ଭୁବନେଶ୍ବର : ଚିଲିକା ସମେତ ଦେଶର ୩ଟି ସ୍ଥାନରେ ହେବ ସି-ଏୟାରପୋର୍ଟ । ବେସାମରିକ ବିମାନ ଚଳାଚଳ ବିଭାଗ ରାଜ୍ୟ ସରକାରଙ୍କ ସହ ଆଲୋଚନା ପରେ କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଏଭଳି ସ୍ଥିତିରେ ପର୍ଯ୍ୟଟନ ବିଭାଗକୁ ଅନୁଧ୍ୟାନ ଲାଗି ମୁଖ୍ୟ ଶାସନ ସଚିବ କହିଥିବା ବେଳେ ଆରମ୍ଭ ହେଲାଣି ବିରୋଧ । ସି-ଏୟାରପୋର୍ଟ ହେଲେ ଚିଲିକାର ଜୈବ ବିବିଧତା ପ୍ରଭାବିତ ହେବ ବୋଲି କହିଲାଣି ବିଜେଡି । ସେପେଟ ବିକାଶକୁ ବିଜେଡି ବିରୋଧ କରୁଥିବା କହୁଛି ବିଜେପି ।
ଓଡ଼ିଶାରେ ଉଡ଼ିବନି କି ସି-ପ୍ଲେନ୍ ? ଚିଲିକାରେ ଓ୍ବାଟର ଏରୋଡ୍ରମ ହେଲେ ନଷ୍ଟ ହୋଇଯିବ କି ଜୈବ ବିବିଧତା ? ଚିଲିକାରେ ପ୍ରସ୍ତାବିତ ସି–ଏୟାରପୋର୍ଟକୁ ନେଇ ଏବେ ଏମିତି ସମ୍ଭାବନା ସୃଷ୍ଟି ହେଲାଣି । ବିଜେଡି କହୁଛି, ଜୈବ ବିବିଧତା ନଷ୍ଟ ହୋଇଯିବ । ବ୍ରହ୍ମଗରି ବିଧାୟକ ସଞ୍ଜୟ ଦାସବର୍ମା ଏବଂ ପୁରୀ ବିଧାୟକ ତଥା ରାଜସ୍ବ ମନ୍ତ୍ରୀ ମହେଶ୍ବର ମହାନ୍ତି ଏମିତି କହିଲେଣି । ୨ ଲକ୍ଷ ମତ୍ସଜୀବୀଙ୍କ ଜୀବନ ଜୀବୀକା କଥା ଉଠାଇଛନ୍ତି । ତା ସହ ୩୭୫ ପ୍ରଜାତିର ମାଛ, ୨୩୦ ପ୍ରଜାତିର ପକ୍ଷୀ, ୧୭୦ଟି ଡଲଫିନ୍ ପ୍ରଭାବିତ ହେବେ ବୋଲି କହୁଛନ୍ତି ସେମାନେ । ସାଢେ ୧୫ ବର୍ଗକିଲୋମିଟର ନଳବଣ ମଧ୍ୟ ପ୍ରଭାବିତ ହେବ ।
ପର୍ଯ୍ୟଟନର ବିକାଶ ଲାଗି ଓ୍ବାଟର ଏରୋଡ୍ରମ କରିବାକୁ ନିଷ୍ପତ୍ତି ନେଇଛି କେନ୍ଦ୍ର । କେନ୍ଦ୍ରର ଏକ ପ୍ରତିନିଧି ଦଳ, ଚିଲିକା ବୁଲି ଅନୁଧ୍ୟାନ କରିବା ପରେ ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା କରିଛନ୍ତି । ପୁଣି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ, ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିବା ପରେ, ଅନୁଧ୍ୟାନ କରି ରିପୋର୍ଟ ଦେବାକୁ ପର୍ଯ୍ୟଟନ ବିଭାଗକୁ କହିଛି ସାଧାରଣ ପ୍ରଶାସନ ବିଭାଗ । ହେଲେ ବିଜେଡି, ତାହାକୁ ବିରୋଧ କରୁଥିବା ବେଳେ ଜବାବ ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଚିଲିକା ଡେଭଲପମେଣ୍ଟ ଅଥରଟି ଫିଜିବିଲିଟି ରିପୋର୍ଟ ଦେବା ପରେ ବିରୋଧ କାହିଁକି ବୋଲି ପ୍ରଶ୍ନ କରିଛନ୍ତି ଧର୍ମେନ୍ଦ୍ର ।
କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ପରେ ଚିଲିକାରେ ବେଳେ ସି-ପ୍ଲେନ ଉଡ଼ାଇବାକୁ ମୁଖ୍ୟ ଶାସନ ସଚିବଙ୍କୁ ପ୍ରସ୍ତାବ ଦେଇଛି ସ୍ପାଇସ୍ ଜେଟ୍ । ହେଲେ ଏବେ ସୃଷ୍ଟି ହୋଇଥିବା ବିରୋଧାଭାସ, ଚିଲିକାରେ ଓ୍ବାଟର ଏରୋଡ୍ରମକୁ ଭାଗ୍ୟକୁ କୁଆଡେ ନେବ, ତାକୁ ନେଇ ସନ୍ଦେହ ।