ରେପୋ​‌ ରେଟ୍‌ ହ୍ରାସ କଲା ଆରବିଆଇ

ନୂଆଦିଲ୍ଲୀ: ନରେନ୍ଦ୍ର ମୋଦୀ ସରକାରର ୨ୟ ପାଳିରେ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ଦେଶବାସୀଙ୍କୁ ପ୍ରଥମ ଉପହାର ଦେଇଛି। ଆରବିଆଇ ପକ୍ଷରୁ ପୁଣି ଥରେ ରେପୋ ରେଟ୍‌ ହ୍ରାସ କରାଯାଇଛି। ଆରବିଆଇର ତ୍ରୈମାସିକ ମୁଦ୍ରାସ୍ଫୀତି ସମୀକ୍ଷା ବୈଠକରେ ରେପୋ ରେଟ୍‌ ୬%ରୁ ୨୫ ବେସିସ ପଏଣ୍ଟ ହ୍ରାସ କରାଯାଇଛି। ଫଳରେ ଏବେ ରେପୋ ରେଟ୍‌ ୫.୭୫% ରହିଛି। ଆରବିଆଇ ଗଭର୍ନର ଶକ୍ତିକାନ୍ତ ଦାସ ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀରେ ଏ ନେଇ ସୂଚନା ଦେଇଛନ୍ତି। ରେପୋ ରେଟ୍‌ ହ୍ରାସ ପାଇବା ପରେ ବ୍ୟାଙ୍କ ସୁଧ ହାରରେ ହ୍ରାସ ଘଟିବ ଏବଂ ଜନସାଧାରଣ ଏହାଦ୍ୱାରା ବିଶେଷ ଉପକୃତ ହେବେ। ସୂଚନାଯୋଗ୍ୟ, ପୂର୍ବରୁ ଅନୁଷ୍ଠିତ ଆରବିଆଇର ୨ଟି ବୈଠକରେ ରେପୋ ରେଟ୍‌ ୨୫ ବେସିସ ପଏଣ୍ଟ ଲେଖାଏ ହ୍ରାସ କରାଯାଇଥିଲା। ଜୁନ ମାସରେ ୩ୟ ଥର ପାଇଁ ରେପୋ ରେଟ୍‌ ହ୍ରାସ କରାଯାଇଛି।