କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ଦାଏର ମାମଲାକୁ ହାଇକୋର୍ଟଙ୍କ ଖାରଜ

ମାମଲା ଆବେଦନକାରୀଙ୍କୁ ୫ ଲକ୍ଷ ଟଙ୍କା ଜୋରିମାନା

କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ତଥ୍ୟ ଲୁଚାଇବା ଅଭିଯୋଗ ନେଇ ଦାଏର ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି । ରାଜନୈତିକ ଉଦ୍ଦେଶ୍ୟ ରଖି ମାମଲା କରାଯାଇଥିବା ଓ ଏହାଦ୍ୱାରା କୋର୍ଟର ସମୟ ନଷ୍ଟ ହୋଇଥିବା ଦର୍ଶାଇ ହାଇକୋର୍ଟ ଏହାକୁ ଆଜି ଖାରଜ କରିଛନ୍ତି । ଏଥିସହ ଆବେଦନକାରୀ ଭାଗ୍ୟଧର ବେହେରାଙ୍କୁ ୫ ଲକ୍ଷ ଟଙ୍କା ଜୋରିମାନା ଦାଖଲ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଆସନ୍ତା ୩ ସପ୍ତାହ ମଧ୍ୟରେ ଭାଗ୍ୟଧର ହାଇକୋର୍ଟ ବାର୍ ଆସୋସିଏସନ୍‌ର ଓକିଲ କଲ୍ୟାଣ ପାଣ୍ଠିରେ ଜୋରିମାନା ରାଶି ଜମା କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ରହିଛି । ସୂଚନା ଅନୁସାରେ, ୨୦୧୯ ମସିହା ରାଜ୍ୟସଭା ନିର୍ବାଚନରେ ଅଶ୍ୱିନୀ ବୈଷ୍ଣବ ନିଜ ନାମାଙ୍କନ ପତ୍ରରେ ତଥ୍ୟ ଲୁଚାଇଥିବା ଅଭିଯୋଗ କରି ଭାଗ୍ୟଧର ହାଇକୋର୍ଟରେ ଏହି ମାମଲା ଦାଏର କରିଥିଲେ । ନାମାଙ୍କନ ସମୟରେ ଅଶ୍ୱିନୀ ସରକାରଙ୍କ ଅଧୀନରେ ଚୁକ୍ତି ଭିତ୍ତିରେ କାର୍ଯ୍ୟ କରୁଥିଲେ ବୋଲି ସେ ଅଭିଯୋଗରେ ଦର୍ଶାଇଥିଲେ । ତେବେ ମାମଲାର ଶୁଣାଣି ଚାଲିଥିବା ବେଳେ ଅଶ୍ୱିନୀ ବୈଷ୍ଣବଙ୍କ ପକ୍ଷରୁ ହାଇକୋର୍ଟରେ ଜବାବ ଦାଖଲ କରାଯାଇଥିଲା ।

ସରକାରଙ୍କ ଅଧୀନରେ ନୁହେଁ, ବରଂ ଅଶ୍ୱିନୀ ଏକ ଘରୋଇ ସଂସ୍ଥାର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ । ନାମାଙ୍କନ ପତ୍ର ଦାଖଲ ବେଳକୁ ସେ ଇସ୍ତଫା ଦେଇସାରିଥିଲେ । ତାଙ୍କ ଇସ୍ତଫା ନେଇ ରେଜିଷ୍ଟ୍ରର ଅଫ କମ୍ପାନୀଜ୍‌କୁ ମଧ୍ୟ ଅବଗତ କରାଯାଇଥିଲା ବୋଲି ଅଶ୍ୱିନୀଙ୍କ ପକ୍ଷରୁ ତାଙ୍କ ଓକିଲ ହାଇକୋର୍ଟଙ୍କୁ ଅବଗତ କରିଥିଲେ । ଏଥିସହ ଏ ସଂକ୍ରାନ୍ତୀୟ ତଥ୍ୟ ମଧ୍ୟ ଉପସ୍ଥାପନ କରାଯାଇଥିଲା । ତେବେ ୨୦୧୯ ମସିହା ରାଜ୍ୟସଭା ନିର୍ବାଚନ ଶେଷ ହୋଇ ୨୦୨୪ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହେବା ପରେ ଏଭଳି ଅଭିଯୋଗ ରାଜନୀତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କୋର୍ଟ ଅନୁଭବ କରିଥିଲେ । ସେଥିପାଇଁ ଆବେଦନକାରୀ ଭାଗ୍ୟଧରଙ୍କ ଉପରେ ଜୋରିମାନା ଲାଗୁ କରାଯାଉଛି ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି।

The High Court dismissed the case against Union Minister Ashwini Vaishnab