ଭୁବନେଶ୍ୱର : କୋଇଲାରୁ ସିଧା ସିଧା ବିଜୁଳି ଉତ୍ପାଦନର ଯୁଗ ସରି ସରି ଆସୁଛି ଓ କୋଇଲାରୁ ଗ୍ୟାସ, ତରଳ ଇନ୍ଧନ, ମିଥାନଲ ତଥା ଅନ୍ୟାନ୍ୟ ଊର୍ଜା ଉତ୍ପାଦନ ପାଇଁ ନୂଆ ପ୍ରଯୁକ୍ତିର ପଥ ପରିଷ୍କାର କରୁଛି ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଜିନ୍ଦଲ କମ୍ପାନୀ ଦ୍ୱାରା ଅନୁଗୁଳ ଜିଲ୍ଲାରେ ଅନ୍ୟାନ୍ୟ ପ୍ରକଳ୍ପ ସହ ପ୍ରଥମ କୋଇଲାରୁ ଗ୍ୟାସ୍ ବାହାର କରି ଇସ୍ପାତ ନିର୍ମାଣ କାମରେ ନିଯୁକ୍ତ ପ୍ରକଳ୍ପର ଉଦ୍ଘାଟନ ଅବସରରେ ସେ ଏହା କହିଛନ୍ତି । ଅବିଭକ୍ତ ଢେଙ୍କାନାଳ ଜିଲ୍ଲାରେ ଜିନ୍ଦଲ ଇସ୍ପାତ କାରଖାନା ସହ ଟାଟା କମ୍ପାନୀ ବନ୍ଦ ପଡ଼ିଥିବା ଭୂଷଣ ଇସ୍ପାତ କାରଖାନାକୁ କେନ୍ଦ୍ର ସରକାରଙ୍କ ନୂଆ ନୀତି ଯୋଗୁ ଏହାକୁ ନିଜ ହାତକୁ ନେଇଛି । ଦେଶର ଦୁଇ ସକଳ ଇସ୍ପାତ ନିର୍ମାତା ଟାଟା ଓ ଜିନ୍ଦଲଙ୍କ ଉପସ୍ଥିତି ସ୍ଥାନୀୟ ଅଞ୍ଚଳର ଅର୍ଥନୀତିକୁ ବଳ ଦେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ ଶିଳ୍ପ ସଂସ୍ଥାମାନେ ସମସ୍ତଙ୍କୁ ସିଧା ସିଧା ଚାକିରି ଦେଇପାରିବେ ନାହିଁ । କିନ୍ତୁ ଟାଟା, ଜିନ୍ଦଲ, ଏମ୍ସିଏଲ୍, ନାଲକୋ, ଏନ୍ଟିପିସି ସ୍ଥାନୀୟ ଅଞ୍ଚଳକୁ ଦାରିଦ୍ର୍ୟର ମୁଳୋତ୍ପାଟନ ପାଇଁ କ୍ଷେତ୍ର ପ୍ରସ୍ତୁତ କରିପାରିବେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଗୋଟିଏ ପଟେ ଜିନ୍ଦଲ ନୂଆ ଟେକ୍ନୋଲୋଜିରେ କୋଇଲାରୁ ଗ୍ୟାସ୍ ଉତ୍ପାଦନ କରିଥିବାବେଳେ ତାଳଚେର ସାର କାରଖାନାକୁ ଗେଲ, କୋଲ ଇଣ୍ଡିଆ ଓ ରାଷ୍ଟ୍ରୀୟ ଇସ୍ପାତ ଲିମିଟେଡ୍ ନୂଆ ଟେକ୍ନୋଲୋଜି ବ୍ୟବହାର କରି ଗ୍ୟାସ ଉତ୍ପାଦନ କରିବାର ପ୍ରକଳ୍ପ ନିର୍ମାଣ କରୁଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ ଜିନ୍ଦଲ କମ୍ପାନୀ ଦ୍ୱାରା ପ୍ରତିଷ୍ଠିତ ଏୟାରପୋର୍ଟକୁ ପ୍ରଧାନମନ୍ତ୍ରୀଙ୍କ ଉଡାନ ଯୋଜନାରେ ଛୋଟ ସହରକୁ ଉଡ଼ାଜାହାଜ ସଂଯୋଗ ପାଇଁ ନବୀନ ଜିନ୍ଦଲ ସମ୍ସତି ପ୍ରକାଶ କରିଥିବା ଶ୍ରୀ ପ୍ରଧାନ କହିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ ବ୍ରାହ୍ମଣୀ ନଦୀ ଅବବାହିକାରୁ ଆରମ୍ଭ ହୋଇ ବିନ୍ଧ୍ୟ ପର୍ବତର ପାଦଦେଶ ଓ ଗଙ୍ଗା ନଦୀ ପର୍ଯ୍ୟନ୍ତ ହଜାରେ କିମି ବ୍ୟାପୀ ପଟିରେ କୋଇଲା ଉପଲବ୍ଧ । ବଦଳୁଥିବା ଭାରତରେ ଏହି କୋଇଲା ଖଣିର ଅଞ୍ଚଳ ଦେଶର ବିକାଶରେ ନୂଆ ଟେକ୍ନୋଲୋଜିର ସଂଯୋଗରେ ବଡ଼ ଯୋଗଦାନ ଦେଇପାରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ପ୍ରକଳ୍ପର ଅନ୍ୟତମ ଉଦଘାଟକ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଚୌଧୁରୀ ବୀରେନ୍ଦ୍ର ସିଂହ କହିଥିଲେ ଯେ ଜେଏସପିଏଲ ଅନୁଗୁଳ ଇସ୍ପାତକାରାଖାନାର ଅନେକଗୁଡ଼ିଏ ୟୁନିଟ ରହିଛି । ଏହି ୟୁନିଟ୍ଗୁଡିକ ହେଲା ଭାରତର ବୃହତମ ୪୫୫୪ ଘନ ମି.ବ୍ଲାଷ୍ଟ ଫର୍ଣ୍ଣାସ୍, ଦେଶର ଅତ୍ୟାଧୁନିକ ବାର୍ଷିକ ୩ ନିୟୁତ ଟନ୍ କ୍ଷମତା ବିଶିଷ୍ଠ ବେଶିକ ଅକ୍ସିଜେନ ଫର୍ଣ୍ଣାସ୍, ସିନ୍ଗ୍ୟାସ ଦ୍ୱାରା ପରିଚାଳିତ ବିଶ୍ୱର ପ୍ରଥମ ଏବଂ ବୃହତମଡି.ଆର.ଆଇ ପ୍ଲାଂଟ, ଓ ସ୍ୱଦେଶି କୋଲ ବ୍ୟବହାର କରି ଇସ୍ପାତ ନିର୍ମାଣ କରୁଥିବା କୋଲ୍ଗ୍ୟାସିଫିକେସନ ପ୍ଲାଂଟ । କେନ୍ଦ୍ର ଇସ୍ପାତମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ ଭାରତରେ ବ୍ୟବହୃତ କୋକିଂକୋଲ୍ ୮୦ ପ୍ରତିଶତ ବାହାରୁ ଆମଦାନୀ ହୋଇଥାଏ । ଜେଏସପିଏଲର ଏହି କୋଲ୍ଗ୍ୟାସିଫିକେସନ୍ ପ୍ରକ୍ରିୟା କୋକିଂକୋଲ୍ ଆମଦାନୀ କ୍ଷେତ୍ରରେ ନିର୍ଭରଶିଳତାକୁ କମ୍କରିପାରିବ । ଏହି ଅବସରରେ ଓ.ପି. ଜିନ୍ଦଲ ଗ୍ରୁପର ମହାଧ୍ୟକ୍ଷା ଶ୍ରୀମତି ସାବିତ୍ରୀ ଜିନ୍ଦଲ, ଜେଏସପିଏଲର
