ଭୁବନେଶ୍ୱର : ବହୁ ଚର୍ଚ୍ଚିତ କୁନ୍ଦୁଲି ନାବାଳିକା ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ମାମଲାର ତଦନ୍ତ କମିଶନଙ୍କ କାର୍ଯ୍ୟକାଳ ବଢ଼ିଲା। ଦ୍ୱିତୀୟ ଥର ପାଇଁ ୩ ମାସ କମିଶନଙ୍କ କାର୍ଯ୍ୟକାଳକୁ ବୃଦ୍ଧି କରିଛନ୍ତି। ଆସନ୍ତା ଜୁନ ୨୫ ତାରିଖରେ କମିଶନଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଥିଲା । ବହୁଚର୍ଚ୍ଚିତ କୁନ୍ଦୁଲି ଘଟଣାର ତଦନ୍ତ କରିବା ପାଇଁ ୨୦୧୭ ମସିହା ଡିସେମ୍ବର ୨୬ରେ ରାଜ୍ୟ ସରକାର ତଦନ୍ତ କମିଶନ ଗଠନ କରିଥିଲେ। ପୂର୍ବରୁ ମାର୍ଚ୍ଚ ମାସରେ କମିଶନଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲା। ତେବେ ସମୟ ସୁଦ୍ଧା ତଦନ୍ତ ଶେଷ ହୋଇନଥିବାରୁ ସରକାର ପୁଣି ଥରେ କମିଶନଙ୍କ କାର୍ଯ୍ୟକାଳ ୩ ମାସ ବୃଦ୍ଧି କରିଛନ୍ତି ।
ନବମ ଶ୍ରେଣୀ ଛାତ୍ରୀ ଜଣକ ସ୍କୁଲରୁ ଘରକୁ ଫେରୁଥିଲେ। ନିଛାଟିଆ ରାସ୍ତାରେ ଯବାନଙ୍କ ପୋଷାକ ପିନ୍ଧିଥିବା ଅଭିଯୁକ୍ତମାନେ ନାବାଳିକାଙ୍କୁ ଜଙ୍ଗଲ ଭିତରକୁ ଟେକିନେଇ ଜଣେ ପରେ ଜଣେ ବଳାତ୍କାର କରି ପଳାଇ ଯାଇଥିଲେ। ପରେ ନାବାଳିକା ଜଣକ ଘୁଷୁରି ଘୁଷୁରି ରାସ୍ତା ଉପରକୁ ଆସିଥିଲେ। ପଥଚାରୀମାନେ ତାଙ୍କୁ ପଟାଙ୍ଗି ମେଡ଼ିକାଲରେ ଭର୍ତ୍ତି କରିବା ସହିତ ପରିବାର ଲୋକଙ୍କୁ ଖବର ଦେଇଥିଲେ। ତେବେ ନାବାଳିକାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାକୁ କୋରାପୁଟ ଜିଲ୍ଲା ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ଏବେ ନାବାଳିକା ଜଣକ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜରେ ଚିକିତ୍ସିତ ହେଉଛନ୍ତି। ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଅଭିଯୁକ୍ତଙ୍କ ଗିରଫ ଦାବିରେ ଉତ୍ତ୍ୟକ୍ତ ଲୋକେ ରାସ୍ତାରୋକ କରିଥିଲେ। ଏହାର ପ୍ରତିବାଦରେ କଂଗ୍ରେସ ଓ ମାଓବାଦୀମାନେ ଜିଲ୍ଲା ବନ୍ଦ ଡାକରା ଦେଇଥିଲା। ପରେ ପୀଡ଼ିତା ଆତ୍ମହତ୍ୟା କରିଥିଲେ। ଏହାକୁ ନେଇ ରାଜ୍ୟରେ ଆଲୋଡ଼ନ ଖେଳାଇ ଦେଇଥିଲା। ଫଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ।