ଭୁବନେଶ୍ୱର : ଆଇଓସିଏଲ୍ ତରଫରୁ ନିର୍ମାଣ ହେବାକୁ ଥିବା ପାରାଦୀପ-ହାଇଦ୍ରାବାଦ ତୈଳ ପାଇପ୍ଲାଇନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୨୪ ତାରିଖରେ ଶିଳାନ୍ୟାସ କରିବେ । ପାରାଦୀପ ରିଫାଇନାରୀରୁ ବିଶୁଦ୍ଧ ତୈଳଜାତ ଉତ୍ପାଦ ‘ଏମ୍ଏସ୍, ଏଚ୍ଏସ୍ଡି, ଏଟିଏଫ୍ ଏବଂ ଏସ୍କେଓ’ର ଉତ୍ତୋଳନ ପାଇଁ ପାରାଦୀପ- ହାଇଦ୍ରାବାଦ୍ ପାଇପଲାଇନରେ ୩୮୦୮ କୋଟି ଟଙ୍କା ବିନିଯୋଗ ହେବ । ଶୁକ୍ରବାର ଆଇଓସିଏଲ୍ ସିଜିଏମ୍ ପ୍ରୀତିଶ ଭରତ ଏହି ସୂଚନା ଦେଇଛନ୍ତି ।
ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଭରତ କହିଛନ୍ତି, ପାରାଦୀପ-ହାଇଦ୍ରାବାଦ୍ ପାଇପଲାଇନ୍ ଓଡ଼ିଶା, ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା ଦେଇ ଯିବ । ଓଡ଼ିଶାରେ ୯୨୩ କୋଟି ଟଙ୍କାର ପାଇପଲାଇନ୍ ବିଛାଯିବାକୁ ଥିଲାବେଳେ ଆନ୍ଧ୍ରପ୍ରଦେଶରେ ୧୯୮୩ କୋଟି ଟଙ୍କା ଓ ତେଲେଙ୍ଗାନାରେ ୪୩୨ କୋଟି ଟଙ୍କା ବିନିଯୋଗ ହେବ । ଭାରତୀୟ ତୈଳବୋର୍ଡ ଏହି ପ୍ରସ୍ତାବକୁ ଅନୁମୋଦନ ଦେଇସାରିଛି । ଆସନ୍ତା ୨୪ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ସମୟରେ ଏହି ପାଇପଲାଇନ୍ ପ୍ରକଳ୍ପର ଶିଳାନ୍ୟାସ ହେବ । ପାଇପ୍ଲାଇନ୍ ପ୍ରକଳ୍ପ ପାଇଁ ସମୁଦାୟ ୩୮୦୮ କୋଟି ଟଙ୍କା ମଧ୍ୟରେ କେବଳ ପାଇପଲାଇନରେ ୩୩୩୮ କୋଟି ଟଙ୍କା, ବିପଣନ ସୁବିଧା ପାଇଁ ୩୨୯ କୋଟି ଏବଂ ବିଶୋଧନ ସୁବିଧା ପାଇଁ ୧୪୧କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି ।
ଏହା ମାଧ୍ୟମରେ ଓଡ଼ିଶା, ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାର ୧୨୧୨ କିମି ଦୀର୍ଘ ପାଇପଲାଇନ୍ ବିଛାଇବା ପାଇଁ ଲକ୍ଷ୍ୟ ରଖାଯାଇଛି । ଯେଉଁଥିରେ ଓଡ଼ିଶାରେ ୩୩୦ କିମି, ଆନ୍ଧ୍ରପ୍ରଦେଶରେ ୭୨୨ କିମି ଓ ତେଲେଙ୍ଗାନାରେ ୧୬୦ କିମି ପାଇପ୍ଲାଇନ୍ ବିଛାଇବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ୨୦୨୦ ମସିହା ଅଗଷ୍ଟ ମାସ ସୁଦ୍ଧା ଏହି ପ୍ରକଳ୍ପକୁ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହି ପ୍ରକଳ୍ପ ମାଧ୍ୟମରେ ୨୫୦ ଲୋକଙ୍କୁ ସ୍ଥାୟୀ ନିଯୁକ୍ତି ସହ ପ୍ରାୟ ୧୨୦୦ ଲୋକଙ୍କୁ ନିଯୁକ୍ତି ପ୍ରଦାନ କରାଯାଇପାରିବ ବୋଲି ଶ୍ରୀ ଭରତ କହିଥିଲେ । ରାଷ୍ଟ୍ରୀୟତ୍ତ ଗ୍ୟାସ୍ କମ୍ପାନୀ ‘ଗେଲ୍’ ସିଜିଏମ୍ ଏସ୍ କେ ପାଠକ କହିଥିଲେ, ଗେଲ୍ ଇଣ୍ଡିଆ ଲିମିଟେଡ୍ ଦ୍ୱାରା ବୋକାରୋ-ଅନୁଗୁଳ ପାଇପ୍ଲାଇନ୍ ସେକ୍ସନ୍ ନିର୍ମାଣ କରାଯାଉଛି । ଯାହାର ସମୁଦାୟ ଲମ୍ବ ହେଉଛି ୬୬୭ କିମି । ଯେଉଁଥିରୁ ଓଡ଼ିଶାରେ ୩୬୭ କିମି ଓ ଝାଡ଼ଖଣ୍ଡରେ ୩୦୦ କିମି ରହିଛି ।
ଏହା ଓଡ଼ିଶାର ପାଞ୍ଚଟି ଜିଲ୍ଲା ଅନଗୁଳ, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଓ ଦେବଗଡ଼ ଏବଂ ଝାଡ଼ଖଣ୍ଡର ଛଅଟି ଜିଲ୍ଲ।। ଦେଇଯିବ । ଏହି ପ୍ରକଳ୍ପର ବ୍ୟୟ ଅଟକଳ ରହିଛି ୩୪୦୦କୋଟି । ଏହି ପ୍ରକଳ୍ପକୁ ୨୦୨୦ ଡିସେମ୍ବର ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ସିଜିଏମ୍ ଶ୍ରୀ ଭରତ ସୂଚନା ଦେଇ ଥିଲେ । ସାମ୍ବାଦିକ ସମ୍ମିଳନୀରେ ଇଣ୍ଡିଆନ୍ ଅଏଲ୍ ଦକ୍ଷିଣ ପୂର୍ବ କ୍ଷେତ୍ର ପାଇପ୍ଲାଇନ୍ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପି ସି ଚୌବେ ଉପସ୍ଥିତ ଥିଲେ ।