୫୦୧ ଟଙ୍କାରେ ମିଳିବ ଜିଓଫୋନ୍

ନୂଆଦିଲ୍ଲୀ : ଦୀପାବଳିକୁ ଦୃଷ୍ଟିରେ ରଖି ରିଲାଏନ୍ସ ଜିଓ ତରଫରୁ ଏକ ଫେଷ୍ଟିଭ୍ ଗିଫ୍ କାର୍ଡର ଶୁଭାରମ୍ଭ କରାଯାଇଛି । ଏହି କାର୍ଡକୁ ଗ୍ରାହକମାନେ ସେମାନଙ୍କ ପରିବାର ତଥା ବନ୍ଧୁମାନଙ୍କୁ ଉପହାର ସ୍ୱରୂପ ପ୍ରଦାନ କରିପାରିବେ । ରିଲାଏନ୍ସ ଜିଓଫୋନ୍ ଗିଫ୍ଟକାର୍ଡ ନାମକ ଏହି କାର୍ଡ ଜରିଆରେ ଗ୍ରାହକମାନେ ଜିଓଫୋନ୍କୁ ମାତ୍ର ୫୦୧ ଟଙ୍କାରେ କିଣିପାରିବେ ।

ଏହି କାର୍ଡର ମୂଲ୍ୟ ୧,୦୯୫ ଟଙ୍କା ଏବଂ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଷ୍ଟୋର୍ ବ୍ୟତୀତ ଆମାଜନ୍ ଇଣ୍ଡିଆ ୱେବ୍ସାଇଟ୍ରୁ ମଧ୍ୟ ଏହାକୁ କିଣାଯାଇପାରିବ । ଏହାକୁ ମନ୍ସୁନ୍ ହଙ୍ଗାମା ଅଫର୍ ଅନ୍ତର୍ଗତ ପ୍ରଦାନ କରାଯାଉଛି, ଯେଉଁଥିରେ ଗ୍ରାହକମାନେ ଯେକୌଣସି ବ୍ରାଣ୍ଡ୍ର ପୁରୁଣା ଫୋନ୍ ବଦଳାଇ ମାତ୍ର ୫୦୧ ଟଙ୍କରେ ନୂତନ ଜିଓଫୋନ୍ କିଣିପାରିବେ । ଏହାର ବିଶେଷତ୍ୱ ହେଉଛି ଗ୍ରାହକମାନଙ୍କୁ ଏହି ଗିଫ୍ଟକାର୍ଡ ସହିତ ୫୦୧ ଟଙ୍କାର ପରିଶୋଧ କରିବାକୁ ପଡ଼ିବ ନାହିଁ ।

ଏଥିସହିତ କାର୍ଡ ସହିତ ୫୯୪ ଟଙ୍କାର ସ୍ପେଶାଲ୍ ପ୍ରିପେଡ୍ ପ୍ଲାନ୍ କୁପନ୍ ମଧ୍ୟ ମିଳିବ । ୬ ମାସ ବା ୧୮୦ ଦିନ ପାଇଁ ଏହାର ବୈଧତା ରହିଥିବାବେଳେ ଗ୍ରାହକଙ୍କୁ ଏଫ୍ୟୁପି ବିନା ଅସୀମିତ ଲୋକାଲ୍, ନ୍ୟାସ୍ନାଲ୍ ଏବଂ ରୋମିଙ୍ଗ୍ କଲିଂର ସୁବିଧା ମିଳିବ । ଏହାବ୍ୟତୀତ ୬ ମାସ ପାଇଁ ମାଗଣାରେ ୩୦୦ଟି ଏମ୍ଏସ୍ଏମ୍ ମିଳିବ । ସେହିପରି ପ୍ରତ୍ୟହ ୫୦୦ ଏମ୍ବି ଲେଖାଏଁ ୬ ମାସ ପର୍ଯ୍ୟନ୍ତ ମୋଟ ୯୦ ଜିବି ହାଇସ୍ପିଡ୍ ୪ଜି ଡାଟା ମିଳିବ ।
ଏକ୍ସଚେଞ୍ଜ୍ ବୋନସ୍ ରୂପେ ଗ୍ରାହକଙ୍କୁ ୬ଜିବି ଅତିରିକ୍ତ ଡାଟା ମିଳିବ । ମାତ୍ର ଏହି କାର୍ଡକୁ ହାତେଇବାକୁ ହେଲେ ଗ୍ରାହକଙ୍କୁ ସର୍ବପ୍ରଥମେ ପୁରୁଣା ଫୋନ୍କୁ ବଦଳାଇବାକୁ ହେବ ଏବଂ ପରେ ୫୯୪ ଟଙ୍କାର ରିଚାର୍ଜ କରି ଏହାକୁ ଆକ୍ଟିଭେଟ୍ କରିବାକୁ ହେବ ।