍ବର ମାସରେ ଭାରତ ସରକାର ଇ-ବିଦ୍ୟା ଭାରତୀ ଏବଂ ଇ-ଆରୋଗ୍ୟ ଭାରତୀ ନାମକ ନୂତନ ନେଟୱାର୍କ ପ୍ରକଳ୍ପ ଆରମ୍ଭ କରିଛନ୍ତି ।
ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ସରକାର ଆଫ୍ରିକା ଦେଶକୁ ଗୁରୁତ୍ୱ ଦେଉଛନ୍ତି । ଆଫ୍ରିକା ସହିତ ଭାରତ ସରକାରଙ୍କ ସମ୍ପର୍କକୁ ଏଥିରୁ ଆକଳନ କରାଯାଇପାରିବ ଯେ ଭାରତରୁ ବିଭିନ୍ନ ସ୍ତରରେ ମନ୍ତ୍ରୀ ଏବଂ ନେତୃତ୍ୱମାନେ ଗତ ୭ ବର୍ଷ ମଧ୍ୟରେ ୫୪ଟି ଦେଶ ଗସ୍ତ କରିଛନ୍ତି ଏବଂ ଆଫ୍ରିକାରେ ୧୮ଟି ନୂତନ ଦୂତାବାସ ପ୍ରତିଷ୍ଠା କରାଯାଇଛି । ଭାରତରେ ଆଫ୍ରିକୀୟ ଦେଶରୁ ୨୫ ହଜାରରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ୫୦୦ ସରକାରୀ ଏବଂ ବେସରକାରୀ
ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରୁଛନ୍ତି । ୨୦୧୮ରେ ଆରମ୍ଭ ହୋଇଥିବା ଷ୍ଟଡ଼ି ଇନ୍ ଇଣ୍ଡିଆ ଯୋଜନା ମାଧ୍ୟମରେ ୨ ହଜାର ଛାତ୍ରଛାତ୍ରୀଙ୍କୁ ଛାତ୍ର ବୃତି ସହ ଗୁଣାତ୍ମକ ଶିକ୍ଷା ପ୍ରଦାନ କରାଯାଉଛି ଏବଂ ଏହାର ଅଧିକ ଲାଭ ଆଫ୍ରିକୀୟ ଦେଶର ଛାତ୍ରଛାତ୍ରୀମାନେ ଲାଭ ପାଇପାରୁଛନ୍ତି । ଭାରତ ସରକାରଙ୍କ ଦ୍ୱାରା ଆଇଟିଇସି ଅଧୀନରେ ବାର୍ଷିକ ୫ ହଜାରରୁ ଉର୍ଦ୍ଧ୍ୱ ଛାତ୍ରବୃତି ଏବଂ ବାର୍ଷିକ ୯୦୦ରୁ ଉର୍ଦ୍ଧ୍ୱ ଆଇସିସିଆର ଛାତ୍ରବୃତି ଆଫ୍ରିକୀୟ ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରାଯାଉଛି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।
ଏହି କାର୍ଯ୍ୟକ୍ରମରେ ଭିସି ଜରିଆରେ ଫିକିର ସଭାପତି ଉଦୟ ଶଙ୍କର, ଫିକିର ନ୍ୟାସନାଲ କମିଟି ଅନ୍ ଷ୍ଟାଟଅପ୍ସର ଅଧ୍ୟକ୍ଷ ଅଜୟ ଚୌଧୁରୀ, ଟୋଗୋର ଇକୋବ୍ୟାଙ୍କ୍ ଆଫ୍ରିକାର ଅଧ୍ୟକ୍ଷ ଆଦେ ଆୟେମି, ଟ୍ରାଇଜିନ୍ ଟେକ୍ନୋଲୋଜିର ଅଧ୍ୟକ୍ଷ ତଥା ଫିକି ଆଫ୍ରିକା ପରିଷଦର ସଦସ୍ୟ ଆର୍ ଗଣପତି, ଏୟାରଟେଲ୍ ଆଫ୍ରିକାର ସିଇଓ ରଘୁନାଥ୍ ମାଣ୍ଡଭ୍, ଏସଡ଼ିଏଲର ସିଇଓ ସୁରେଶ ସେଠୀ ପ୍ରମୁଖ ସାମିଲ ହୋଇଥିଲେ ।
Union Minister dharmendra pradhan addresses at the ‘Future of Digitalization in India-Africa Partnerships’ FICCI’s LEADS 2021