ଅଧ୍ୟକ୍ଷ ଶ୍ରୀ ନବୀନ ଜିନ୍ଦଲ ଓ ଜେଏସପିଏଲର ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀମାନେ ଉପସ୍ଥିତ ଥିଲେ । ଅନୁଗୁଳର ଏହି ଗ୍ରୀନ୍ ଫିଲ୍ଡ ଇସ୍ପାତ କାରଖାନା ପ୍ରଥମେ ସ୍ୱଦେଶୀ କଂଚାମାଲ ବ୍ୟବହାର କରି ଇସ୍ପାତ ତିଆରି କରିବାରେ ଦେଶର ପ୍ରଥମ ଇସ୍ପାତ କାରଖାନା ହେବା ପାଇଁ ପରିକଳ୍ପନା କରାଯାଇଥିାଲା । କିନ୍ତୁ ସମୟ କ୍ରମେ ଏହି କାରଖାନା ଉଭୟ ଅକ୍ସିଜେନ ଏବଂ ବୈଦ୍ୟୁତିକ ପ୍ରଣାଳୀରେ ଇସ୍ପାତ ତିଆରି କରିବାରେ ଦେଶର ଏକ ପ୍ରମୂଖ ଇସ୍ପାତ କାରଖାନା ହୋଇଛି ବୋଲି ଜେଏସପିଏଲର ଅଧ୍ୟକ୍ଷ ଶ୍ରୀ ନବୀନ ଜିନ୍ଦଲ କହିଥିଲେ । ଏହି କାରଖାନା ଆଗାମୀ ଏକ ବର୍ଷରେ ସଂପୂର୍ଣ୍ଣ ୬ ନିୟୁତ ଟନ ବାର୍ଷିକ କ୍ଷମତାରେ ଚାଲିବ ବୋଲି ସେ ସୂଚନା ଦେଇଥିଲେ । ସମୂଦାୟ ୩୫୦୦ ଏକର ଜାଗାରେ ପରିବ୍ୟାପ୍ତ ଓଡିଶାର ଏହି ବୃହତମ ଓ ଅତ୍ୟାଧୁନିକ କାରଖାନାର ଅନ୍ୟାନ୍ୟ ୟୁନିଟ ଗୁଡିକ ମଧ୍ୟରେ ରହିଛି, ଭାରତର ବୃହତମ ବାର୍ଷିକ ୧.୫ ନିୟୁତ ଟନ୍ କ୍ଷମତାବିଶିଷ୍ଟ ରିବାରମିଲ୍, ଅତ୍ୟାଧୁନିକ ବାର୍ଷିକ ୧.୨ ନିୟୁତ ଟନ୍ କ୍ଷମତାବିଶିଷ୍ଠ ପ୍ଲେଟ୍ମିଲ୍, ବିଶ୍ୱର ଦ୍ରୁତତମ ବାର୍ଷିକ ୨.୩ ନିୟୁତ ଟନ୍ କ୍ଷମତାବିଶିଷ୍ଟ ବିଲେଟ୍କାଷ୍ଟର, ଭାରତର ଅତ୍ୟାଧୁନିକ ବାର୍ଷିକ ୧.୭ ନିୟୁତ ଟନ୍ କ୍ଷମତାବିଶିଷ୍ଠ ସ୍ଲାବକାଷ୍ଟର, ଭାରତର ବୃହତମ ବାର୍ଷିକ ୧.୭୫ ନିୟୁତ ଟନ୍ କ୍ଷମତାବିଶିଷ୍ଠ ନୂତନ ଇଲେକ୍ଟ୍ରିକାଲ ଅକ୍ସିଜେନ ଫର୍ଣ୍ଣାସ୍ ଏବଂ ୮୧୦ ମେଗାୱାଟ୍ କାପ୍ଟିଭ୍ପାୱାର ପ୍ଲାଂଟ । ଏହି କାରଖାନା ଦ୍ୱାରା ଓଡିଶାରେ ୫୦୦୦୦ ନିଯୁକ୍ତି ସୁଯୋଗ ସୃଷ୍ଟିହେବା ସହ ଏକ ଲକ୍ଷରୁ ଅଧିକ ପରିବାର ଅର୍ଥନୈତିକ ଭାବେ ଉପକୃତ ହୋଇ ପାରିଛନ୍ତି । ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ପୂର୍ବତନ ସାଂସଦ ଅମରନାଥ ପ୍ରଧାନ, ପୂର୍ବତନ ରାଜ୍ୟସଭା ସାଂସଦ ରୁଦ୍ରନାରାୟଣ ପାଣି, ଜିନ୍ଦଲର ସିଏସ୍ଆର ଓଡିଶା ମୁଖ୍ୟ ପ୍ରଶାନ୍ତ ହୋତା, ନିର୍ଦ୍ଦେଶକ ଡିକେ ସରୋଗୀ ପ୍ରମୁଖଙ୍କ ସମେତ ଜିନ୍ଦଲର ବହୁ ଉଚ୍ଚପଦସ୍ଥ ଅଧିକାରୀ ଓ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ ।