ରାଜସ୍ଥାନ ବାୟୁସେନାର ବିମାନ କ୍ରାସ । ହାଲୁକା ଯୁଦ୍ଧ ବିମାନ ତେଜସ ଦୁର୍ଘଟଣାଗ୍ରସ୍ତ ହୋଇଛି । ଜୈସାଲମେରରେ ଏହି ଦୁର୍ଘଟଣା ଘଟିଛି । ଅପରାହ୍ନ ପ୍ରାୟ ୨ଟା ସମୟରେ ଏହି ବିମାନଟି ଦୁର୍ଘଟଣାର ଶିକାର ହୋଇଥିଲା। ଏହି ଲଢ଼ୁଆ ବିମାନ ତେଜସ୍ ଯୁଦ୍ଧାଭ୍ୟାସରେ ସାମିଲ ହେବାକୁ ଯାଉଥିଲା। ତେବେ ସବୁଠାରୁ ବଡ଼ କଥା ହେଉଛି ୨୩ ବର୍ଷ ଭାରତୀୟ ସେନାକୁ ସେବା ଯୋଗାଇ ଦେବା ମଧ୍ୟରେ ପ୍ରଥମ ଥର ପାଇଁ ଦୁର୍ଘଟଣାଗ୍ରସ୍ତ ହୋଇଛି ତେଜସ୍।
ସୂଚନା ଅନୁସାରେ ଆଜି ଅପରାହ୍ନ ପ୍ରାୟ ୨ଟା ସମୟରେ ବାୟୁସେନାର ଏହି ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ଏକ ହଷ୍ଟେଲରେ ପଡ଼ିଥିଲା। ଏହାପରେ ଏକ ଭୟଙ୍କର ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ଫଳରେ ସ୍ଥାନୀୟ ଅଞ୍ଚଳର ଲୋକ ଭୟଭୀତ ହୋଇପଡ଼ିଥିଲେ। ତେବେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା କଥା କି ଦୁର୍ଘଟଣା ପୂର୍ବରୁ ପାଇଲଟ୍ ବିମାନରୁ ବାହାରକୁ ଆସିଯାଇଥିଲେ। ଯାହାଫଳରେ ପାଇଲଟ୍ ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଯାଇଛନ୍ତି । ଦୁର୍ଘଟଣାର ଖବର ପାଇବା ମାତ୍ରେ ପୁଲିସ ଓ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ତେବେ କେଉଁ କାରଣରୁ ଏହି ଦୁର୍ଘଟଣା ହେଲା। ତା’ର କାରଣ ଜାଣିବା ଲାଗି କୋର୍ଟ ଅଫ୍ ଇନ୍କ୍ୱାୟରୀ ପାଇଁ ନିର୍ଦ୍ଦେଶ ଦିଆଯାଇଛି।
ଅନ୍ୟପଟେ ବାୟୁସେନା ପକ୍ଷରୁ ଏକ ବିବୃତି ଜାରି କରି ଏହି ଦୁର୍ଘଟଣାର ସୂଚନା ଦିଆଯାଇଛି। ଏହି ବିବ୍ରୁତିରେ କୁହାଯାଇଛି ଯେ ଆଜି ଏକ ତେଜସ୍ ବିମାନ ଜୈସଲମେରରେ ଅପରେସନ୍ ଟ୍ରେନିଂ ଉଡ଼ାଣ ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ପାଇଲଟ ସୁରକ୍ଷିତ ଭାବେ ବାହାରକୁ ବାହାରି ଆସିବାରେ ସଫଳ ହୋଇଥିଲେ । ଦୁର୍ଘଟଣାର କାରଣ ଜାଣିବା ପାଇଁ ତଦନ୍ତ ଚାଲିଛି ବୋଲି ବାୟୁସେନା ପକ୍ଷରୁ କୁହାଯାଇଛି ।