ନୂଆଦିଲ୍ଲୀ: ଓଡ଼ିଶା ସରକାରଙ୍କ ନୂଆଦିଲ୍ଲୀସ୍ଥିତ ମୁଖ୍ୟ ଆବାସିକ କମିଶନର ଡ. ସୁନୀଲ କୁମାର ଭାର୍ଗବ ବୁଧବାର ୩୮ତମ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଭାଗ ନେଇଥିବା ଓଡ଼ିଶା ମଣ୍ଡପକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଛନ୍ତି । ‘ଭାରତରେ ଗ୍ରାମୀଣ ଉଦ୍ୟୋଗ’ ସମ୍ପର୍କିତ ବିଷୟବସ୍ତୁକୁ ନେଇ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଓଡ଼ିଶା ମଣ୍ଡପକୁ ସଜ୍ଜାଯାଇଛି । ସମ୍ମୁଖ ଭାଗରେ ରତ୍ନଗିରି ଗେଟ୍ ସ୍ଥାନ ପାଇଥିବାବେଳେ ମଣ୍ଡପ ମଧ୍ୟରେ ଓଡ଼ିଶାରେ ଅନୁଷ୍ଠିତ ହେବାକୁ ଯାଉଥିବା ବିଶ୍ୱକପ୍ ପୁରୁଷ ହକି ବିଷୟରେ ସୂଚନା ପ୍ରଦାନ କରାଯାଇଛି । ଏଥିରେ ବିଷୟବସ୍ତୁ ଅନୁଯାୟୀ ରାଜ୍ୟର ଅଣୁ, କ୍ଷୁଦ୍ର ଓ ମଧ୍ୟମ (ଏମ୍ଏସ୍ଏମ୍ଇ) ବିଭାଗ, ଶିଳ୍ପ ବିଭାଗ, ହସ୍ତତନ୍ତ ଓ ବୟନ ଶିଳ୍ପ ଏବଂ କ୍ଷୁଦ୍ର ଶିଳ୍ପ ସମେତ ୨୨ଟି ବିକ୍ରୟ କେନ୍ଦ୍ର ଖୋଲାଯାଇଛି ।
ପ୍ରଗତି ମଇଦାନର ୧୨ ନମ୍ବର ହଲରେ ଓଡ଼ିଶାକୁ ୧୦୦ ବର୍ଗମିଟର ଏବଂ ୫୬ ବର୍ଗ ମିଟରର ଏହିପରି ମୋଟ ୧୫୬ ବର୍ଗମିଟରର ଦୁଇଟି ସ୍ଥାନ ମିଳିଛି । ମଣ୍ଡପରେ ନବରଙ୍ଗପୁର ଜିଲ୍ଲାର ଜନଜାତିମାନଙ୍କ ଅଳଙ୍କାର, ଖୋର୍ଦ୍ଧାର ଟେରାକୋଟା ଓ ଗରମ ପୋଷାକ, ପୁରୀର ପଟ୍ଟଚିତ୍ର ଓ ଚାନ୍ଦୁଆ, ଢେଙ୍କାନାଳର ଡୋକ୍ରା, କେନ୍ଦ୍ରାପଡ଼ାର କାଇଞ୍ଚମାଳି, କଟକର ତାରକସି କାମ ସମେତ ଉକ୍ରଳିକା ଓ ବୟନିକା ପ୍ରଭୃତି ସେମାନଙ୍କର ସାମଗ୍ରୀଗୁଡ଼ିକ ପ୍ରଦର୍ଶିତ କରିଛନ୍ତି । ଏହି ବାଣିଜ୍ୟ ମେଳା ପରିସରରେ ଆସନ୍ତା ୨୧ ତାରିଖରେ ଓଡ଼ିଶା ରାଜ୍ୟ ଦିବସ ପାଳନ କରାଯିବ । ଏହି ଉତ୍ସବକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଆଇନ୍, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ପ୍ରତାପ ଜେନା ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ଥିବାବେଳେ ରାଜ୍ୟର ବଛାବଛା ଛଅଗୋଟି ସାଂସ୍କୃତିକ ଦଳ କାର୍ଯ୍ୟକ୍ରମ ପରିବେଷଣ କରିବେ ।
ମଣ୍ଡପ ଉଦ୍ଘାଟନ ଉତ୍ସବରେ ପ୍ରମୁଖ ଆବାସିକ କମିଶନର ବିପିନ୍ ସାକ୍ସେନା, ଆବାସିକ କମିଶନର ସଞ୍ଜୀବ ମିଶ୍ର, ଯୁଗ୍ମ ଆବାସିକ କମିଶନର ପ୍ରେମଜିତ୍ ନାୟକ, ଓଏସ୍ଡି ସୁଚରିତା ଷଡ଼ଙ୍ଗୀ, ସୂଚନା ଓ ଲୋକସମ୍ପର୍କ ବିଭାଗ ଅତିରିକ୍ତ ନିର୍ଦ୍ଦେଶକ ନିରଞ୍ଜନ ସେଠୀ, ଉପନିର୍ଦ୍ଦେଶକ ବିପିନ ବିହାରୀ ବାରିକି, ତପନ ଦାସ୍, ଓଡ଼ିଶା ମଣ୍ଡପ ନିର୍ଦ୍ଦେଶକ ରବିନ୍ଦ୍ର କୁମାର ନାୟକ, ପ୍ରଦର୍ଶନୀ ସଂଗଠକ ରବିନାରାୟଣ ବେହେରା, ବରିଷ୍ଠ ଡିଜାଇନର ପ୍ରଦ୍ୟୁମ୍ନ ଦାସ, ମଣ୍ଡପ ନିର୍ମାତା ଭାରତୀ ଚିତ୍ରାଳୟ ମୁଖ୍ୟ ଦେବେନ୍ଦ୍ର କୁମାର ପଣ୍ଡା ତଥା ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ମୁଖ୍ୟ ଆବାସିକ କମିଶନର ଡ. ଭାର୍ଗବ ଏକ ଉନ୍ନୟନ ପୁସ୍ତିକା ଉନ୍ମୋଚନ କରିଥିଲେ ।