ପୁରୀ : ରଥଯାତ୍ରାରେ ସୁରକ୍ଷା ବଳୟରେ ରହିବ ପୁରୀ ସହର । ବଡ଼ଦାଣ୍ଡ, ମନ୍ଦିର, ଜାତୀୟ ରାଜପଥରେ ଆଇନଶୃଖଂଳା, ଅପରାଧ ଓ ଭିଡ ନିୟନ୍ତ୍ରଣ ଉପରେ ନଜର ରଖିବ ସିସିଟିଭି । ସନ୍ଦିଗ୍ଧଙ୍କ କାର୍ଯ୍ୟକଳାପ ଉପରେ ନଜର ରଖିବାକୁ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି । ବମ୍ ଡ଼ିସପୋଜାଲ ସ୍କ୍ବାର୍ଡ, ରାପିଡ଼୍ ଆକ୍ସନ ଫୋର୍ସ, ସୁଇଫ୍ଟ ଆକ୍ସନ ଫୋର୍ସ, ଏନଡ଼ିଆରଏଫ୍ ମୁତୟନ ହେବେ । ପୋଲିସ ମହାନିର୍ଦେଶଙ୍କ ଅଧ୍ୟକ୍ଷତାରେ ପୁରୀ ଟାଉନହଲରେ ଆଜି ବସିଥିଲା ଶେଷ ସମୀକ୍ଷା ବୈଠକ ।
ଏଥର ରଥଯାତ୍ରା ପାଇଁ ହୋଇଛି ସବୁଠୁ ବଡ଼ ସୁରକ୍ଷା ବ୍ୟବସ୍ଥା । ୧୪୦ ପ୍ଲାଟୁନ ଫୋର୍ସ ସହ ଏକ ହଜାରରୁ ଉର୍ଦ୍ଧ୍ବ ଅଧିକାରୀ ମୁତୟନ ହେବ । ଆଇନଶୃଖଂଳା, ଅପରାଧ ଓ ଭିଡ ନିୟନ୍ତ୍ରଣ ଉପରେ ନଜର ରଖିବ ୧୮୫ ରୁ ଅଧିକ ସିସି ଟିଭି । ବମ୍ ଡିସପୋଜାଲ ସ୍କ୍ବାର୍ଡ, ରାପିଡ୍ ଆକ୍ସନ, ଏନଡ଼ିଆରଏଫ, ସୁଇଫ୍ଟ ଆକ୍ସନ ଫୋର୍ସ ମୁତୟନ ହେବେ । ରଥଯାତ୍ରା ବେଳେ ପୁରୀରୁ ନୋ ପ୍ଲାଇଁ ଜୋନ୍ କରିବା ପାଇଁ କେନ୍ଦ୍ର ବେସାମରିକ ମନ୍ତ୍ରଣାଳୟର ନିଷ୍ପତ୍ତିକୁ ଅପେକ୍ଷା କରାଯାଇଛି। କୋଷ୍ଟଗାର୍ଡ଼ ନିୟନ୍ତ୍ରଣରେ ରହିବ ସମୁଦ୍ରପଥ । ସଶସ୍ତ୍ର ପୋଲିସ, ମେରାଇନ୍ ପୋଲିସ ଓ ଅଗ୍ନିଶମ ବାହିନୀ ମୁତୟନ ରହିବେ। ୨୪ ଘଣ୍ଟିଆ ଟ୍ରାଫିକ୍ କଣ୍ଟେ୍ରାଲ ରୁମ୍ କାର୍ଯ୍ୟ କରିବ ବୋଲି ପୋଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା ସୂଚନା ଦେଇଛନ୍ତି । ଆଜି ସୁରକ୍ଷା ବନ୍ଦୋବସ୍ତର ଶେଷ ସମୀକ୍ଷା କରିଛନ୍ତି ପୋଲିସ ଡ଼ିଜି । ୧୨ ରୁ ଅଧିକ ବରିଷ୍ଠ ଆଇପିଏସ ଅଧିକାରୀ ଏଥିରେ ସାମିଲ ହୋଇଥିଲେ। ରଥଯାତ୍ରାର ସଂପୂର୍ଣ୍ଣ ଦାୟିତ୍ବ ଅତିରିକ୍ତ ଡ଼ିଜି ସତ୍ୟଜିତ୍ ମହାନ୍ତିଙ୍କ ଉପରେ ନ୍ୟସ୍ତ କରାଯାଇଛି । ଶ୍ରୀମନ୍ଦିର ସୁରକ୍ଷା ଦାୟିତ୍ବରେ ରହିବେ କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ। ଆଇଜି ସଂଜୀବ ପଣ୍ଡାଙ୍କୁ ଟ୍ରାଫିକ, ଆଇଜି ଅସିତ ପାଣିଗ୍ରାହୀଙ୍କୁ ଭିଡ଼ ନିୟନ୍ତ୍ରଣ, ଆଇଜି ଅମିତାଭ ଠାକୁରଙ୍କୁ କର୍ଡ଼ନ ଦାୟିତ୍ବରେ ରଖାଯାଇଛି। ଏହି ସବୁ ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କୁ ସହାୟତା କରିବା ପାଇଁ ଦୁଇଜଣ ଲେଖାଏଁ କନିଷ୍ଠ ଆଇପିଏସଙ୍କୁ ନିୟୋଜିତ କରାଯାଇଛି। ପୁରୀ ଟାଉନହଲରେ ହୋଇଥିବା ସମୀକ୍ଷା ବୈଠକରେ ହଜାରରେ ଉର୍ଦ୍ଧ ପୋଲିସ ଅଧିକାରୀ ଭାଗ ନେଇଥିଲେ।