ନୂଆଦିଲ୍ଲୀ : ଓଡ଼ିଶା ହେଉଛି ସମଗ୍ର ଦକ୍ଷିଣ ଏସିଆର ଆଲୁମିନିୟମ ରାଜଧାନୀ । ଦେଶରେ ଯେତେ ଆଲୁମିନିୟମ ଉତ୍ପାଦିତ ହେଉଛି ତାହାର ୫୪ ପ୍ରତିଶତ କେବଳ ଓଡ଼ିଶାରୁ ମିଳୁଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ନୂଆଦିଲ୍ଲୀଠାରେ ଓଡ଼ିଶା ପୁଞ୍ଜିନିବେଶକଙ୍କ ସମ୍ମିଳନୀରେ ଉଦବୋଧନ ଦେଇ ସେ କହିଲେ ଯେ କେବଳ ସେତିକି ନୁହେଁ, ସମଗ୍ର ଦେଶର ପ୍ରାୟ ୨୫ ପ୍ରତିଶତ ଇସ୍ପାତ ଓଡ଼ିଶାରେ ଉତ୍ପାଦିତ ହେଉଥିବାରୁ ଏହା ଦେଶର ଇସ୍ପାତ କେନ୍ଦ୍ରରେ ପରିଣତ ହୋଇଛି । ସମଗ୍ର ପୂର୍ବ ଭାରତରେ ଓଡ଼ିଶା ଏକ ମ୍ୟାନୁଫାକ୍ଚରିଂ କେନ୍ଦ୍ର ହେବାକୁ ଯାଉଛି ବୋଲି ଘୋଷଣା କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଗତ ୧୮ ବର୍ଷ ମଧ୍ୟରେ ରାଜ୍ୟର ସାମୁଦ୍ରିକ ବନ୍ଦରଗୁଡ଼ିକର ମାଲ କାରବାର କ୍ଷମତା ୨୦.୫ ନିୟୁତ ଟନରୁ ୧୯୦ ନିୟୁତ ଟନକୁ ବୃଦ୍ଧି ପାଇଛି । ବିଦ୍ୟୁତ ଶକ୍ତି ଉତ୍ପାଦନ ମଧ୍ୟ ପ୍ରାୟ ତିନି ଗୁଣ ବଢ଼ିଛି । ଏବେ ରାଜ୍ୟରେ ୧୭,୬୯୦ ମେଗାୱାଟ ବିଦ୍ୟୁତ ଉତ୍ପାଦିତ ହେଉଛି ।
ସେହିପରି ରାଜ୍ୟର ସଡ଼କ ଯୋଗାଯୋଗରେ ୫୦ ପ୍ରତିଶତ ବୃଦ୍ଧି ଘଟିଛି । ଓଡ଼ିଶାରେ ପୁଞ୍ଜିନିବେଶକଙ୍କ ପାଇଁ ପ୍ରଚୁର ସୁଯୋଗ ରହିଛି ବୋଲି ସେ କହିଛନ୍ତି । ସେଥିପାଇଁ ନଭେମ୍ବର ୧୧ରୁ ୧୫ ମଧ୍ୟରେ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭର ଦ୍ୱିତୀୟ ସଂସ୍କରଣରେ ଯୋଗଦେବାକୁ ସେ ଶିଳ୍ପପତି ଓ ନିବେଶକାରୀମାନଙ୍କୁ ଆମନ୍ତ୍ରଣ କରିଛନ୍ତି । ଏହି କନ୍କ୍ଲେଭରେ ନିବେଶକମାନେ ଓଡ଼ିଶାରେ ପୁଞ୍ଜିନିବେଶ ସୁଯୋଗ, ବ୍ୟାବସାୟିକ ପରିବେଶ ଓ ସରକାର ଯୋଗାଇ ଦେଉଥିବା ସୁବିଧା ସୁଯୋଗ ଆଦି ସଂପର୍କରେ ବିସ୍ତୃତ ଭାବେ ଜାଣିବାକୁ ପାଇବେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇନଭେଷ୍ଟ ଓଡ଼ିଶା ୱେବ୍ସାଇଟ୍ ଉଦଘାଟନ କରିଥିଲେ । ଏହି ୱେବ୍ସାଇଟରେ ଓଡ଼ିଶାରେ ରହିଥିବା ଶିଳ୍ପ ଓ ବ୍ୟବସାୟର ଭିତ୍ତିଭୂମି, ସରକାରଙ୍କ ଶିଳ୍ପ ନୀତି ଓ ଇଜ୍ ଅଫ୍ ଡୁଇଂ ବିଜ୍ନେସ ସଂକ୍ରାନ୍ତ ଅନେକ ତଥ୍ୟ ଓ ସୂଚନା ରହିଛି । ନିବେଶକାରୀଙ୍କର ଏହି ସମ୍ମିଳନୀରେ ରାଜ୍ୟ ଶିଳ୍ପ ମନ୍ତ୍ରୀ ଅନନ୍ତ ଦାସ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ପ୍ରତାପ ଜେନା ଓ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ପ୍ରମୁଖ ଯୋଗ ଦେଇଥିଲେ ।