ଭୁବନେଶ୍ୱର : ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତମଞ୍ଚ ପକ୍ଷରୁ ୩୧୪ଟି ବ୍ଲକ ସମେତ ବିଧାନସଭା ସମ୍ମୁଖରେ ଚାଲିଥିବା ଗଣଧାରଣାକୁ ୨୮ଦିନ ପୂରି ଯାଇଛି । ତେବେ ବାଚସ୍ପତି ଏବଂ ବିରୋଧିଦଳଙ୍କ ଚାପରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ମନ୍ତ୍ରୀସ୍ତରୀୟ ବୈଠକରେ କୌଣସି ନିର୍ଯ୍ୟାସ ବାହାରିପାରି ନାହିଁ । ଅନ୍ୟପକ୍ଷରେ ଏକ ସପ୍ତାହ ମଧ୍ୟରେ ସରକାର ଦାବି ପୂରଣ ନକଲେ ଶିକ୍ଷକମାନେ ସମୂହ ଇସ୍ତଫା ଦେବେ ବୋଲି ମିଳିତ ଶିକ୍ଷକ ମଞ୍ଚ ଧମକ ଦେଇଛି । ବୁଧବାର ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ଶିକ୍ଷକଙ୍କ ଦାବି ପୂରଣ ପାଇଁ ୩ ମାସ ସମୟ ମାଗିବାକୁ ସ୍ଥିର ହୋଇଥିଲା । ଏହାବ୍ୟତୀତ ଏକ ଟେକ୍ନିକାଲ କମିଟି ଗଠନ କରାଯାଇ ସମସ୍ୟାଗୁଡ଼ିକର ଅନୁଧ୍ୟାନ କରାଯିବା ପରେ ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଥିଲା । ଏଣୁ ଶିକ୍ଷକମାନେ ଆନ୍ଦୋଳନରୁ ଓହରି ଯିବାକୁ ଉଭୟ ମନ୍ତ୍ରୀ ଅନୁରୋଧ କରିଥିଲେ ।
ସରକାରଙ୍କ ଏହି ନିଷ୍ପତ୍ତିକୁ ମିଳିତମଞ୍ଚ ପ୍ରତ୍ୟାଖାନ କରିଛି । ଏକ ସପ୍ତାହ ମଧ୍ୟରେ ଦାବି ପୂରଣ ନହେଲେ, ଶିକ୍ଷକମାନେ ସମୂହ ଇସ୍ତଫା ଦେବେ ବୋଲି ମିଳିତମଞ୍ଚର ଆବାହକ ସଦସ୍ୟ ପବିତ୍ର ମହାଲା କହିଛନ୍ତି । ସେ କହିଲେ ଯେ ମନ୍ତ୍ରୀସ୍ତରୀୟ ବୈଠକ କେବଳ ଲୋକ ଦେଖାଣିଆ ଥିଲା । ସମସ୍ୟା ସମାଧାନ କରିବା ଦିଗରେ ସରକାରଙ୍କର କୌଣସି ଆନ୍ତରିକତା ନାହିଁ । ଚାକିରି ସର୍ତ୍ତାବଳୀ ଓ ଅବସରକାଳୀନ ସୁବିଧା ସୁଯୋଗ ସହିତ ପୂର୍ଣ୍ଣ ଅନୁଦାନ ଓ ଯୋଗ୍ୟ ବିବେଚିତ ସ୍କୁଲ କଲେଜକୁ ଅନୁଦାନ ନ ଦେବା ଯାଏ ଆନ୍ଦୋଳନ ଚାଲିବ । ସେହିପରି ଅନ୍ୟତମ ସଦସ୍ୟ ଗୋଲକ ନାୟକ କହିଛନ୍ତି ଯେ, ପୂର୍ବରୁ ମଧ୍ୟ ଦାବି ପୂରଣ ଲାଗି ସରକାର ୩ ମାସ ସମୟ ମାଗିଥିଲେ । ମାତ୍ର କୌଣସି ସମସ୍ୟାର ସମାଧାନ ହୋଇପାରି ନାହିଁ । ସରକାର ଚାହିଁଲେ ୩ ମାସ କ’ଣ ୩ ମିନିଟ୍ରେ ସମସ୍ୟା ସମାଧାନ ହେବ । ଯଦି ସରକାର ପ୍ରକୃତରେ ସମସ୍ୟା ସମାଧାନ କରିବାକୁ ଚାହୁଁଛନ୍ତି ତେବେ ୭ ଦିନ ମଧ୍ୟରେ ଦାବି ପୂରଣ କରନ୍ତୁ । ତା’ପରେ ଆନ୍ଦୋଳନ ପ୍ରତ୍ୟାହାର କରାଯିବ । ନଚେତ ଆନ୍ଦୋଳନ ଯେକୌଣସି ସ୍ତରକୁ ଯାଇପାରେ ବୋଲି ଶ୍ରୀ ନାୟକ କହିଛନ୍ତି ।
ଅନ୍ୟପକ୍ଷରେ ଆସନ୍ତା ୩ ମାସ ପରେ ସାଧାରଣ ନିର୍ବାଚନ ପାଇଁ ଆଚରଣବିଧି ଲାଗୁ ହୋଇଯିବ । ସରକାରଙ୍କ ହାତରେ କ୍ଷମତା ନଥିବ । କେବଳ ସମୟ ଟାଳିଦେବା ପାଇଁ ବେଶ୍ ଚତୁରତାର ସହିତ ଏହି ପ୍ରକାର ପ୍ରସ୍ତାବ ରଖୁଛନ୍ତି ବୋଲି ମିଳିତମଞ୍ଚର ବହୁ ସଦସ୍ୟ ଅଭିଯୋଗ କରିଛନ୍ତି । ଆଜିର ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ମନ୍ତ୍ରୀ ବଦ୍ରୀନାରାୟଣ ପାତ୍ର, ଅର୍ଥ ସଚିବ ତୁହୀନ୍କାନ୍ତ ପାଣ୍ଡେ, ସ୍କୁଲ ଓ ଗଣଶିକ୍ଷା ବିଭାଗ ସଚିବ ପ୍ରଦୀପ୍ତ ମହାପାତ୍ର, ଉଚ୍ଚଶିକ୍ଷା ସଚିବ ବିଷ୍ଣୁପଦ ସେଠୀ, ଗୋଲାକ ନାୟକ, ପ୍ରକାଶ ଚନ୍ଦ୍ର ମହାନ୍ତି, ପବିତ୍ର ମହାଲା ଉପସ୍ଥିତ ଥିଲେ ।